27 March 2017
12:27:13 AM
Sambad News
ରାଜ୍ୟ

ଦିବ୍ୟାଙ୍ଗଙ୍କୁ ବସ୍‌ ଭଡ଼ା ରିହାତି : ଖିଲାପ ହେଲେ ମାଲିକଙ୍କୁ ଜରିମାନା

By Sambad | Date: Jan 6 2017 5:38AM
ଦିବ୍ୟାଙ୍ଗଙ୍କୁ ବସ୍‌ ଭଡ଼ା ରିହାତି : ଖିଲାପ ହେଲେ ମାଲିକଙ୍କୁ ଜରିମାନା
Photo by : wiki.wfglobal.org

ରାଉରକେଲା : ରାଜ୍ୟରେ ଚାଲିଥିବା ଉଭୟ ସରକାରୀ ଓ ବେସରକାରୀ ଯାତ୍ରୀବାହୀ ବସ୍‌ ଦିବ୍ୟାଙ୍ଗମାନଙ୍କୁ ନିର୍ଦ୍ଧାରିତ ଭଡ଼ା ରିହାତି ଦେବାକୁ ବାଧ୍ୟ। ଏଥିରେ ଖିଲାପ ହେଲେ ସମ୍ପୃକ୍ତ ବସ୍‌ ମାଲିକଙ୍କୁ ଜରିମାନା କରାଯିବ। ପରିବହନ ସଚିବ ସଞ୍ଜୟ ରାସ୍ତୋଗିଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ ଏଚ୍‌ଆଇଭି/ଏଡ଼୍ସ ଆକ୍ରାନ୍ତ, ସମ୍ପୂର୍ଣ୍ଣ ଦୃଷ୍ଟିହୀନ, ମାନସିକ ଅନଗ୍ରସର, ୫୦%ରୁ ୧୦୦% ଶାରୀରିକ ଭିନ୍ନକ୍ଷମ  ଓ ସମ୍ପୂର୍ଣ୍ଣ ଶ୍ରବଶ ଶକ୍ତିହୀନ ଭିନ୍ନକ୍ଷମଙ୍କୁ ୧୦୦% ଭଡ଼ା ରିହାତି ମିଳିବ। ଏହାଛଡ଼ା ସମ୍ପୂର୍ଣ୍ଣ ଦୃଷ୍ଟି ଶକ୍ତିହୀନ, ମାନସିକ ଅନଗ୍ରସର ଓ ୫୦%ରୁ ୧୦୦% ଶାରୀରିକ ଭିନ୍ନକ୍ଷମଙ୍କ ସହାୟକ ଭାବେ ବସ୍‌ ଯାତ୍ରା କରୁଥିବା ବ୍ୟକ୍ତିଙ୍କୁ ଭଡ଼ାର ୫୦% ରିହାତି ମିଳିବ। ଯେଉଁମାନେ ୪୦%ରୁ ୪୯% ଯାଏ ଶାରୀରିକ ଭିନ୍ନକ୍ଷମ ସେମାନଙ୍କୁ ବସ୍‌ ଭଡ଼ାର ୫୦% ରିହାତି ମିଳିବ। ୧୫ କିଲୋଗ୍ରାମ ଓଜନର ଲଗେଜ୍‌ ପାଇଁ ସେମାନଙ୍କଠାରୁ କୌଣସି ଭଡ଼ା ଅସୁଲ କରାଯିବ ନାହିଁ। ଲଗେଜ୍‌ ଓଜନ ଅଧିକ ହେଲେ ପ୍ରତି ୨୦ କିଲୋଗ୍ରାମ ଅତିରିକ୍ତ ଲଗେଜ୍‌ ପାଇଁ ସେମାନଙ୍କଠାରୁ କିଲୋମିଟର ପିଛା ୭ ପଇସା ହିସାବରେ ଭଡ଼ା ଅସୁଲ କରାଯାଇ ପାରିବ। 
 
