26 June 2017
4:03:42 AM
Sambad News
ସୁନ୍ଦରଗଡ଼

ଅବକାରୀ ଚଢ଼ାଉ ବେଳେ ଗ୍ରାମବାସୀଙ୍କ ଆକ୍ରମଣ : ୩ ଅଭିଯୁକ୍ତଙ୍କୁ ଛଡ଼ାଇ ନେଲେ

୫ ଅବକାରୀ ପୁଲିସ ଆହତ, ଟେକା ପଥର ମାଡ଼ ଗାଡ଼ି କାଚ ଭାଙ୍ଗିଲା

By Sambad | Date: Jan 12 2017 6:30AM
ଅବକାରୀ ଚଢ଼ାଉ ବେଳେ ଗ୍ରାମବାସୀଙ୍କ ଆକ୍ରମଣ : ୩ ଅଭିଯୁକ୍ତଙ୍କୁ ଛଡ଼ାଇ ନେଲେ

ଲହୁଣିପଡ଼ା : ବେଆଇନ ଭାବେ ମହୁଲ ପୋଚ ପ୍ରସ୍ତୁତ କରୁଥିବା ୩ ଅଭିଯୁକ୍ତଙ୍କୁ ଅବକାରୀ ବିଭାଗ ଗିରଫ କରି ନେଉଥିବା ବେଳେ ପରାଗପୋଷ ଗାଁର କିଛି ଲୋକ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୫ ଅବକାରୀ ପୁଲିସ ଆହତ ହୋଇଛନ୍ତି। ଆହତ ଅବକାରୀ ବିଭାଗ ଅଧିକାରୀ ହେଉଛନ୍ତି ଉଗ୍ରସେନ ବେହେରା, ସୁରଭି ସିଂ, ଅଶୋକ କଲସେର, ବସନ୍ତ ମିଶ୍ର ଓ ଦୋଳଗୋବିନ୍ଦ ପଣ୍ଡା।

 
କଲେଇପୋଷ ପଞ୍ଚାୟତ ପରାଗପୋଷ ଓ ରଘୁଆପୋଷ ଗାଁରେ ମହୁଲ ପୋଚ ପ୍ରସ୍ତୁତ ହେଉଥିବା ଖବର ପାଇ ବଣାଇଁ ଅବକାରୀ ବିଭାଗ ଓ ଲହୁଣିପଡ଼ା ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା। ବଣାଇଁ ଅବକାରୀ ଇନ୍ସପେକ୍ଟର ପଦୁ ବରିହା ଓ ଲହୁଣିପଡ଼ା ସବ୍‌ଇନ୍ସପେକ୍ଟର ଦୋଳଗୋବିନ୍ଦ ପଣ୍ଡାଙ୍କ ନେତୃତ୍ୱରେ  ୧୭ ଜଣିଆ ଟିମ୍‌ ଚଢ଼ଉରେ ସାମିଲ ହୋଇଥିଲେ। ସେମାନେ ପରାଗପୋଷ ଗ୍ରାମର ପାର୍ବତୀ ଭୂମିଜ, ନନ୍ଦିନୀ ଭୂମିଜ ଓ ଶିବଶଙ୍କର ଭୂମିଜଙ୍କୁ ଗିରଫ କରି ଏକ ବଲେରୋରେ ନେଉଥିଲେ। ଏହି ୩ ଅଭିଯୁକ୍ତଙ୍କୁ ବଲେରୋ ଭିତରୁ ଛଡ଼ାଇ ଆଣିବାକୁ ଯାଇ କିଛି ଲୋକ ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ କରି ଥିଲେ। ଫଳରେ ୫ ଜଣ ଅବକାରୀ ପୁଲିସ ଆହତ ହୋଇଛନ୍ତି। ଏଥିସହ ସେମାନେ ଟେକା ପଥର ମାଡ଼ କରି ଗାଡ଼ିର କାଚ ଭାଙ୍ଗି ଦେଇଥିଲେ। ଆକ୍ରମଣ ଘଟଣାରେ ଅଭିଯୁକ୍ତ କାନ୍ଦୁରୁ ଓରାମ, ରଞ୍ଜନ ଓରାମ, ରସି ଓରାମ ଓ ଗୋରା ଓରାମ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଧରିବାକୁ ପୁଲିସ ପକ୍ଷରୁ ଚଢ଼ଉ ଜାରି ରହିଛି।