ଆମ ବଣ୍ଟାବଣ୍ଟି ଯୋଜନା

ଆମରି କଥା - ଶ୍ରୀ ନାରାୟଣ ମିଶ୍ର

ଏବେ ଦିଲ୍ଲୀର କେଜରିଵାଲ୍‌ ସରକାର ଦୁଇଶ’ ୟୁନିଟ୍‌ ବିଦ୍ୟୁତ ଉପଭୋକ୍ତାଙ୍କୁ ବିଜୁଳି ବିଲ୍‌ ମାଗଣା ଏବ˚ ଦୁଇଶ’ରୁ ଚାରିଶ’ ପର୍ଯ୍ୟନ୍ତ ବିଲକୁ ଶତକଡ଼ା ପଚାଶ ଛାଡ଼ ବୋଲି ଘୋଷଣା କରିଛନ୍ତି। ୟା’ ପୂର୍ବରୁ ପାଣି ବ୍ୟବହାରକୁ ମାଗଣା ବୋଲି ସରକାରୀ ଘୋଷଣା ହୋଇସାରିଛି। ତାମିଲନାଡ଼ୁ ସରକାର ଗରିବଙ୍କ ଝିଅ ବିବାହରେ ଦେଢ଼ ଭରିରୁ ଦୁଇଭରି ସୁନା (ଗହଣା) ଦେବାକୁ ବହୁ ପୂର୍ବରୁ ଘୋଷଣା କରିସାରିଛନ୍ତି ଏବ˚ ପ୍ରାୟ ସମସ୍ତ ବି.ପି.ଏଲ୍‌ ପରିବାରକୁ ଗ୍ୟାସ୍‌ ଷ୍ଟୋଭ୍‌, ଗ୍ରାଇଣ୍ତର, ଫ୍ୟାନ୍‌ ଇତ୍ୟାଦି ବାଣ୍ଟି ଚାଲିଛନ୍ତି। ଆମ ରାଜ୍ୟ ସରକାର ସମସ୍ତ ସ୍କୁଲ ପିଲାଙ୍କୁ ଜୋତା ଦେବାକୁ ଘୋଷଣା କରି ସାରିଲେଣି। ପିଲାମାନେ ବାପା, ମା’ଙ୍କ ସଙ୍ଗେ କାମ ଧନ୍ଦାକୁ ନ ଯାଇ ସ୍କୁଲ ଆସିବାକୁ ଆଗ୍ରହ ପ୍ରକାଶ କରିବା ପାଇଁ ସ୍କୁଲରେ ମଧୢାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି। ରାଜ୍ୟବାସୀଙ୍କ ପାଇଁ ଆମ ସରକାର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନାରେ ସରକାରୀ ସାହାଯ୍ୟର ବ୍ୟବସ୍ଥା କରିଛନ୍ତି। କେନ୍ଦ୍ର ସରକାର ମଧୢ ଚାଷୀମାନଙ୍କୁ ବାର୍ଷିକ ଛଅ ହଜାର ଟଙ୍କା ଦେବା ପାଇଁ ଘୋଷଣା କରିଛନ୍ତି।

