ଧାରା ୩୭୦ ଉଚ୍ଛେଦର ନ୍ୟାୟିକ ଦିଗ

ସରଳ କୁମାର ଦାସ

ଧାରା ୩୭୦କୁ ଉଚ୍ଛେଦ କରି କଶ୍ମୀରକୁ ଦୁଇ ଭାଗରେ ବିଭକ୍ତ କରାଯାଇ ଦୁଇଟି କେନ୍ଦ୍ର ଶାସିତ ଅ˚ଚଳ କରି ଦିଆଯିବାକୁ ଅନେକେ ଆଇନ ଓ ସାମ୍ବିଧାନିକ ବିଧି ବ୍ୟବସ୍ଥାର ଉଲ୍ଲ˚ଘନ ବୋଲି କହିଛନ୍ତି। ଇତି ମଧ୍ୟରେ ଏହା ବିରୋଧରେ ନେସନାଲ କନଫରେନ୍‌ସ ଦଳ ସମେତ ଏକାଧିକ ବ୍ୟକ୍ତିବିଶେଷ ସୁପ୍ରିମ କୋର୍ଟରେ ଭିନ୍ନ ଭିନ୍ନ ମାମଲା ରୁଜୁ କରି ସାରିଲେଣି। ଧାରାଟିର ଉଚ୍ଛେଦ ପ୍ରକ୍ରିୟା ଉପରେ ନ୍ୟାୟିକ ଦିଗରୁ ଆଇନଜ୍ଞଙ୍କ ମଧ୍ୟରେ ମତୈକ୍ୟ ନ ଥିବା ବେଳେ ରାମ ଜେଠମାଲାନୀ, ଏ ଜି ନୁରାନୀ, ହରିଶ ସାଲଭେଙ୍କ ଭଳି ବିଶିଷ୍ଟ ଆଇନଜ୍ଞମାନେ ଏହାର ସାମ୍ବିଧାନିକ ବୈଧତା ଉପରେ ପ୍ରଶ୍ନ ଉଠାଇ ସାରିଲେଣି।

ଭାରତରେ ମିଶ୍ରଣ ସମୟରେ ଗଡ଼ଜାତ ରାଜ୍ୟଗୁଡିକୁୁ ଭାରତୀୟ ସମ୍ବିଧାନ ପ୍ରଣୟନ ସଭାକୁ ନିଜ ପ୍ରତିନିଧି ପଠାଇବା ପାଇଁ ଅନୁରୋଧ କରାଯିବା ସହିତ ସେମାନେ ଚାହିଁଲେ ନିଜସ୍ବ ସମ୍ବିଧାନ ପ୍ରଣୟନ କରିବା ପାଇଁ ସମ୍ବିଧାନ ସଭା ଗଠନ କରି ପାରିବେ ବୋଲି କୁହା ଯାଇଥିଲା। ଏପରିକି ମହୀଶୂର, ଟ୍ରାଭାଙ୍କୋର-କୋଚିନ ଓ ସୌରାଷ୍ଟ୍ର ୟୁନିଅନ ଭଳି ରାଜ୍ୟଗୁଡିକ ସମ୍ବିଧାନ ସଭା ଗଠନ ମଧୢ କରିଥିଲେ। ହେଲେ ଶେଷରେ ସବୁ ଗଡ଼ଜାତ ରାଜ୍ୟ ଭାରତୀୟ ସମ୍ବିଧାନକୁ ଗ୍ରହଣ କରିନେଇଥିଲେ। କେବଳ କଶ୍ମୀର ରାଜ୍ୟ ‘ପରିଗ୍ରହଣ ଚୁକ୍ତିନାମା’ (ଇନଷ୍ଟ୍ରୁମେ˚ଟ୍‌ ଅଫ ଆକସେସନ)କୁ ଠିକ ଭାବେ କାର୍ଯ୍ୟକାରୀ କରାଇବା ପାଇଁ ଜମ୍ମୁ-କଶ୍ମୀର ସମ୍ବିଧାନ ସଭା ଜରିଆରେ ଏକ ନିଜସ୍ବ ସମ୍ବିଧାନ ତିଆରି କରିଥିଲା। ବହୁ ବିତର୍କ ପରେ ଭାରତୀୟ ସ˚ବିଧାନ ସଭାରେ ପରିଗ୍ରହଣ ସର୍ତ୍ତ ଅନୁଯାୟୀ ଜମ୍ମୁ-କଶ୍ମୀରକୁ ଏକ ବିଶେଷ ରାଜ୍ୟର ମାନ୍ୟତା ପ୍ରଦାନ କରିବା ପାଇଁ ଆପୋସ ସହମତି କ୍ରମେ ଭାରତୀୟ ସମ୍ବିଧାନରେ ଧାରା ୩୭୦କୁ ସ୍ଥାନ ଦିଆଯାଇଥିଲା। ତେବେ, ସେହି ଧାରାକୁ ବ୍ୟବହାର କରି ୧୯୫୦, ୧୯୫୨ ଓ ୧୯୫୪ ମସିହାରେ ରାଷ୍ଟ୍ରପତିଙ୍କ ଆଦେଶ ବଳରେ ସମ୍ବିଧାନର ବିଭିନ୍ନ ଧାରା ଜମ୍ମୁ-କଶ୍ମୀର ରାଜ୍ୟ ପ୍ରତି ଲାଗୁ କରାଯାଇଛି ବା ତହିଁରୁ ବାଦ ରଖାଯାଇଛି। ତା’ ପରେ ୧୯୯୪ ସୁଦ୍ଧା ରାଷ୍ଟ୍ରପତିଙ୍କ ଆଦେଶ ବଳରେ ୪୭ଥର ଧାରା ୩୭୦ରେ ସ˚ଶୋଧନ କରାଯାଇଛି। ଏଗୁଡିକ ମଧ୍ୟରୁ ଅଧିକା˚ଶ ରାଜ୍ୟ ସରକାରଙ୍କ ସହମତି କ୍ରମେ ହୋଇଛି। କେବଳ କେତୋଟି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ରହିଥିବା ଅବସ୍ଥାରେ କରାଯାଇଥିଲା। ଏକ ଟିପ୍ପଣୀରେ ଏହି ଧାରାଟି ଏକ ସାମୟିକ ଧାରା ବୋଲି ଉଲ୍ଲେଖ ରହିଥିବାରୁ ଦୀର୍ଘ କାଳ ଧରି ଏହାକୁ ଉଚ୍ଛେଦ କରିବା ପାଇଁ ଦାବି ହୋଇ ଆସୁଥିଲା।

