24 June 2017
9:13:25 AM
Sambad News
ସୁନ୍ଦରଗଡ଼

ଜରିମାନାରୁ ପୁଲିସ୍‌-ଆଇନଜୀବୀ ମୁହାଁମୁହିଁ : ଏସ୍‌ପିଙ୍କ ବିରୋଧରେ ହେବ ଏତଲା

By Sambad | Date: Jan 8 2017 5:59AM
ଜରିମାନାରୁ ପୁଲିସ୍‌-ଆଇନଜୀବୀ ମୁହାଁମୁହିଁ : ଏସ୍‌ପିଙ୍କ ବିରୋଧରେ ହେବ ଏତଲା

ରାଉରକେଲା : ହେଲ୍‌ମେଟ୍‌ ଯାଞ୍ଚ ନାଁରେ ଟ୍ରାଫିକ୍‌ ପୁଲିସ୍‌ର ଜୁଲୁମ୍‌କୁ କେନ୍ଦ୍ର କରି ଆଜି ଆଇନଜୀବୀ-ପୁଲିସ୍‌ ମୁହାଁମୁହିଁ ହୋଇଛନ୍ତି। ତିନି ଜଣ ବରିଷ୍ଠ ଆଇନଜୀବୀଙ୍କୁ ଟ୍ରାଫିକ୍‌ ପୁଲିସ୍‌ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିବା ସାଂଗକୁ ଗାଡ଼ିରୁ ଚାବି କାଢ଼ି ନେବାରୁ ଏଭଳି ପରିସ୍ଥିତି ଉପୁଜିଛି। ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ଏସ୍‌ପି କାର୍ଯ୍ୟାଳୟ ସାମ୍ନା ଛକରେ ଟ୍ରାଫିକ୍‌ ପୁଲିସ୍‌ ହେଲମେଟ୍‌ ଯାଞ୍ଚରେ ମାତିଥିଲା। ଏହି ସମୟରେ ଆଇନଜୀବୀ ବିକ୍ରମ ସ୍ୱାଇଁ କୋର୍ଟ କାମରେ ନୂଆ କୋର୍ଟରୁ ପୁରୁଣା କୋର୍ଟକୁ ଯାଉଥିବା ସମୟରେ ଟ୍ରାଫିକ୍‌ ପୁଲିସ ତାଙ୍କୁ ଅଟକାଇ ଜରିମାନା ପାଇଁ ବାଧ୍ୟ କରିଥିଲା। ପରିଚୟ ଦେବା ସତ୍ତ୍ୱେ ପୁଲିସ୍‌ ନ ଶୁଣି ଜୋରଜବରଦସ୍ତ ୩ ଶହ ଟଙ୍କା ଜରିମାନା କରିଥିଲା। 
 
ପୁଲିସ୍‌ ମନମାନିକୁ ଅନିଚ୍ଛା ସତ୍ତ୍ୱେ ମାନି ନେଇ ଶ୍ରୀ ସ୍ୱାଇଁ ନିଜ କାମରେ ବାହାରିଯାଇଥିଲେ। ଏହାର କିଛି ସମୟ ପରେ, ଅର୍ଥାତ୍‌ ଦିନ ପ୍ରାୟ ସାଢ଼େ ୧୨ଟାରେ ବରିଷ୍ଠ ଆଇନଜୀବୀ ଗୋବିନ୍ଦ ପ୍ରଧାନ ପୁରୁଣା କୋର୍ଟରୁ ନୂଆ କୋର୍ଟକୁ ଫେରିବା ସମୟରେ ଟ୍ରାଫିକ୍‌ ପୁଲିସ୍‌ ତାଙ୍କୁ ଅଟକାଇଥିଲା। ଶ୍ରୀ ପ୍ରଧାନ ନିଜର ପରିଚୟ ଦେବା ସତ୍ତ୍ୱେ ଯାଞ୍ଚକାରୀ କନଷ୍ଟେବଲ ବାଇକ୍‌ରୁ ଚାବି କାଢ଼ି ନେଇ ପାଟି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଶ୍ରୀ ପ୍ରଧାନ ବିରୋଧ କରିବାରୁ ପୁଲିସ୍‌ ନାଲିଆଖି ଦେଖାଇ ଜରିମାନା ଦେଇ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଚାଲିଯିବାକୁ ଚରମବାଣୀ ଶୁଣାଇଥିଲା। ଜରିମାନା ନ ଦେଲେ କୌଣସି ପରିସ୍ଥିତିରେ ଚକ ଆଗକୁ ଗଡ଼ିବନି ବୋଲି ଧମକ ଦେବାରୁ ଶ୍ରୀ ପ୍ରଧାନ ଏହାର ପ୍ରତିବାଦ କରିଥିଲେ। ବରିଷ୍ଠ ଆଇନଜୀବୀଙ୍କୁ ପୁଲିସ୍‌ର ଦୁର୍ବ୍ୟବହାର ପ୍ରଦର୍ଶନ ଘଟଣା ପ୍ରଚାରିତ ହେବା ପରେ ଓକିଲ ସଂଘ କର୍ମକର୍ତା ଘଟଣାସ୍ଥଳରେ ପହଞ୍ଚି ଏହାର ତୀବ୍ର ନିନ୍ଦା କରିଥିଲେ। 
 
