28 February 2017
1:36:22 PM
Sambad News
ରାଜ୍ୟ

ବଢ଼ିଲା ମଟର ଯାନ ଫି

By Sambad | Date: Jan 8 2017 5:55AM
ବଢ଼ିଲା ମଟର ଯାନ ଫି
Photo by : royalindia.travel

ରାଉରକେଲା : କେନ୍ଦ୍ରୀୟ ମୋଟର ଯାନ ନିୟମ-୧୯୮୯ର ୨୨ତମ ସଂଶୋଧନ ଅନୁଯାୟୀ ଗାଡ଼ି ଚାଳକ ଓ ମାଲିକଙ୍କଠାରୁ ଏଣିକି ବର୍ଦ୍ଧିତ ଫି ଆଦାୟ କରାଯିବ। ରାଜ୍ୟ ପରିବହନ କମିସନର୍‌ ତଥା ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍‌ଟିଏ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ (ଆର୍‌ଟିଓ)ଙ୍କ ପାଇଁ  ଆଜି ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ଗତ ଡିସେମ୍ବର ୨୯ରେ ଜାରି କରିଥିବା ଗେଜେଟ୍‌ ବିଜ୍ଞପ୍ତି ଅନୁଯାୟୀ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍‌)ର ମୂଳ ପ୍ରକ୍ରିୟାଠାରୁ ଆରମ୍ଭ କରି ଡିଏଲ୍‌ ନବୀକରଣ, ଡିଏଲ୍‌ରେ ଥିବା ମୂଳ ଠିକଣାର ପରିବର୍ତ୍ତନ, ଡ୍ରାଇଭିଂ ତାଲିମ ସ୍କୁଲ ଲାଇସେନ୍ସ ନବୀକରଣ, ଟ୍ରେଡ୍‌ ସାର୍ଟିଫିକେଟ୍‌, ଅଚଳ ଗାଡ଼ିର ରେଜିଷ୍ଟ୍ରେସନ୍‌ ନବୀକରଣ ଆଦି କ୍ଷେତ୍ରରେ ତୁରନ୍ତ ବର୍ଦ୍ଧିତ ଫି ଅସୁଲ କରାଯିବ। ଏଥି ସହ ମୂଲ୍ୟଯୁକ୍ତ ସେବା ପ୍ରଦାନ କ୍ଷେତ୍ରରେ ରାଜ୍ୟ ସରକାର କେନ୍ଦ୍ରୀୟ ବିଜ୍ଞପ୍ତିରେ ଧାର୍ଯ୍ୟ ଫି’ଠାରୁ ଅଧିକ ଅସୁଲ କରିପାରିବେ। 
 
ସଂଶୋଧିତ ନିୟମ ଅନୁଯାୟୀ ଫର୍ମ-୩ରେ ଇସ୍ୟୁ କରାଯାଉଥିବା ଲର୍ଣ୍ଣର ଲାଇସେନ୍ସ ପାଇଁ ୧୫୦ ଟଙ୍କା ଓ  ଚାଳକଙ୍କ ପରୀକ୍ଷା (ଟେଷ୍ଟ୍‍) ପାଇଁ ୫୦ ଟଙ୍କା ଫି’ ଧାର୍ଯ୍ୟ କରାଯାଇଛି। ଅସଫଳ ଚାଳକମାନେ ପରବର୍ତ୍ତୀ ପ୍ରତିଟି ଟେଷ୍ଟ ପାଇଁ ୫୦ ଟଙ୍କା ଲେଖାଏଁ ଫି’ ଦେବେ। ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବଶ୍ୟକ ଗାଡ଼ି ଚାଳନା ପରୀକ୍ଷା  (ଟେଷ୍ଟ୍‍) ଫି ୩୦୦ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ଅସଫଳ ପ୍ରାର୍ଥୀ ପରବର୍ତ୍ତୀ ସମୟରେ ସମ୍ମୁଖୀନ ହେଉଥିବା ପ୍ରତ୍ୟେକ ଟେଷ୍ଟ୍‍ ପାଇଁ ୩୦୦ ଟଙ୍କା ଲେଖାଏଁ ଗଣିବେ। ସଫଳ ପ୍ରାର୍ଥୀ ୨୦୦ ଟଙ୍କା ଫି’ ଦାଖଲ କରି ଡିଏଲ୍‌ ପାଇପାରିବେ। ଅନ୍ତର୍ଜାତୀୟ ଡ୍ରାଇଭିଂ ଅନୁମତି ପାଇଁ ଫି ୧୦୦୦ ଟଙ୍କା। ଯଦି କୌଣସି ଚାଳକ ଏକାଧିକ କିସମର ଗାଡ଼ି ଚାଳନା ପାଇଁ ଲାଇସେନ୍ସ ଚାହିଁବେ, ତେବେ ପ୍ରତ୍ୟେକ ଅତିରିକ୍ତ ଗାଡ଼ି ପାଇଁ ସେମାନଙ୍କୁ ଅଧିକ ୫୦୦ ଟଙ୍କା ଲେଖାଏଁ ଫି ଦେବାକୁ ପଡ଼ିବ। ମିଆଦ ପୂର୍ବରୁ ଡିଏଲ୍‌ ନବୀକରଣ ପାଇଁ ୨୦୦ ଟଙ୍କା ଫି ଧାର୍ଯ୍ୟ ହୋଇଥିଲା ବେଳେ ଯଦି ବିଳମ୍ବ ହୋଇଥାଏ, ତେବେ ପ୍ରତି ବର୍ଷ ପାଇଁ ୧ ହଜାର ଟଙ୍କା ଲେଖାଏଁ ଫି ଅସୁଲ କରାଯିବ। ମୂଳ ଡିଏଲ୍‌ରେ ଥିବା ଠିକଣା ପରିବର୍ତ୍ତନ କରିବାକୁ ଚାହିଁଲେ ଆବେଦନକାରୀ ୨୦୦ ଟଙ୍କା ଫି ଦେବେ। 
 
