21 January 2017
3:30:40 AM
image
Sambad News
ରାଜ୍ୟ

ମହାନଦୀ ବିବାଦ: ନଭେମ୍ବର ପୂର୍ବରୁ ଟ୍ରିବ୍ୟୁନାଲ ଆଶା କ୍ଷୀଣ

By Sambad | Date: Jan 6 2017 5:31AM
ମହାନଦୀ ବିବାଦ: ନଭେମ୍ବର ପୂର୍ବରୁ ଟ୍ରିବ୍ୟୁନାଲ ଆଶା କ୍ଷୀଣ

ରାଉରକେଲା : ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆସନ୍ତା ନଭେମ୍ବର ପୂର୍ବରୁ ଟ୍ରିବ୍ୟୁନାଲ ଗଠନ ସମ୍ଭାବନା କ୍ଷୀଣ। ଯଦି ବି ଟ୍ରିବ୍ୟୁନାଲ୍‌ ଗଠିତ ହୁଏ, ତେବେ ୧୯୪୫ରେ ସ୍ୱାକ୍ଷରିତ ଅନ୍ତଃରାଜ୍ୟ ଜଳ ବଣ୍ଟନ ଚୁକ୍ତିକୁ ଏହା ଆଇନଗତ ଆଧାର ଭାବେ ଗ୍ରହଣ କରିବେ ବୋଲି ଗ୍ୟାରେଣ୍ଟି ନାହିଁ। ତେଣୁ ମହାନଦୀ ଜଳର ସମାନୁପାତିକ ଅଂଶ ଦାବି ନିମନ୍ତେ ଓଡ଼ିଶାର ଯୁକ୍ତିକୁ ବଳିଷ୍ଠ କରିବା ପାଇଁ ବୈଷୟିକ ଅନୁଧ୍ୟାନ ଅପରିହାର୍ଯ୍ୟ। ଏଥି ସକାଶେ ଓଡ଼ିଶା ସରକାର ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ବୈଜ୍ଞାନିକ ଓ ଇଞ୍ଜିନିୟରମାନଙ୍କୁ ନେଇ ସବିଶେଷ ଅନୁଧ୍ୟାନ କରିବା ଅପରିହାର୍ଯ୍ୟ ବୋଲି ଓଡ଼ିଶା ପକ୍ଷରୁ ସୁପ୍ରିମ୍‌ କୋର୍ଟରେ ମାମଲା ଲଢ଼ୁଥିବା ବରିଷ୍ଠ ଆଡ୍‌ଭୋକେଟ୍‌ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। 
 
ତଦନୁଯାୟୀ ଆସନ୍ତା ୩ ମାସ ମଧ୍ୟରେ ସୁସଂଗଠିତ ବୈଷୟିକ କମିଟି ନିଯୁକ୍ତ କରିବାକୁ ଜଳ ସମ୍ପଦ ବିଭାଗ ଯନ୍ତ୍ରୀ ମୁଖ୍ୟ (ଇଆଇସି) ଜେ.ବି.ମହାପାତ୍ର ବିଭାଗୀୟ ପ୍ରମୁଖ ସଚିବ ପିକେ ଜେନାଙ୍କୁ ପ୍ରସ୍ତାବ ଦେଇଛନ୍ତି।  ଇଆଇସି ତାଙ୍କ ପ୍ରସ୍ତାବରେ ଦର୍ଶାଇଛନ୍ତି ଯେ ମହାନଦୀ ଉପରେ ଛତିଶଗଡ଼ ସରକାରଙ୍କ ଦ୍ୱାରା ନିର୍ମିତ ଓ ନିର୍ମାଣାଧୀନ ବ୍ୟାରେଜ୍‌ଗୁଡ଼ିକ ଯୋଗୁଁ ଓଡ଼ିଶା କିଭଳି ପ୍ରଭାବିତ ହେବ ସେ ସଂକ୍ରାନ୍ତରେ ପ୍ରସ୍ତାବିତ ବିଶେଷଜ୍ଞ କମିଟି ସବିଶେଷ ଅନୁଧ୍ୟାନ କରି  ୩ ମାସ ମଧ୍ୟରେ ରିପୋର୍ଟ ଦେବେ। 
 
ଏହାଛଡ଼ା ଏହି କମିଟିର ସଦସ୍ୟମାନେ ବିଶେଷଜ୍ଞ ସାକ୍ଷୀ ଭାବେ ମୋକଦ୍ଦମା ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରିବେ। କେଉଁ କେଉଁ ସର୍ତ୍ତରେ ବିଶେଷଜ୍ଞ କମିଟି ଗଠନ କରାଯିବ, ପ୍ରସ୍ତାବିତ କମିଟି କେଉଁ ନିର୍ଦ୍ଦିଷ୍ଟ ଦିଗରେ ଅନୁଧ୍ୟାନ କରି ଧାର୍ଯ୍ୟ ସମୟ ମଧ୍ୟରେ ରିପୋର୍ଟ ଦେବେ-ସେଥି ସକାଶେ ଜଳ ସମ୍ପଦ ବିଭାଗ ଚିଠା ସର୍ତ୍ତାବଳୀ (ଟର୍ମ୍ସ ଅଫ୍‌ ରେଫରେନ୍‌ସେସ୍‌) ପ୍ରସ୍ତୁତ କରିଛନ୍ତି। ଏହାର ଅନୁମୋଦନ ପରେ ପରବର୍ତ୍ତୀ ପଦକ୍ଷେପ ତ୍ୱରାନ୍ଵିତ କରାଯିବ ବୋଲି ଇଆଇସି ଇଂ ମହାପାତ୍ର ତାଙ୍କ ଚିଠି (ନଂ ୪୫୩୩୩)ରେ ପ୍ରସ୍ତାବ ଦେଇଛନ୍ତି। 
 
ଉଲ୍ଲେଖଯୋଗ୍ୟ, ଛତିଶଗଡ଼ର ମନମୁଖୀ ନିର୍ମାଣ ଯୋଗୁଁ ଓଡ଼ିଶା ମହାନଦୀ ଜଳରୁ ଗୁରୁତର ଭାବେ ବଞ୍ଚିତ ହେବା ଆଶଙ୍କା ଘନୀଭୂତ ହେଉଥିବାରୁ ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ମାତ୍ର ଦଳୀୟ ରାଜନୀତିରେ ବଶବର୍ତ୍ତୀ କେନ୍ଦ୍ର ସରକାର ପରୋକ୍ଷରେ ଛତିଶଗଡ଼ର ପକ୍ଷ ନେଉଥିବାରୁ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ୍‌ ଗଠନ ନିମନ୍ତେ ଓଡ଼ିଶା ସୁପ୍ରିମ୍‌ କୋର୍ଟରେ ମାମଲା ରୁଜୁ କରିଛି।