‘ହଣ୍ତା ମୋ’ ଯାଉଛି ଫାଟି’

ଭାଗୀରଥି ମହାସୁଆର

ଅପପ୍ରଚାର ଓ ମିଥ୍ୟା ଗଳ୍ପ ସ˚ଯୋଜନା ମୂଳରୁ ଧର୍ମର ମହତ୍ତ୍ବ କ୍ଷୁଣ୍ଣ କରି ଆସିଛି ଏବ˚ ଧର୍ମକୁ ବର୍ତ୍ତମାନ ଧର୍ମଛଡ଼ାମାନଙ୍କର କୌତୁକ ଖେଳନାରେ ପରିଣତ କରିଛି। ସବୁଠୁ ବିପଜ୍ଜନକ କଥା ହେଲା ନୂତନ ପିଢ଼ି ଏହି କୌତୁକ ତର୍କ ଦ୍ବାରା ପ୍ରଭାବିତ ହୋଇ କ୍ରମେ ଧର୍ମ ଓ ଆଧୢାତ୍ମରୁ ଦୂରବର୍ତ୍ତୀ ହେଉଛନ୍ତି। ଭବିଷ୍ୟତ ପୃଥିବୀ ଏକ ଧର୍ମଛଡ଼ା ଗ୍ରହରେ ପରିଣତ ହେବ। ଆମ ମତରେ ଏହା ଏକ ଏପରି ମଣିଷ ସମାଜରେ ପରିଣତ ହେବ, ଯାହାକୁ ଅନ୍ୟ ପ୍ରାଣୀଙ୍କ ଠାରୁ ଭିନ୍ନ ସାବ୍ୟସ୍ତ କରିହେବ ନାହିଁ। ହୁଏତ ଏହା ହିଁ ପ୍ରଳୟ। ଏହାର ଅର୍ଥ ଏପରି ଏକ ପରିବର୍ତ୍ତନ ହେବ, ଯହିଁରେ ପୂର୍ବ ସ୍ଥିତିର ଚିହ୍ନବର୍ଣ୍ଣ ରହିବ ନାହିଁ।

ପରିସ୍ଥିତିକୁ ବୁଝାଇବା ପାଇଁ ଆମେ ବୈଦିକ ସଭ୍ୟତା ଓ ସମକାଳୀନ ଅନ୍ୟ ସଭ୍ୟତା ଉପରେ ଦୃଷ୍ଟି ପକାଇବା। ସେ ସମୟର ଲିଖିତ ବିବରଣୀ ନାହିଁ ଏବ˚ ତାକୁ ଦୋହନ କରାଯାଇଥାଏ ପରବର୍ତ୍ତୀ ଲିଖିତ ସାହିତ୍ୟମାନଙ୍କର କର୍ଷଣରୁ। ଦେଶ କାଳ ପାତ୍ରର ବିଭେଦ ନ ରଖି ମୋଟାମୋଟି ଦେଖିଲେ ସେତେବେଳେ ମଣିଷ ସର୍ବତ୍ର ସ୍ବୀକାରବାଦୀ ଓ ଅସ୍ତିବାଦୀ ଥିଲେ। ଉଦାହରଣ ସ୍ବରୂପ ପ୍ରକୃତି ଯେପରି ଅଛି ସେପରି ଥାଉ। ତାକୁ ତର୍ଜମା ନ କରି ସୁରକ୍ଷିତ ରଖି ଆଦର (ପୂଜା) କରାଯାଉ। ଜୀବନ ଯେମିତି ଅଛି, ସେମିତି ରହୁ ଓ ଚାଲି ଯିବାଟାକୁ ସହଜରେ ଗ୍ରହଣ କରାଯାଉ। ଦୁଃଖ, ଦାରିଦ୍ର୍ୟ, ରୋଗ ଶୋକ ଓ ମୃତ୍ୟୁକୁ ସ୍ବାଭାବିକ ଭାବେ କୌଣସି ଅସୂୟା ମନରେ ନ ରଖି ତୁଲାଇ ନିଆଯାଉ। ସବୁ ଈଶ୍ବରଙ୍କ ଉପରେ ଭରସା ରଖି ସହନ କରାଯାଉ ଏବ˚ ମଣିଷକୁ ଅମୃତର ସନ୍ତାନ ବୋଲି ସ୍ବୀକାର କରାଯାଉ। ଏହା ହୋଇଥିଲା। ତା ପରେ ପ୍ରଥମ ଉନ୍ନତି ହେଲା ଅନୁଭବ, ତର୍କସିଦ୍ଧ ଜ୍ଞାନ ଓ ସାହିତ୍ୟ ଦ୍ବାରା। ଧର୍ମର ଧାରଣା ଆସିଲା ଅନେକ ପରେ ଏବ˚ ଧର୍ମରେ ଗୋଷ୍ଠୀ ଚେତନା ଆସିବାରୁ ବହୁତ କିଛି ସେଥିରେ ପ୍ରବେଶ କଲା, ଯାହା ଭିନ୍ନ ଭିନ୍ନ ରୂପରେଖ ନେଲା। ଜ୍ଞାନର ପାର୍ଥକ୍ୟ ଗୋଷ୍ଠୀ ସ˚ଖ୍ୟା ଓ ଧର୍ମ ସ˚ଖ୍ୟା ବୃଦ୍ଧି କଲା। କିନ୍ତୁ ସେ ସବୁର ନାମକରଣ କେହି କରି ନ ଥିଲେ କିମ୍ବା କାହାକୁ ‘ଅସ୍ତିବାଦ’ ଛାଡ଼ି ନ ଥିଲା। ଯଦି ଧର୍ମ/ଗୋଷ୍ଠୀମାନଙ୍କ ମଧୢରେ ନେତିବାଚକ ଚେତନା ପ୍ରବିଷ୍ଟ ହୋଇନଥାନ୍ତା, ତେବେ ପୃଥିବୀର ମଣିଷ ସମାଜ ଭିନ୍ନ ରୂପରେ ଗଢ଼ି ଉଠିଥା’ନ୍ତା।

