18 January 2017
7:27:08 PM
Sambad News
ସୁନ୍ଦରଗଡ଼

ବେଦାନ୍ତକୁ ନୋଟିସ୍‌

By Sambad | Date: Jan 8 2017 11:22PM
ବେଦାନ୍ତକୁ ନୋଟିସ୍‌

ରାଉରକେଲା : ସର୍ତ୍ତ ପୂରଣ କରିନଥିବାରୁ ଝାରସୁଗୁଡ଼ାସ୍ଥିତ ମେସର୍ସ ବେଦାନ୍ତ ଲିଃ’ର କାର୍ଯ୍ୟକ୍ଷମ ପାଇଁ ସମ୍ମତି (କନ୍‌ସେଣ୍ଟ୍‌ ଟୁ ଅପରେଟ୍‌) ବା ସିଟିଓ କାହିଁକି ପ୍ରତ୍ୟାହାର କରାନଯିବ, ସେ ସଂକ୍ରାନ୍ତରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି। ଆସନ୍ତା ୧୫ ଦିନ ମଧ୍ୟରେ ସନ୍ତୋଷଜନକ ଉତ୍ତର ନମିଳିଲେ, ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୋର୍ଡ଼ର ବରିଷ୍ଠ ପରିବେଶ ଯନ୍ତ୍ରୀ କମ୍ପାନି ନିର୍ଦ୍ଦେଶକଙ୍କୁ ସତର୍କ କରାଇଛନ୍ତି। 

 
ଉଲ୍ଲେଖଯୋଗ୍ୟ, ବାର୍ଷିକ ୧୦ ଲକ୍ଷ ୫୦ ହଜାର ଟନ୍‌ ଆଲୁମିନିୟମ ଉତ୍ପାଦନ  କ୍ଷମତାର ସ୍ମେଲଟର୍‌ ପ୍ଲାଣ୍ଟ ଓ ୧୨୧୫ ମେଗାଓ୍ଵାଟ୍‌ କ୍ଷମତାର ତାପଜ ବିଦ୍ୟୁତ ପ୍ଲାଣ୍ଟ ପାଇଁ ବେଦାନ୍ତକୁ ୨୦୧୭ ମାର୍ଚ୍ଚ ୩୧ ତାରିଖ ଯାଏ ସିଟିଓ ମଞ୍ଜୁର ହୋଇଥିଲା। ତେବେ ଏଥିପାଇଁ ମୁଖ୍ୟତଃ ୪ଟି ପ୍ରାକ୍‌ ସର୍ତ୍ତ ଧାର୍ଯ୍ୟ କରିଥିଲା ବୋର୍ଡ଼।  ସେଗୁଡ଼ିକ ହେଲା-(୧) କାରଖାନାରୁ ବାହାରୁ ଥିବା ଫ୍ଲାଏ ଆସ୍‌ର ୧୦୦% ଉପଯୋଗ, (୨) କାରଖାନାର ସ୍ୱିରେଜ୍‌  ପରିଚାଳନା ପ୍ଲାଣ୍ଟ (ଏସ୍‌ଓିପି)ର କ୍ଷମତା ବୃଦ୍ଧି, (୩) ୨୦୧୬ ସେପ୍ଟେମ୍ବର ୧୮ ସୁଦ୍ଧା ବିଷାକ୍ତ ଫ୍ଲୋରାଇଡ୍‌ ପ୍ରଭାବ ରୋକିବା ପାଇଁ ରିଜର୍ଭ ଅସ୍‌ମୋସିସ୍‌ (ଆର୍‌ଓ) କାର୍ଯ୍ୟକ୍ଷମ ଓ (୪) ପଟ୍‌ ରୁମ୍‌ରୁ ନିର୍ଗତ ବିଷାକ୍ତ ଫ୍ଲୋରାଇଡ୍‌ ଗ୍ୟାସର ମାତ୍ର ଏବଂ ଏହାର ପ୍ରତିକାର ନିମନ୍ତେ ଆମେରିକା ପରିବେଶ ସୁରକ୍ଷା ସଂସ୍ଥା (ୟୁଏସ୍‌ଇପିଏ) ଦ୍ୱାରା ଆବିଷ୍କୃତ ଅତ୍ୟାଧୁନିକ ଳେସର୍‌ କୌଶଳ କାର୍ଯ୍ୟକାରୀ। ତେବେ ବେଦାନ୍ତ ଉପରୋକ୍ତ ୪ଟି ସର୍ତ୍ତ ମଧ୍ୟରୁ ଗୋଟିଏ ହେଲେ ପୂରଣ ନକରି କେବଳ ମିଆଦ ବୃଦ୍ଧି ନିମନ୍ତେ ଆବେଦନ କରିଚାଲିଛି। କମ୍ପାନିର ଏଭଳି ଅନୁରୋଧକୁ ବୋର୍ଡ଼ ମଧ୍ୟ ଖାରଜ କରିଛି।