ବିପଜ୍ଜନକ ସାମଗ୍ରୀ ପରିବହନ ପାଇଁ ଉଦ୍ଦିଷ୍ଟ ଗାଡ଼ିର ଅନୁମତି ନବୀକରଣ ପାଇଁ ୧୦୦ ଟଙ୍କା ଫି ଧାର୍ଯ୍ୟ କରାଯାଇଛି। ଡ୍ରାଇଭିଂ ତାଲିମ ସ୍କୁଲର ଲାଇସେନ୍ସ ନବୀକରଣ ପାଇଁ ଏଣିକି ୧୦ ହଜାର ଟଙ୍କା ଫି ଦାଖଲ କରିବାକୁ ପଡ଼ିବ। ସମ୍ପୃକ୍ତ ଅନୁଷ୍ଠାନ ଯଦି ଡୁପ୍ଲିକେଟ୍‌ ଲାଇସେନ୍ସ ଚାହିଁବେ ତେବେ ୫ ହଜାର ଟଙ୍କା ଦେବକୁ ପଡ଼ିବ। ଲାଇସେନ୍ସ ପ୍ରଦାନକାରୀ ଅଫିସରଙ୍କ ବିରୋଧରେ ଯଦି କେହି ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅପିଲ୍‌ କରନ୍ତି, ସେ କ୍ଷେତ୍ରରେ ୫୦୦ ଟଙ୍କା ଫି ଦାଖଲ କରିବାକୁ ପଡ଼ିବ। ବାଇକ୍‌ ଓ ଭିନ୍ନକ୍ଷମଙ୍କ ପାଇଁ ଉଦ୍ଦିଷ୍ଟ ଗାଡ଼ିର ଟ୍ରେଡ୍‌ ସାର୍ଟିଫିକେଟ୍‌ ବାବଦରେ ଡିଲରଙ୍କଠାରୁ ୫୦୦ ଟଙ୍କା ଓ ଅନ୍ୟାନ୍ୟ ଗାଡ଼ି ବାବଦରେ ସେମାନଙ୍କଠାରୁ ଗାଡ଼ି ପିଛା ୧୦୦୦ ଟଙ୍କା ଲେଖାଏଁ ଫି ଅସୁଲ କରାଯିବ। ଡୁପ୍ଲିକେଟ୍‌ ଟ୍ରେଡ୍‌ ସାର୍ଟିଫିକେଟ୍‌ ବାବଦରେ ବାଇକ ଓ ଭିନ୍ନକ୍ଷମଙ୍କ ଗାଡ଼ି ପାଇଁ ୩୦୦ ଟଙ୍କା ଓ ଅନ୍ୟାନ୍ୟ ଗାଡ଼ି ପାଇଁ ୫୦୦ ଟଙ୍କା ଫି ଧାର୍ଯ୍ୟ କରାଯାଇଛି।
 