ନେତିବାଚକ ଚେତନା ପ୍ରଥମେ ପ୍ରବେଶ କଲା ଗୌତମ ବୁଦ୍ଧଙ୍କ ଆନୁକୂଲ୍ୟରେ। ସେ ସା˚ସାରିକ ଜୀବନର ସ୍ବାଭାବିକ କଷ୍ଟଗୁଡ଼ିକୁ ଭୟ କଲେ। ରୋଗୀର ରୋଗ, ଭିକାରିର ଦାରିଦ୍ର୍ୟକୁ ଭୟ କଲେ। ଜରାବସ୍ଥାକୁ ସ୍ବାଭାବିକ ମନେ କଲେ ନାହିଁ। ମୃତ୍ୟୁକୁ ମଧୢ ଭୟ କଲେ। ଅଥଚ ସେତେବେଳକୁ ବୈଦିକମାନେ ମୃତ୍ୟୁକୁ ଘଟ ପରିବର୍ତ୍ତନ ବୋଲି ସକାରାତ୍ମକ ଭାବରେ ଗ୍ରହଣ କରି ସାରିଥିଲେ। ତାଙ୍କର ଏହି ନବ୍ୟ ନକାରାତ୍ମକ ଚେତନାରୁ ଜାତ ହେଲା, ‘କାମନା ହିଁ ଦୁଃଖର କାରଣ, କାମନାର ବିନାଶରେ ଦୁଃଖର ବିନାଶ’। ବୁଦ୍ଧଦେବ ନିଜକୁ ଆଦୌ ପଚାରି ନ ଥିଲେ ମଣିଷ କାହିଁକି ଜନ୍ମ ହୋଇଛି ବୋଲି। ମଣିଷ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ପରିପାଳନ ପାଇଁ, ନିର୍ଦ୍ଦିଷ୍ଟ ଦାୟିତ୍ବ ନିର୍ବାହ ପାଇଁ, ନିର୍ଦ୍ଦିଷ୍ଟ ଉତ୍ତରଦାୟିତ୍ବ ପାଇଁ, ଏସବୁ ନିମନ୍ତେ କଷ୍ଟବରଣ ପାଇଁ ଏବ˚ ଭୂମିକା ନିର୍ବାହ ପରେ ବିଦାୟ ନେବା ପାଇଁ ଜନ୍ମ ନେଇଛି- ଏହି ଅସ୍ତିବାଚକ, ଚିନ୍ତାପ୍ରସୂତ ଓ ବାସ୍ତବ ସତ୍ୟକୁ ସ୍ବାଭାବିକ ମାନି ନେବାକୁ ଯେଉଁ ବୈଦିକ ଚେତନା ଥିଲା, ତା’ ଠାରୁ ବୁଦ୍ଧଚେତନା ଯେ ଉନ୍ନତ ଥିଲା, ସେମିତି କହିହେବନାହିଁ। ତେବେ, ଯେ କୌଣସି ନୂଆଚେତନା ହଠାତ୍‌ ଲୋକପ୍ରିୟ ହେବା ପରି ଏହା ଖୁବ୍‌ ଶୀଘ୍ର ପରିବ୍ୟାପ୍ତ ହୋଇଗଲା।

