20 July 2017
6:10:20 PM
image
Sambad News
ସୁନ୍ଦରଗଡ଼

ଚିଠା ଅଭିଭାଷଣରେ ଦୁର୍ବଳତା ଜଳଜଳ

By Sambad | Date: Jan 12 2017 6:53AM
ଚିଠା ଅଭିଭାଷଣରେ ଦୁର୍ବଳତା ଜଳଜଳ
Photo by : archive.dhakatribune.com

ରାଉରକେଲା : ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ଅଧିକ ୧୦ ଲକ୍ଷ ହେକ୍ଟର ଜମିକୁ ଜଳସେଚିତ କରିବା ପାଇଁ ୫ ବର୍ଷିଆ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର। ୨୦୧୪-୧୫ ଓ ୨୦୧୫-୧୬ ଆର୍ଥିକ ବର୍ଷରେ ୨ ଲକ୍ଷ ୯୪ ହଜାର ହେକ୍ଟର ଅତିରିକ୍ତ ସେଚ କ୍ଷମତା ସୃଷ୍ଟି କରାଯାଇଥିଲା। ଚଳିତ ଆର୍ଥିକ ବର୍ଷରେ ଆଉ ୨ ଲକ୍ଷ ୫୭ ହେକ୍ଟର ଜମିକୁ ଜଳସେଚିତ କରିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଗତ ଡିସେମ୍ବର ସୁଦ୍ଧା ୭୬ ହଜାର ୮୦୦ ହେକ୍ଟର ଜମି ସେଚ ଭୁକ୍ତ ହୋଇଥିବା ସରକାର ଦାବି କରୁଛନ୍ତି। ଯଦି ସରକାରଙ୍କ ଦାବିକୁ ସତ ବୋଲି ଧରି ନିଆଯାଏ, ତେବେ ଗତ ୩ ବର୍ଷ ମଧ୍ୟରେ ଅତିରିକ୍ତ ସେଚ କ୍ଷମତା ହାସଲର ପରିମାଣ ୩ ଲକ୍ଷ ୭୦ ହଜାର ୮୦୦ ହେକ୍ଟର। ଅର୍ଥାତ ସରକାରଙ୍କ ବାର୍ଷିକ ସେଚ କ୍ଷମତା ବୃଦ୍ଧି ହାର ୧.୨୪ ଲକ୍ଷ ହେକ୍ଟରରୁ କମ୍‌। 
 
ତେଣୁ ଆଗାମୀ ଦୁଇ ବର୍ଷ ମଧ୍ୟରେ ଅବଶିଷ୍ଟ ୬ ଲକ୍ଷ ୩୦ ହଜାର ହେକ୍ଟର ଜମିକୁ ସେଚଭୁକ୍ତ କରିବା ଦିଗରେ ସରକାର ବାହାଦୂର ଯେ ସକ୍ଷମ ହେବେ, ତାହା କ୍ୱଚିତ ବିଶ୍ୱାସଯୋଗ୍ୟ। ନୂଆ ବର୍ଷର ପ୍ରଥମ ବିଧାନସଭା ଅଧିବେଶନରେ ରାଜ୍ୟପାଳଙ୍କ ମୁହଁରେ ନିଜ ପାରିବା ପଣିଆ ବଖାଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧୀନସ୍ଥ ଜଳ ସମ୍ପଦ ବିଭାଗ ପ୍ରସ୍ତୁତ କରିଥିବା ଚିଠା ଅଭିଭାଷଣରୁ ଏଭଳି ଦୁର୍ବଳତା ଜଳ ଜଳ ଦିଶୁଛି। ଅପର ପକ୍ଷରେ ଚିଠା ଅଭିଭାଷଣରେ ମହାନଦୀ ବିବାଦରେ ସ୍ୱଳ୍ପ ଝଲକ ସ୍ୱରୂପ ସରକାର ଟ୍ରିବ୍ୟୁନାଲ ଗଠନ ଦାବିରେ ସୁପ୍ରିମ୍‌ କୋର୍ଟ ଯାଇଥିବା ଉଲ୍ଲେଖ କରାଯାଇଛି। 
 
ପ୍ରସ୍ତୁତ ଚିଠା ଅଭିଭାଷଣରେ ଦର୍ଶାଯାଇଛି ଆସନ୍ତା ଆର୍ଥିକ ବର୍ଷ (୨୦୧୭-୧୮)ରେ ସମସ୍ତ ସୂତ୍ରରୁ ଆଉ ୨ ଲକ୍ଷ ୯୫ ହଜାର ୪୦୦ ହେକ୍ଟର ଜମିକୁ ଜଳସେଚିତ କରିବା ପାଇଁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ସେଥିରେ ବୃହତ ଓ ମଧ୍ୟମ ସେଚ ପ୍ରକଳ୍ପ ଜରିଆରେ ୩୯,୦୮୬ ହେକ୍ଟର, କ୍ଷୁଦ୍ର ସେଚ ଯୋଜନାରେ ୧୦,୮୦୦ ହେକ୍ଟର, କ୍ଷୁଦ୍ର ଉଠା ଜଳସେଚନ ଦ୍ୱାରା ୧୮,୦୫୫୪ ହେକ୍ଟର ଓ ପଞ୍ଚାୟତ ନିର୍ବାଚନ ବିଜ୍ଞପ୍ତିର କିଛି ଦିନ ପୂର୍ବରୁ ଘୋଷିତ ‘ପାର୍ବତୀ ଗିରି ମେଗା ଉଠା ଜଳସେଚନ ପ୍ରକଳ୍ପ ଜରିଆରେ ୬୫ ହଜାର ହେକ୍ଟର ଅନ୍ତର୍ଭୁକ୍ତ। ସଦ୍ୟ ଘୋଷିତ ପାର୍ବତୀ ଗିରି ମେଗା ଉଠା ଜଳସେଚନ  ଯୋଜନାରେ ୨୦୧୯ ସୁଦ୍ଧା ୧୭୫ଟି ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ଥିବା ବେଳେ ଆଗାମୀ ଆର୍ଥିକ ବର୍ଷରେ ସେଥିରୁ ୫୪ଟି ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଚାଷ ଜମି ପରିମାଣ ୬୧ ଲକ୍ଷ ୮୦ ହଜାର ହେକ୍ଟର। 
 
ସରକାରୀ ପରିସଂଖ୍ୟାନ ଅନୁଯାୟୀ ୩୬ ଲକ୍ଷ ୪୭ ହଜାର ହେକ୍ଟର ଜମି ସେଚ ଭୁକ୍ତ। ୧୯୮ଟି ମରୁଡ଼ିପ୍ରବଣ ବ୍ଲକରେ ୩୫% ଜମିକୁ ଜଳସେଚିତ କରିବା ପାଇଁ ୨୦୦୦ ମସିହା ନିର୍ବାଚନ ଇସ୍ତାହାରରେ ନବୀନ ପ୍ରତିଶ୍ରୁତି ଦେଇଥିଲେ। ଏ ପର୍ଯ୍ୟନ୍ତ ୯୯ଟି ବ୍ଲକରେ ସେହି ଲକ୍ଷ୍ୟ ହାସଲ ହୋଇଥିବା ସରକାର ଦାବି କରିଛନ୍ତି।