ଧାରା ୩୭୦ର ଉପଧାରା ୩ ଅନୁଯାୟୀ ରାଷ୍ଟ୍ରପତି ଏହି ଧାରାକୁ ଉଚ୍ଛେଦ କରିପାରିବେ। ତେବେ ଏଥିପାଇଁ ଜମ୍ମୁ-କଶ୍ମୀର ସମ୍ବିଧାନ ସଭାର ସୁପାରିସ ଆବଶ୍ୟକ। ଉଲ୍ଲେଖଯୋଗ୍ୟ, ସମ୍ବିଧାନ ପ୍ରଣୟନ ପରେ ୧୯୫୭ ମସିହାରେ ଜମ୍ମୁ-କଶ୍ମୀର ସମ୍ବିଧାନ ସଭାକୁ ଭାଙ୍ଗି ଦିଆ ଯାଇଥିଲା। ସମ୍ବିଧାନ ବିଶାରଦ ଏ ଜି ନୁରାନୀଙ୍କ ମତରେ ଏହି ଧାରାର ଉଚ୍ଛେଦ ପାଇଁ ସାମ୍ବିଧାନିକ ବିଧି ବ୍ୟବସ୍ଥା ବ୍ୟତିରେକ ରାଷ୍ଟ୍ରପତି ବା ରାଜ୍ୟ ସରକାର ଚାହିଁଲେ ଏକତରଫା ଭାବେ ତାକୁ ଉଚ୍ଛେଦ କରି ପାରିବେ ନାହିଁ।