ଏତେ ସବୁ ନେତିବାଚକ ଜ୍ଞାନର ବିସ୍ତାର ପାଇଁ ଗୌତମ ଗୃହତ୍ୟାଗୀ ହେଲେ। ଏହି କାର୍ଯ୍ୟ ମାଧୢମରେ ସେ ସାବ୍ୟସ୍ତ କଲେ ଯେ ମଣିଷ ଜନ୍ମ ଉଦ୍ଦେଶ୍ୟହୀନ, ତା’ର ସ˚ସାରରେ କୌଣସି ଦାୟିତ୍ବ ନାହିଁ। ସ˚କ୍ଷେପରେ ମଣିଷ ଅମୃତର ସନ୍ତାନ ନୁହେଁ। ସେ ଅହି˚ସାର କଥା କହିଲେ। କିନ୍ତୁ, ଦୁଃଖକୁ ଡରି ଗୃହତ୍ୟାଗୀ ହେବା, ଭିକାରିକୁ ଦେଖି ଜୀବନକୁ ଡରିବା; ଅଥଚ କୌଣସି ଉତ୍ପାଦନ ଓ ସୃଜନଶୀଳ କାମ ନ କରି ଭିକ୍ଷାଶ୍ରୟୀ ହେବା ନିଜ ପ୍ରତି ହି˚ସାଚାରଣ ନୁହେଁ କି?

ବୌଦ୍ଧଧର୍ମ ଖୁବ୍‌ ଶୀଘ୍ର ବ୍ୟାବହାରିକତା ହରାଇଲା। ଏଥିପାଇଁ ଅନେକ ଗବେଷକ ଅନେକ କାରଣ ଦେଇଛନ୍ତି। କେତେକ ନିର୍ଦ୍ଦିଷ୍ଟ ଭାବେ ବୈଦିକ ଧର୍ମର ବ୍ରାହ୍ମଣବାଦକୁ ଦୋଷ ଦେଇଛନ୍ତି। ଏହା କିନ୍ତୁ ଏକପାଖିଆ। ଏହା ହୋଇଥିବ ଯେ କ୍ରମେ ବୌଦ୍ଧିକ ବିକାଶ ପରେ ପରପିଢ଼ି ଅନୁଭବ କରିଥିବେ ଯେ, ଆମେ ଦୁଃଖରୁ ରକ୍ଷା ପାଇଁ ଯେଉଁ ବୌଦ୍ଧଧର୍ମକୁ ଆସିଥିଲୁ, ତାହା ସ୍ବାଭାବିକ ସରଳ ମଣିଷକୁ ଦୁଃଖ ଡାକି ଆଣିବା ପାଇଁ ବାଟ ବତାଉଛି। ଏହା ପରେ ଯାହା ହେବାର ହୋଇଥିବ। ଆମ ମତରେ ମଣିଷର ସଭ୍ୟତା ଅସ୍ତିବାଦ ଉପରେ ପ୍ରତିଷ୍ଠିତ ଓ ବିକଶିତ ହୋଇଥିବା ସ୍ଥଳେ, ନେତିବାଦ କେତେଦିନ ତାକୁ ମାଡ଼ି ବସି ରଖି ପାରିଥା’ନ୍ତା?

ଅଧିକ ଦୁଃଖର କଥା, ବର୍ତ୍ତମାନ ବୁଦ୍ଧଙ୍କୁ ଯେଭଳି ଭାବେ ବୌଦ୍ଧେତର ମାନେ ପ୍ରଚାରଧର୍ମୀ ବ୍ୟବହାର କରୁଛନ୍ତି। ବର୍ତ୍ତମାନ ପ୍ରଚାର ପ୍ରବଚନ ସର୍ବସ୍ବ ଧର୍ମକ୍ଲବମାନେ ନିଜ ନିଜ ସ˚ଘମୁଖ୍ୟଙ୍କୁ ପ୍ରୋଢ଼ି ଦେବା ପାଇଁ ଅନେକ ମିଥ୍ୟା ଗଳ୍ପ ରଚନା କରୁଛନ୍ତି ଏବ˚ ଏଥିରେ ବୁଦ୍ଧଦେବଙ୍କ ନାମ ବ୍ୟବହାର କରୁଛନ୍ତି। ଉପରୋକ୍ତ ଅପବ୍ୟବହାରର ଗୋଟିଏ ଉଦାହରଣ ଉଲ୍ଲେଖ କରି ଲେଖାକୁ ଶେଷ କରିବା।