ବର୍ତ୍ତମାନ ଏସବୁ ବଣ୍ଟାବଣ୍ଟି ଯୋଜନା କଥା ଭାବିଲେ ମନରେ ଦୁଇଟି କଥା ଆସୁଛି। ପ୍ରଥମତଃ ଏ ଟଙ୍କା କଦାପି ନେତାଙ୍କର ନୁହେଁ, ଏହା ଟିକସ ମାଧୢମରେ ‌ଦେଶବାସଙ୍କ ଠାରୁ ଆଦାୟ ହେଉଥିବା ଟଙ୍କା। ଏ ଟଙ୍କା ଲୋକହିତକର କାର୍ଯ୍ୟ ଯଥା ରାସ୍ତାଘାଟ, ପାନୀୟ ଜଳ ଓ ବିଦ୍ୟୁତ ଯୋଗାଣ, ସ୍ବାସ୍ଥ୍ୟ, ଶିକ୍ଷା ଇତ୍ୟାଦିରେ ଖର୍ଚ୍ଚ ହେବା କଥା। କିନ୍ତୁ ଯେ କୌଣସି ଲୋକ ହିତକର କାର୍ଯ୍ୟ ପାଇଁ ଯୋଜନା ହେବା ମାତ୍ରେ ଉପରୁ ତଳ ପର୍ଯ୍ୟନ୍ତ ଅଧିକାରୀ ଓ କର୍ମଚାରୀମାନେ ସେମାନଙ୍କ ଭାଗ କାଟି ରଖିବା ପରେ ଅବଶିଷ୍ଟ ଟଙ୍କାରେ କାର୍ଯ୍ୟ ହେଉଛି। ଫଳସ୍ବରୂପ ରାସ୍ତାଟି ବର୍ଷକରେ ଖାଲ ଢ଼ିପରେ ପରିଣତ ହେଉଛି, ଓଭରବ୍ରିଜ୍‌ ଭାଙ୍ଗି ପଡ଼ୁଛି, ସରକାରୀ ଡାକ୍ତରଖାନାରେ ଅଚଳ ମେସିନ୍‌ ଯୋଗୁ ଲୋକେ ପ୍ରାଇଭେଟ୍‌ ଡାକ୍ତରଖାନାକୁ ଯାଇ ଜମିବାଡ଼ି ବିକ୍ରି କରି ସର୍ବସ୍ବାନ୍ତ ହେଉଛନ୍ତି।

ଦ୍ବିତୀୟ କଥା ହେଲା, ଏ ବଣ୍ଟାବଣ୍ଟି ଯୋଜନାରେ ପ୍ରକୃତରେ ସ୍କୁଲ ପିଲା ବା ଚାଷୀ ଉପକୃତ ହେଉଛନ୍ତି ନା ମଧୢସ୍ଥି ଓ ବାଣ୍ଟିବା ଦାୟିତ୍ବରେ ଥିବା ଅଧିକାରୀ ମାଲାମାଲ୍‌ ହେଉଛନ୍ତି! ସର୍ବୋଚ୍ଚ ଅଦାଲତ ମାଧୢହ୍ନଭୋଜନ ଚାଲୁ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଏଣେ ଯେଉଁ ସ୍କୁଲକୁ ପ୍ରତିଦିନ କୋଡ଼ିଏ ପଚିଶ ପିଲା ଆସୁଛନ୍ତି, ସେଠାରେ ପଚାଶ ଷାଠିଏ ପିଲାଙ୍କ ଉପସ୍ଥାନ ଦେଖାଇ ସ୍କୁଲ ଶିକ୍ଷକ ଓ କର୍ମଚାରୀ ଟଙ୍କା ଖାଇ ଦେଉଥିବାର ଅଭିଯୋଗ ହେଉଛି! ଅବସ୍ଥା ଏପରି ହେଲାଣି ଯେ ବନ୍ୟା, ବତ୍ୟା ବା ମରୁଡ଼ି ଭଳି ବିପର୍ଯ୍ୟୟକୁ ମନେ ମନେ ଆବାହନ କରାଯାଉଛି, କାରଣ ଏ ସବୁ ହେଲେ ପି. ସାଇନାଥ ତାଙ୍କ ବହିରେ ଲେଖିଥିବା ଭଳି ସମସ୍ତେ ଖୁସି। ପୀଡ଼ିତମାନେ ମାଗଣା ରିଲିଫ୍ ପାଇ ଖୁସି ତ ବାବୁମାନେ ବାଟମାରଣା କରି ଖୁସି।

ଏଇଥିପାଇଁ ବୋଧହୁଏ ଗୋଟିଏ କାଳ୍ପନିକ ଗଳ୍ପର ଅବତାରଣା କରାଯାଇଛି। ଗଳ୍ପଟି ଏହା ଯେ ଥରେ ଜଣେ ଆମେରିକୀୟ, ଜଣେଜାପାନୀ ଓ ଜଣେ ଭାରତୀୟ ଭଗବାନଙ୍କୁ ସମାନ ପ୍ରଶ୍ନଟିଏ ପଚାରିଲେ- ‘‘ ଆମ ଦେଶରୁ ଦୁର୍ନୀତି କେବେ ଦୂର ହେବ?’’ ଜାପାନୀ ଜଣଙ୍କୁ ଭଗବାନ କହିଲେ ପ୍ରାୟ ତିରିଶ ବର୍ଷ ପରେ ଏବ˚ ଆମେରିକୀୟଙ୍କୁ କହିଲେ ତୁମ ନାତିର ନାତି ହେବା ବେଳକୁ ତୁମ ଦେଶରୁ ଦୁର୍ନୀତି ଦୂର ହୋଇଯିବ। ଯେତେବେଳେ ଭାରତୀୟ ଜଣକ ଭଗବାନଙ୍କୁ ପଚାରିଲେ- ଆଜ୍ଞା, ଆମ ଦେଶରୁ କେବେ ଦୁର୍ନୀତି ଦୂର ହେବ? ଭଗବାନଙ୍କ ଆଖିରେ ଲୁହ ଆସିଗଲା ଏବ˚ ସେ ଲୁହ ପୋଛି କହିଲେ- ‘‘ମୋ ଜୀବଦଶା ଭିତରେ ନୁହେଁ!’’