ଧାରା ୩୭୦ ‘ସାମୟିକ’ କି ନୁହେଁ, ସେ ନେଇ ସୁପ୍ରିମ କୋର୍ଟଙ୍କ ଅନେକ ରାୟ ମଧ୍ୟରୁ ୨୦୧୬ ମସିହାରେ ‘ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ତିଆ ବନାମ ସନ୍ତୋଷ ଗୁପ୍ତା’ ମାମଲାରେ ପ୍ରଦାନ କରିଥିବା ରାୟ ପ୍ରଣିଧାନଯୋଗ୍ୟ। ଏ ପ୍ରସଙ୍ଗରେ ସୁପ୍ରିମ କୋର୍ଟ ଅନ୍ୟ ଏକ ସାମୟିକ ଧାରା ୩୬୯ର ଉଦାହରଣ ଦେଇ ଉଲ୍ଲେଖ କରିଛନ୍ତି ଯେ ସେହି ଧାରାଟି କେବଳ ୫ ବର୍ଷ ଯାଏଁ ବଳବତ୍ତର ରହିବ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ ହୋଇଥିବାରୁ ସେହି ସମୟ ଅତିକ୍ରାନ୍ତ ହେଲା ପରେ ଧାରାଟି ଆପଣା ଛାଏଁ ସମ୍ବିଧାନରୁ ଅପସରି ଯାଇଥିଲା। ଅର୍ଥାତ ସାମୟିକ ଉଲ୍ଲେଖ ହୋଇଥିବା ଧାରାଗୁଡିକ କ୍ଷେତ୍ରରେ ପ୍ରାୟତଃ ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ ହୋଇଥାଏ। ଧାରା ୩୭୦ ଲାଗି ସେମିତି ସମୟ ସୀମା ଧାର୍ଯ୍ୟ ହୋଇନଥିଲା। ଅପର ପକ୍ଷରେ ଏହି ଧାରାର ଉପଧାରା ୩ରେ କୁହାଯାଇଛି ଯେ ଜମ୍ମୁ-କଶ୍ମୀର ସମ୍ବିଧାନ ସଭାର ସୁପାରିସରେ ଏହାକୁ କେବଳ ରାଷ୍ଟ୍ରପତି ଉଚ୍ଛେଦ କରି ପାରିବେ। କିନ୍ତୁ ଏହି ଧାରା ପ୍ରଣୀତ ହେବା ପରେ ଜମ୍ମୁ-କଶ୍ମୀର ସମ୍ବିଧାନ ସଭା ଜାନୁଆରି ୨୬, ୧୯୫୭ରେ ନିଜ ଅସ୍ତିତ୍ବ ହରାଇଲା। ତାହା ଥିବା ପର୍ଯ୍ୟନ୍ତ ଯେ କୌଣସି ମୁହୂର୍ତ୍ତରେ ସମ୍ବିଧାନ ସଭାର ସୁପାରିସ କ୍ରମେ ଏହି ଧାରା ଉଚ୍ଛେଦ ହେବାର ସମ୍ଭାବନା ଥିବାରୁ ସେତେ ଦିନ ଯାଏଁ ଏହା ‘ସାମୟିକ’ ଥିଲା। ଜମ୍ମୁ କଶ୍ମୀର ସମ୍ବିଧାନ ସଭା ଭଙ୍ଗ ହେବା ପରେ କ’ଣ କରାଯିବ ସେ ବାବଦରେ ସମ୍ବିଧାନରେ ସ୍ପଷ୍ଟ ଭାବେ କିଛି ଉଲ୍ଲେଖ କରାଯାଇନାହିଁ। ତେବେ ଯେହେତୁ ଜମ୍ମୁ କଶ୍ମୀର ସମ୍ବିଧାନ ସଭାର ସୁପାରିସର ଆଉ କୌଣସି ସୁଯୋଗ ନାହିଁ, ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ମଧୢ ତାର ବଳ ହରାଇଲା ଓ ଧାରା ୩୭୦ ‘ଅସ୍ଥାୟୀ’ ବଦଳରେ ‘ଚିରସ୍ଥାୟୀ’ ହୋଇଗଲା। ଏତଦ୍‌ବ୍ୟତୀତ ସମ୍ବିଧାନରେ ଥିବା ଆରକ୍ଷଣ ବ୍ୟବସ୍ଥା(୧୦ ବର୍ଷ), ଇ˚ରାଜୀ ଭାଷା ରାଜଭାଷା ଭାବେ ରହିବା(୧୫ ବର୍ଷ) ଆଦିର ମଧ୍ୟ ଉଦାହରଣ ଦିଆ ଯାଇପାରେ, ଯେଉଁଗୁଡିକରେ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ ହୋଇଛି। ଏଥିରୁ ଏହା ସ୍ପଷ୍ଟ ଯେ କୌଣସି ଧାରାର ସାମୟିକତା ପାଇଁ ସମୟ ସୀମା ଧାର୍ଯ୍ୟ ହେବା ଅନିବାର୍ଯ୍ୟ।