ଏକ ପ୍ରବଚନବାଦୀ ଧର୍ମଗୋଷ୍ଠୀ ଅଛି, ଯେ ହିନ୍ଦୁ ପ୍ରକରଣ ଓ ଲୋକାଚାରରୁ ଦୂରକୁ ଯାଇ ମଧୢ ନିଜକୁ ହିନ୍ଦୁ ବୋଲି ଦାବି କରେ। ତା’ର ପ୍ରଚାରଧର୍ମୀ ପତ୍ରିକା ମଧୢ ରହିଛି। ସେଥିରେ ଯାହା କିଛି ଲେଖାଯାଏ, ତାହା ପୂର୍ବରୁ ଅନ୍ୟତ୍ର ଉଲ୍ଲେଖ ଅଛି। ଏହା ଧର୍ମରାଜ୍ୟରେ ଏକ ଅମେରୁଦଣ୍ତୀ ଉପଗ୍ରହ। ସେହି ପତ୍ରିକାରେ ଗଳ୍ପଟିଏ ଲେଖାଅଛି ଏହିଭଳି। ‘‘ଥରେ ଗୌତମବୁଦ୍ଧ ରାଜପଥ ଛାଡ଼ି କଣ୍ଟକିତ ପାଦଚଲା ରାସ୍ତାରେ ଯାଉଥିଲେ। ଏହା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହେଲେ। ସେମାନଙ୍କ ପ୍ରଶ୍ନର ଉତ୍ତରରେ ବୁଦ୍ଧ ଉତ୍ତର ଦେଲେ ଯେ, ଜୀବନରୂପୀ ଏ ପାଦଚଲା ରାସ୍ତାରେ ସୁଖ-ଦୁଃଖ ଉଭୟ ଭୋଗ କରିବାକୁ ପଡ଼ିଥାଏ। ସୁଖରେ ଅଧିକ ଆସକ୍ତି ରଖିଲେ ଓ ଦୁଃଖରେ ଅଧିକ ଉଦ୍‌ବିଗ୍ନ ହେଲେ ଜୀବନଯାତ୍ରା କେବଳ କଠିନ ହିଁ ନୁହେଁ, ଦୁଷ୍କର ବି ହୋଇଯାଏ। ଏପରି ସ୍ଥିତିରେ ରହି ଜୀବନରେ ଦୁଃଖର ଅଭ୍ୟାସ କରିନେବା ଆବଶ୍ୟକ। କାରଣ ସୁଖଦୁଃଖରେ ସମଭାବ ରଖିବା ଦ୍ବାରା ଜୀବନ ଯାତ୍ରା ସୁଗମ ହୋଇଥାଏ। ତେଣୁ କରି ସେ ନିଜେ ସୁଖର ରାଜପଥ ଛାଡ଼ି ଦୁଃଖର ଏକ କଣ୍ଟକିତ ପାଦଚଲା ରାସ୍ତାରେ ଚାଲୁଛନ୍ତି।’’

କିନ୍ତୁ ଏହା ବୁଦ୍ଧ ଚେତନାର କଥା ନୁହେଁ। ଏହା ସମ୍ପୂର୍ଣ୍ଣ ଭାବେ ବୈଦିକ ଚେତନାର ନକଲ। ଏଭଳି ଗଳ୍ପ ପ୍ରଚାରକାରୀଙ୍କର ଲକ୍ଷ ଲକ୍ଷ ଭବ୍ୟ ଶିଷ୍ୟ ଅଛନ୍ତି। ସେମାନେ କିଛି ବୁଝନ୍ତି ନାହିଁ। ନ ବୁଝିବା ଲୋକଙ୍କ ହାତରେ ଧର୍ମ ଠିକ୍‌ ବିଲେଇ ହାତରେ ଶୁଖୁଆପୋଡ଼ା ପରି। ଏହା ଚିନ୍ତା କରି ଯେଉଁ ପ୍ରତିକ୍ରିୟା ଆସୁଛି, ସେଥିପାଇଁ ଚନ୍ଦନ ହଜୁରୀଙ୍କ ଭାଷାରେ ଜଗନ୍ନାଥଙ୍କୁ ଧିକ୍କାରିବାକୁ ଇଚ୍ଛା ହେଉଛି-
‘ଧଣ୍ତାମାଳବୁହା ଦୁର୍ଦ୍ଦଶା ରାହୁ,
ଚଣ୍ତାଳ ଗ୍ରାସୁଅଛି ଚାହୁଁ ଚାହୁଁ
ଭଣ୍ତାରେ ଖଣ୍ତା ନ ଥିଲା ମଣିମା,
ଗଣ୍ତାକର ଦିଶୁନାହିଁ ବଡ଼ିମା ହେ’
ହଣ୍ତା ମୋ ଯାଉଛି ଫାଟି ହେ
ହଣ୍ତା ମୋ ଯାଉଛି ଫାଟି।

ପଦ୍ମାବତୀ, ପ୍ଲ.ନ˚ ୫୦/୧୫-ବି
ଯମେଶ୍ବରପାଟଣା, ଭୁବନେଶ୍ବର-୨
ମୋ-୭୭୩୫୫୦୭୯୫୧

ସମ୍ବନ୍ଧିତ ଖବର