ଏବେ ଆସନ୍ତୁ ଏ ବଣ୍ଟାବଣ୍ଟି ଟଙ୍କାର ଉତ୍ସ ବିଷୟରେ ଜାଣିବା। ଦରମା ମାସକୁ ଥରେ ମିଳିବ କିନ୍ତୁ ଏଥିରୁ ଆମେ ଅନେକ ଥର ଟ୍ୟାକ୍ସ ଦେବୁ। ତିରିଶ ଦିନ କାମ କଲା ପରେ ଦରମା ମିଳିଲା, ସେଥିରୁ ଇନ୍‌କମ୍‌ ଟ୍ୟାକ୍ସ କଟି ଯାଇଥିଲା। ତା’ପରେ ମୋବାଇଲ କିଣିଲି ଟ୍ୟାକ୍ସ ଦେଲି, ତାକୁ ରିଚାର୍ଜ‌୍ କଲି ଟ୍ୟାକ୍ସ ଦେଲି, ବିଜୁଳି ବିଲ୍‌, ପାଣି ବିଲ, ଘର କିଣା ଏବ˚ ଘରର ସମସ୍ତ ତିଆରି ଉପକରଣ ଉପରେ ଟ୍ୟାକ୍ସ ଦେଲି। ଫ୍ରିଜ୍‌, କାର‌୍‌, ପେଟ୍ରୋଲ ଏପରିକି କାର ସର୍ଭିସି˚ରେ ବି ଟ୍ୟାକ୍ସ ଦେଲି। ଗାଡ଼ି ପାର୍କି˚ କଲି ଟ୍ୟାକ୍ସ ଦେଲି। ହୋଟେଲରେ ଜଳଖିଆ ବା ମିଲ୍‌ ଖାଇଲି ଟ୍ୟାକ୍ସ ଦେଲି। ରାସନ୍‌, କପଡ଼ା, ଜୋତା ଯାହା କିଣିଲି ଟ୍ୟାକ୍ସ ଦେଲି। ଔଷଧ କିଣିଲି, ଶୌଚାଳୟ ଗଲି, ରାସ୍ତାରେ ଚାଲିଲି ସବୁଥିରେ ଟ୍ୟାକ୍ସ ଦେଲି। ଖାଲି ମୁଁ ନୁହେଁ, ସମସ୍ତେ ଏପରି କି ଦେଶର ଦରିଦ୍ରତମ ଲୋକ ଦିଆସିଲିଟିଏ କିଣିଲେ ବି ଟ୍ୟାକ୍ସ ଦେଲା। ଏମିତି ଅନେକ ପ୍ରକାରର ଟ୍ୟାକ୍ସରେ ଲୋକଙ୍କ ଆୟରୁ ଅନେକ ଅଂଶ ସରକାର ନେଇ ଏ ସବୁ ଯୋଜନା କରି ଯୋଗ୍ୟ ଅଯୋଗ୍ୟଙ୍କୁ ବାଣ୍ଟୁଛନ୍ତି।

କିନ୍ତୁ ଏ ବଣ୍ଟନ ଅପାତ୍ରରେ ଦାନ ଭଳି ହେଉଛି କି?- ସେ ବାବଦରେ ସରକାର ଥରେ ହେଲେ ଚିନ୍ତା କରୁଛନ୍ତି କି?

ଗୁରୁକୃପା, ୪୯/୬୦୦,
ଲକ୍ଷ୍ମୀବିହାର, ଭୁବନେଶ୍ବର
[email protected]

ସମ୍ବନ୍ଧିତ ଖବର