ଅନ୍ୟ ପକ୍ଷରେ ଭିନ୍ନକ୍ଷମଙ୍କ ପାଇଁ ଉଦ୍ଦିଷ୍ଟ ଭଡ଼ା ରିହାତି, ସିଟ୍‌ ସଂରକ୍ଷଣ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ବସ୍‌ ଷ୍ଟାଣ୍ଡ ଓ ଅନ୍ୟାନ୍ୟ ପ୍ରମୁଖ ସ୍ଥାନରେ ୫ରୁ ୧୦ଟି ଲେଖାଏଁ ଫ୍ଲେକ୍ସ ବୋର୍ଡ଼ରେ ସ୍ଥାନୀୟ ଆଞ୍ଚଳିକ ପରିବହନ ଅଧିକାରୀ (ଆର୍‌ଟିଓ) ବିଜ୍ଞାପନ ବ୍ୟବସ୍ଥା କରିବେ। ଏ ବାବଦ ଖର୍ଚ୍ଚ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଣ୍ଠିରୁ ଭରଣା କରାଯିବ ବୋଲି ରାଜ୍ୟ ପରିବହନ କମିସନର୍‌ ସମସ୍ତ ଜିଲ୍ଲାପାଳ ଓ ଆର୍‌ଟିଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପରିବହନ କମିସନର୍‌ଙ୍କ ପକ୍ଷରୁ ଜାରି ଅନ୍ୟ ଏକ ନିର୍ଦ୍ଦେଶରେ ତୃତୀୟ ପକ୍ଷ ବୀମା ବାଧ୍ୟତାମୂଳକ ବୋଲି ସ୍ପଷ୍ଟ କରାଯାଇଛି। 
 
ସେ ଦର୍ଶାଇଛନ୍ତି ଯେ ମୋଟର ଯାନ ଆଇନ-୧୯୮୮ ଅନୁଯାୟୀ ଗାଡ଼ି ମାଲିକଙ୍କ ପାଇଁ ତୃତୀୟ ପକ୍ଷ ବୀମା ବାଧ୍ୟତାମୂଳକ। ଏହା କରାଯାଉନଥିବାରୁ ଦୁର୍ଘଟଣାରେ ମୃତାହତ ବ୍ୟକ୍ତି ବୀମା କମ୍ପାନିଙ୍କଠାରୁ କ୍ଷତିପୂରଣ ପାଉ ନାହାନ୍ତି। ତେଣୁ ସଡ଼କ ସୁରକ୍ଷା ପାଇଁ ଗଠିତ ସୁପ୍ରିମ୍‌ କୋର୍ଟ କମିଟି ତୃତୀୟ ପକ୍ଷ ବୀମା ପଞ୍ଜିକରଣ ବ୍ୟବସ୍ଥାରେ କୌଣସି କୋହଳ ହୋଇପାରିବ ନାହିଁ ବୋଲି କହିଛନ୍ତି। ଯାଞ୍ଚ ବେଳେ ଯଦି କୌଣସି ଗାଡ଼ିରେ ତୃତୀୟ ପକ୍ଷ ବୀମା ପଞ୍ଜିକରଣ ପ୍ରମାଣପତ୍ର ନଥିବ ତେବେ  କର୍ତ୍ତୃପକ୍ଷ ତାହାକୁ ଅଟକ ରଖିବେ। ତୃତୀୟ ପକ୍ଷ ବୀମା ପ୍ରମାଣପତ୍ର ନ ଦେଖାିବା ପର୍ଯ୍ୟନ୍ତ ସମ୍ପୃକ୍ତ ଗାଡ଼ିକୁ ଛଡ଼ାଯିବ ନାହିଁ। ଏ ଦିଗରେ ଆର୍‌ଟିଓମାନଙ୍କ ପଦକ୍ଷେପକୁ ଆସନ୍ତା ଫେବ୍ରୁଆରିରେ ସମୀକ୍ଷା କରାଯିବ ବୋଲି ପରିବହନ କମିସନର୍‌ଙ୍କ ନିର୍ଦ୍ଦେଶନାମାରେ କୁହାଯାଇଛି।