ଭାରତୀୟ ସମ୍ବିଧାନର ଧାରା ୩୭୦(୧)(ସି) ଅନୁଯାୟୀ ଧାରା ୧ ଓ ଧାରା ୩୭୦ ଜମ୍ମୁ-କଶ୍ମୀର ରାଜ୍ୟ ପ୍ରତି ଲାଗୁ। ଧାରା ୧ ଅନୁଯାୟୀ ‘ଭାରତ ରାଜ୍ୟସମୂହଙ୍କ ଏକ ସ˚ଘ’ ହୋଇଥିବାରୁ ଆରମ୍ଭରୁ ଜମ୍ମୁ-କଶ୍ମୀର ଏକ ରାଜ୍ୟ ଭାବେ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଗ୍ରହଣ ହୋଇସାରିଛି। କେଶବାନନ୍ଦ ଭାରତୀ ମାମଲାରେ ସୁପ୍ରିମ କୋର୍ଟ ସ୍ପଷ୍ଟ କରି ସାରିଛନ୍ତି ଯେ କୌଣସି ସାମ୍ବିଧାନିକ ପଦାଧିକାରୀ, ପ୍ରଦତ୍ତ କ୍ଷମତାକୁ ଅତିକ୍ରମ କରି ସମ୍ବିଧାନର ମୂଳ ସ˚ରଚନା ପ୍ରତି ଆ˚ଚ ଆଣି ପାରିବେ ନାହିଁ। ଧାରା ୩୭୦ ସମ୍ବିଧାନର ମୂଳ ସ˚ରଚନାର ଅ˚ଶ। ତେଣୁ ଏଥିରେ କୌଣସି ପ୍ରକାର ପରିବର୍ତ୍ତନ ପାଇଁ ଆଦେଶ ରାଷ୍ଟ୍ରପତିଙ୍କ ସମ୍ବିଧାନ ପ୍ରଦତ୍ତ କ୍ଷମତା ବହିର୍ଭୂତ ବୋଲି କେତେକ ଆଇନଜ୍ଞଙ୍କର ସ୍ପଷ୍ଟ ମତ।

ସମ୍ବିଧାନର ସମସ୍ତ ପ୍ରାବଧାନ ଜମ୍ମୁ-କଶ୍ମୀର ପ୍ରତି ଲାଗୁ କରିବା ପାଇଁ ଧାରା ୩୬୭ରେ ଏକ ନୂଆ ଉପଧାରା ୩୬୭(୪)(ଡି) ଯୋଗ କରାଗଲା। ଏହି ଉପାଧାରା ଅନୁଯାୟୀ ଧାରା ୩୭୦(୩)ରେ ଲିଖିତ ‘ସମ୍ବିଧାନ ସଭା’କୁ ‘ରାଜ୍ୟ ବିଧାନସଭା’ ପଢିବାକୁ ହେବ ବୋଲି ସ˚ଶୋଧନ କରାଗଲା। କିନ୍ତୁ ସ˚ବିଧାନ ସଭା ନଥିବାରୁ ସମସ୍ୟାକୁ ଏଡାଇବା ପାଇଁ ଜମ୍ମୁ-କଶ୍ମୀର ବିଧାନସଭାକୁ ସେହି ସ୍ଥାନ ଦେଇ ଦିଆଗଲା ଓ ତଦ୍ଦ୍ବାରା ଧାରା ୩୭୦ ଉଚ୍ଛେଦ ପାଇଁ ଆବଶ୍ୟକ ସୁପାରିସ ଆହରଣ କରିବାର ପଥ ସୁଗମ ହୋଇଗଲା। ଏବେ ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇ ରାଜ୍ୟ ବିଧାନସଭାର ସମସ୍ତ ଅଧିକାର ରାଜ୍ୟପାଳଙ୍କ ନିକଟରେ କେନ୍ଦ୍ରିତ ଥିବାରୁ ରାଜ୍ୟପାଳଙ୍କ ସୁପାରିସକୁ ବିଧାନସଭାର ସୁପାରିସ ଭାବେ ଗ୍ରହଣ କରାଗଲା। ରାଷ୍ଟ୍ରପତିଙ୍କଠାରେ ଧାରା ୩୭୦(୩)କୁ ସ˚ଶୋଧନ କରିବାର କ୍ଷମତା ନଥିବାରୁ ଏବେ ମଧ୍ୟ ସେଥିରେ ‘ସମ୍ବିଧାନ ସଭା’ ବୋଲି ଉଲ୍ଲେଖ ରହିଛି। ଅଥଚ ଧାରା ୩୬୭(୪)(ଡି) ଅନୁଯାୟୀ ‘ସମ୍ବିଧାନ ସଭା ଅର୍ଥ ଜମ୍ମୁ-କଶ୍ମୀର ବିଧାନ ସଭା’ ବୋଲି ଉଲ୍ଲେଖ ରହିଛି। ସମ୍ବିଧାନରେ ଦୁଇଟି ପରସ୍ପର ବିରୋଧୀ କଥା ସ୍ଥାନ ପାଇଛି, ଯାହା ନିଶ୍ଚିତ ଭାବେ ସୁପ୍ରିମ କୋର୍ଟଙ୍କ ଦ୍ବାରା ନ୍ୟାୟିକ ବ୍ୟାଖ୍ୟାର ଅପେକ୍ଷା ରଖେ। ସରକାର ଧାରା ୩୬୮ ମାଧ୍ୟମରେ ସମ୍ବିଧାନ ସ˚ଶୋଧନ ଜରିଆରେ ଏହି କାର୍ଯ୍ୟଟିକୁ କରି ପାରିଥାନ୍ତେ। ତେବେ ରାଜ୍ୟସଭାରେ ଶାସକ ଦଳର ଦୁଇ-ତୃତୀୟା˚ଶ ସ˚ଖ୍ୟା ଗରିଷ୍ଠତା ଅଭାବରେ ଧାରା ୩୬୭(୪)(ଡି)ର ଗଳା ବାଟଟିକୁ ବ୍ୟବହାର କରାଗଲା ବୋଲି କୁହାଯାଏ ା

