20 July 2017
6:08:34 PM
image
Sambad News
ସୁନ୍ଦରଗଡ଼

ମାରଣାସ୍ତ୍ର ଦେଖାଇ ୬ଟି ଟ୍ରକ୍‌ରୁ ୧୫ ହଜାର ଲୁଟ୍‌ : ଆକ୍ରମଣରେ ଜଣେ ଚାଳକ ଗୁରୁତର

By Sambad | Date: Jan 8 2017 10:43PM
ମାରଣାସ୍ତ୍ର ଦେଖାଇ ୬ଟି ଟ୍ରକ୍‌ରୁ ୧୫ ହଜାର ଲୁଟ୍‌ : ଆକ୍ରମଣରେ ଜଣେ ଚାଳକ ଗୁରୁତର

ଲାଠିକଟା : ଆଜି ଭୋର୍‌ ପ୍ରାୟ ୪ଟାରେ ୮ ଜଣ ସଶସ୍ତ୍ର ଡକାୟତ ୧୪୩ ନମ୍ବର ଜାତୀୟ ରାଜପଥର ଚମ୍ପାଝରଣ ନିକଟରେ ୬ଟି ଟ୍ରକ୍‌ରୁ ଲୁଟ୍‌ କରିଛନ୍ତି। ସେମାନେ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇବା ସହ ମୋଟ୍‌ ୧୫ ହଜାର ୯୦ ଟଙ୍କା ଲୁଟି ନେଇଛନ୍ତି। ଡକାୟତଙ୍କ ଆକ୍ରମଣରେ ଜଣେ ଟ୍ରକ୍‌ ଚାଳକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।
 
ସୂଚନା ଅନୁଯାୟୀ, ଲହୁଣିପଡ଼ା ଆଡୁ ଆସୁଥିବା ୬ଟି ଟ୍ରକ୍‌କୁ ଚମ୍ପାଝରଣ ନିକଟରେ ଡକାୟତମାନେ ଅଟକାଇଥିଲେ। ସେମାନେ ଟ୍ରକ୍‌ ଚାଳକମାନଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ। ପ୍ରଥମେ ୧୦ ଚକିଆ ଟ୍ରକ୍‌ (ଓଆର ୧୪ଏନ୍‌ ୭୦୮୨)ର ଚାଳକ ବିମଳେଶ ରାଏଙ୍କୁ ଭୁଜାଲିରେ ଆକ୍ରମଣ କରିବାରୁ ସେ ଗୁରୁତର ଅବସ୍ଥାରେ ଲହୁଣିପଡ଼ା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଡକାୟତମାନେ ବିମଳେଶଙ୍କଠାରୁ ୬୫୦୦ ଟଙ୍କା ଓ ଦୁଇଟି ମୋବାଇଲ୍‌ ଲୁଟି ନେଇଛନ୍ତି। 
 
ଏଥିସହ ଓଡି ୦୯ବି ୪୨୯୬ ଟ୍ରକ୍‌ରୁ ୩୫୦୦ ଟଙ୍କା ଓ ଦୁଇଟି ମୋବାଇଲ୍‌, ଓଡି ୦୯ସି ୨୯୭୯ ଟ୍ରକ୍‌ରୁ ୩ ହଜାର ଟଙ୍କା ଓ ମୋବାଇଲ୍‌, ଓଡି ୦୯ସି ୨୮୭୯ ଟ୍ରକ୍‌ରୁ ଦୁଇ ହଜାର ଟଙ୍କା ଓ ମୋବାଇଲ୍‌, ଓଆର ୦୪ଏଲ୍‌୭୪୪୧ ଟ୍ରକ୍‌ରୁ କିଛି ଟଙ୍କା ଓ ମୋବାଇଲ୍‌, ଓଆର୍‌ ୦୪ଏମ୍‌ ୪୩୧୯ ଟ୍ରକ୍‌ରୁ ଟଙ୍କା ଓ ମୋବାଇଲ୍‌ ଲୁଟି ନେଇଥିବା ଜଣାପଡ଼ିଛି। ଭୟଭୀତ ଟ୍ରକ୍‌ ଚାଳକ ଓ ହେଲ୍‌ପରଙ୍କ ମଧ୍ୟରୁ ଗଙ୍ଗାରାମ ମୁର୍ମୁ, ଗୋପାଳ ପାତ୍ର, ପ୍ରଶାନ୍ତ ପାତ୍ର, ମାଙ୍ଗୁ ମୁଣ୍ଡା, ସନ୍ତୋଷ ପ୍ରଧାନ, ତିଲକ ସିଂହ, ବିନୋଦ ସିଂହ ପ୍ରମୁଖ ଟ୍ରକ୍‌ ନେଇ ଲାଠିକଟା ଥାନା ସମ୍ମୁଖରେ ରଖି ପୁଲିସକୁ ଜଣାଇଥିଲେ। ସେମାନେ ଘଟଣା ସମ୍ପର୍କରେ ଆଜି ସକାଳେ ଚାନ୍ଦିପୋଷ ଥାନାରେ ଏତଲା ଦେଇଛନ୍ତି। ଥାନାଧିକାରୀ ଘଟଣାର ତଦନ୍ତ କରୁଛନ୍ତି। ତେବେ ସନ୍ଧ୍ୟା ସୁଦ୍ଧା କେହି ଗିରଫ ହୋଇ ନାହାନ୍ତି।