ତେବେ ଭିନ୍ନକ୍ଷମଙ୍କ ଗାଡ଼ି ପାଇଁ ରେଜିଷ୍ଟ୍ରେସନ୍‌  କିମ୍ବା ରେଜିଷ୍ଟ୍ରେସନ୍‌ ନବୀକରଣ ଫି ପଡ଼ିବ ନାହିଁ। ମାଲବାହୀ ଗାଡ଼ିର ରେଜିଷ୍ଟ୍ରେସନ୍‌ ନବୀକରଣ ଫି ୧୦୦୦ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ବସ୍‌ ପାଇଁ ୬୦୦ ଟଙ୍କା ଓ ଅଟୋ ଏବଂ କାର୍‌ ପାଇଁ ଏ ବାବଦରେ ୩୦୦ ଟଙ୍କା ଅସୁଲ କରାଯିବ। ମଧ୍ୟମ ଧରଣର ମାଲବାହୀ ଓ ଯାତ୍ରୀବାହୀ ଗାଡ଼ି ସମେତ ଭାରୀ ଯାନ ପାଇଁ ୧୦୦୦ ଟଙ୍କା, ବିଦେଶୀ କାର ପାଇଁ ୫୦୦୦ ଟଙ୍କା, ବିଦେଶୀ ବେଇକ ପାଇଁ ୨୦୦୦ ଟଙ୍କା ରେଜିଷ୍ଟ୍ରେସନ୍‌ ନବୀକରଣ ଫି ପଡ଼ିବ। ଏ କ୍ଷେତ୍ରରେ ସ୍ମାର୍ଟ କାର୍ଡ଼ ପିଛା ଅଧିକ ୨୦୦ ଟଙ୍କା ଲେଖାଏଁ ପଡ଼ିବ। ରେଜିଷ୍ଟ୍ରେସନ୍‌ ନବୀକରଣ ବିଳମ୍ବିତ ହୋଇଥିଲେ ବାଇକ୍‌ ପିଛା ମାସିକ ୩୦୦ ଟଙ୍କା ଓ ଅନ୍ୟାନ୍ୟ ଗାଡ଼ି ପାଇଁ ମାସିକ ୫୦୦ ଟଙ୍କା ଲେଖାଏଁ ଅତିରିକ୍ତ ଫି ଦେବାକୁ ପଡ଼ିବ। 
 
ଗାଡ଼ି କିଣାବିକାରେ ମାଲିକାନା ପରିବର୍ତ୍ତନ ପାଇଁ ରେଜିଷ୍ଟ୍ରେସନ୍‌ ଫି’ର ୫୦% ଦାଖଲ କରିବାକୁ ପଡ଼ିବ। ମାଲିକାନା ପରିବର୍ତ୍ତନ ବିଳମ୍ବିତ ହେଲେ ବାଇକ୍‌ ପାଇଁ ମାସିକ ୩୦୦ ଟଙ୍କା ଓ ଅନ୍ୟାନ୍ୟ ଗାଡ଼ି ପାଇଁ ୫୦୦ ଟଙ୍କା ଲେଖାଏଁ ଗଣିବାକୁ ପଡ଼ିବ। ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ନିମନ୍ତେ ବାଇକ୍‌ ପରୀକ୍ଷା (ମାନୁଆଲ୍‌) ପାଇଁ ୨୦୦ ଟଙ୍କା, ଅଟୋମ୍ୟାଟେଡ୍‌ ୪୦୦ ଟଙ୍କା ଫି ପଡ଼ିବ। ୩ ଚକିଆ ଓ ହାଲୁକା ଯାନର ଦୁଇ ପ୍ରକାରର ଫିଟ୍‌ନେସ୍‌ ପରୀକ୍ଷା  ପାଇଁ ଯଥାକ୍ରମେ ୪୦୦ ଟଙ୍କା ଓ ୬୦୦ ଟଙ୍କା, ଅନ୍ୟାନ୍ୟ ଗାଡ଼ି ପାଇଁ ୬୦୦ ଟଙ୍କା ଓ ୧୦୦୦ ଟଙ୍କା ଫି ଧାର୍ଯ୍ୟ କରାଯାଇଛି। ଧାର୍ଯ୍ୟ ସମୟ ମଧ୍ୟରେ ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ନବୀକରଣ ହୋଇନଥିଲେ ଦିନକୁ ୫୦ ଟଙ୍କା ହିସାବରେ ଅତିରିକ୍ତ ଫି କଷାଯିବ।