ଜମ୍ମୁ-କଶ୍ମୀର ରାଜ୍ୟର ପୁନର୍ଗଠନ ହୋଇ ସୃଷ୍ଟି କରାଯାଇଥିବା ଦୁଇଟି କେନ୍ଦ୍ର ଶାସିତ ଅ˚ଚଳ ମଧ୍ୟ ସମ୍ବିଧାନର ସ˚ଘୀୟ ବ୍ୟବସ୍ଥାକୁ ଉଲ୍ଲ˚ଘନ କରୁଛି ବୋଲି ଯୁକ୍ତି କରାଯାଉଛି ା ସମ୍ବିଧାନର ଧାରା ୩ ଅନୁଯାୟୀ କୌଣସି ରାଜ୍ୟର ସୀମାରେ ପରିବର୍ତ୍ତନ କରିବା ପୂର୍ବରୁ ଆବଶ୍ୟକ ଥିବା ସେଠାକାର ବିଧାନସଭା ଓ ବିଧାନପରିଷଦର ସମ୍ମତି ଏ କ୍ଷେତ୍ରରେ ନିଆଯାଇନାହିଁ। ା ସରକାର ନ୍ୟାୟିକ ଦିଗଗୁଡିକୁ ତର୍ଜମା କରି ପୂର୍ବ ପ୍ରସ୍ତୁତି ପୂର୍ବକ ଧାରା ୩୭୦କୁ ଉଚ୍ଛେଦ କରିଥିଲେ ମଧ୍ୟ ଏହାକୁ ବିରୋଧ କରି ହୋଇଥିବା ମାମଲାଗୁଡିକରେ ସୁପ୍ରିମ କୋର୍ଟଙ୍କ ରାୟ କଣ ରହିବ, ତା ଉପରେ ସମସ୍ତଙ୍କ ଦୃଷ୍ଟି ନିବଦ୍ଧ। ଯଦି ସରକାର ନ୍ୟାୟିକ ଯାଞ୍ଚରେ ବିଫଳ ହୁଅନ୍ତି ତେବେ ହୁଏତ ସମ୍ବିଧାନ ସ˚ଶୋଧନର ରାସ୍ତା ଆପଣାଇବାକୁ ପଡିପାରେ ା ତେବେ ସେ ଯାହା ହେଉ, ଆଶା କରିବା ଯେ ଅନ୍ତତଃ ଧାରା ୩୭୦ ଉଚ୍ଛେଦ ପାଇଁ ନିଆ ଯାଇଥିବା ପଦକ୍ଷେପ କଶ୍ମୀରବାସୀଙ୍କ ଦ୍ବାରା ଗ୍ରହଣୀୟ ହୋଇ ଦେଶ ହିତରେ ବୋଲି ପ୍ରମାଣିତ ହେଉ।
ଭୁବନେଶ୍ବର
ମୋ-୯୪୩୭୦୩୮୦୧୫
[email protected]

ସମ୍ବନ୍ଧିତ ଖବର