କର୍ମକର୍ତା କହିଥିଲେ, ନିର୍ଦ୍ଦିଷ୍ଟ ଦୁଇ ଜଣ ଆଇନଜୀବୀଙ୍କୁ ନୁହେଁ, ବରଂ ଜଣେ ମହିଳା ଆଇନଜୀବୀଙ୍କୁ ମଧ୍ୟ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଇଛି। ଉକ୍ତ ମହିଳା ଆଇନଜୀବୀଙ୍କ ଗାଡ଼ିରୁ ଚାବି କାଢ଼ି ନେଇ ଜୋର୍‌ଜବରଦସ୍ତ ଜରିମାନା ଆଦାୟ କରାଯାଇଛି। ଜୁଡିସିଆଲ କୋର୍ଟରୁ ଏକ୍‌ଜିକ୍ୟୁଟିଭ୍‌ କୋର୍ଟକୁ ଦୈନିକ ବହୁବାର ଯିବା ଆସିବା ଲାଗି ରହିଥାଏ। ଏଣୁ ପ୍ରତ୍ୟେକ ଥର ହେଲମେଟ୍‌ ପିନ୍ଧି ଯିବା ଆସିବା କରିବା ଅସମ୍ଭବ। ଏହାକୁ ଦୃଷ୍ଟିରେ ରଖି ଏହି ଅଂଚଳରେ ଆଇନଜୀବୀମାନଙ୍କୁ ଯାଞ୍ଚ ପ୍ରକ୍ରିୟାରୁ ବାଦ୍‌ ଦେବାକୁ ପୂର୍ବରୁ ଅନେକବାର ଦୃଷ୍ଟି ଆକର୍ଷଣ କରାଯାଇଛି। ଏହି ଅଂଚଳ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଆଇନଜୀବୀମାନେ ହେଲମେଟ୍‌ ବ୍ୟବହାର କରୁନଥିଲେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତାବ ଦିଆଯାଇଥିଲା। ମାତ୍ର ଏହାକୁ ଆଜି ଖୋଲା ଉଲ୍ଲଂଘନ କରାଯାଇଛି। ଜଣେ ବରିଷ୍ଠ ଓକିଲ ପରିଚୟ ଦେବା ସତ୍ତ୍ୱେ ଦୁର୍ବ୍ୟବହାର ପ୍ରଦର୍ଶନ କରିବା, ଦୀର୍ଘ ସମୟ ଧରି ଛିଡ଼ା କରି ଧମକଚମକ ଦେବା ନିନ୍ଦନୀୟ। ଯଦି ଜଣେ ବ୍ୟକ୍ତି ପ୍ରଥମଥର ନିୟମ ଭଙ୍ଗ କରୁଛନ୍ତି, ତା’ହେଲେ ତାଙ୍କୁ ନିୟମାନୁଯାୟୀ ଶହେ ଟଙ୍କା ଜରିମାନା କରିବା କଥା। ମାତ୍ର ଶହେ ଟଙ୍କା ବଦଳରେ ୩ ଶହ ଟଙ୍କା ଜରିମାନା କରିବା ଆଇନର ଉଲ୍ଲଂଘନ ବୋଲି କର୍ମକର୍ତାମାନେ ଯୁକ୍ତି ବାଢିିଥିଲେ। 
 
ଏସ୍‌ପି ଘଟଣାସ୍ଥଳକୁ ଆସି ବରିଷ୍ଠ ଆଇନଜୀବୀଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସେମାନେ ଦାବି କରିଥିଲେ। ମାତ୍ର ଏସ୍‌ପି ଘଟଣାସ୍ଥଳରେ ନ ପହଞ୍ଚିବାରୁ ଆଇନଜୀବୀ ରାସ୍ତାରୋକ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମାମଲା ଉଗ୍ର ରୂପ ନେଉଥିବା ଜାଣି ଏସ୍‌ପି ଅନିରୁଦ୍ଧ ସିଂହ ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା ଆରମ୍ଭ କରିଥିଲେ। ଜରିମାନା ଅର୍ଥ ଫେରାଇବା ସହ ଉପଯୁକ୍ତ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେବା ପରେ ମାମଲା ଶାନ୍ତ ପଡ଼ିଥିଲା। ମାମଲାକୁ କିନ୍ତୁ ଓକିଲ ସଂଘ ଗୁରୁତର ସହ ନେଇଛି। ଆସନ୍ତା ସୋମବାର ଦିନ ପୁଲିସ୍‌ ମୁଖ୍ୟଙ୍କ ବିରୋଧରେ କୋର୍ଟରେ ଏତଲା ଦିଆଯିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି।
 
ସୂଚନାଯୋଗ୍ୟ, ଗତ ୨୦୧୧ ଏପ୍ରିଲ ୨ ତାରିଖରେ ରାଉରକେଲାରେ ପୁଲିସ୍‌-ଓକିଲ ସଂଘ ମୁହାଁମୁହିଁ ଘଟଣା ସମଗ୍ର ରାଜ୍ୟରେ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିଲା । ଏପ୍ରିଲ ୯ ତାରିଖ ରାତି ପ୍ରାୟ ୧୨ଟାରେ ଜେଏମଏଫ୍‌ସି ଅରୁଣ ପଟ୍ଟନାୟକ ଉଦିତନଗର ସ୍ଥିତ ତାଙ୍କ ବାସଭବନ ସମ୍ମୁଖରେ ଫୋନ୍‌ରେ କଥା ହେଉଥିବା ସମୟରେ ତତ୍କାଳୀନ ଉଦିତନଗର ଥାନାର ଭାରପ୍ରାପ୍ତ ଇନସ୍ପେକ୍ଟର ସଦାନନ୍ଦ ପୂଜାରୀ ଜେଏମ୍‌ଏଫ୍‌ସିଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ଶାରୀରିକ ନିର୍ଯାତନା ଦେଇଥିଲେ। ପରିଚୟ ଦେବା ସତ୍ତ୍ୱେ ପୁଲିସ୍‌ ଅତ୍ୟାଚାର କମ୍‌ କରିନଥିଲା। ଏମିତିକି ତାଙ୍କୁ ଥାନାକୁ ନେଇ ଦୀର୍ଘ ସମୟ ଧରି ବସାଇ ରଖିଥିଲେ। ଘଟଣା ବିଷୟରେ ଜଣାପଡ଼ିବା ପରେ ଜଣେ ସରକାରୀ ଓକିଲ ଥାନାକୁ ଯାଇ ପୁଣି ଥରେ ପରିଚୟ ଦେବାରୁ ପୁଲିସ୍‌ ଶେଷରେ ଶ୍ରୀ ପଟ୍ଟନାୟକଙ୍କୁ ଛାଡ଼ି ଦେଇଥିଲା।
 
ଏହା ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ଦାବି କରି ରାଉରକେଲା ଓକିଲ ସଂଘ ବିକ୍ଷୋଭ, ରାସ୍ତାରୋକ୍‌ କରିବା ସତ୍ତ୍ୱେ ତତ୍କାଳୀନ ଏସ୍‌ପି ଦୀପ୍ତେଶ ପଟ୍ଟନାୟକ ନିରବ ରହିବାରୁ ମାମଲା ଉଗ୍ର ରୂପ ନେଇଥିଲା। ହାଇକୋର୍ଟ ଓକିଲ ସଂଘ ସମେତ ସବୁ ସଂଘ ଏହାକୁ ସମର୍ଥନ କରିବାରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ହୋଇଥିଲା। ଫଳରେ ମାସାଧିକ କାଳ କୋର୍ଟ କଚେରି କାମ ବନ୍ଦ ରହିଥିଲା। ଶେଷରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ଏସ୍‌ପିଙ୍କୁ ତୁରନ୍ତ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦେବା ସହ ଥାନାଧିକାରୀଙ୍କୁ ନିଲମ୍ବିତ କରିଥିଲେ। ସେ ସମୟରେ ଓକିଲ ସଂଘର ଐକ୍ୟବଦ୍ଧ ଲଢ଼େଇ ଯୋଗୁଁ ମାମଲା ଯେଭଳି ରୂପ ଧାରଣ କରିଥିଲା, ଏଥର ମଧ୍ୟ ତା’ର ପୁନରାବୃତ୍ତି ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ।