ନିଶର ଦମ୍‌

ଅଣାକାର

ଉତ୍ତରପ୍ରଦେଶରେ ‘ପ୍ରଭିନସିଆଲ ଆର୍ମଡ଼ କନ୍‌ଷ୍ଟେବ୍‌ଲେରି’ (ପି.ଏ.ସି) ନାମରେ ଏକ ସଶସ୍ତ୍ର ପୁଲିସ ବାହିନୀ ଅଛି। ଯେଉଁଠି ଓ ଯେତେବେଳେ ଆଇନ ଶୃଙ୍ଖଳାରେ ବିଭ୍ରାଟ ଗୁରୁତର ହୁଏ, ସେମାନଙ୍କୁ ଲୋଡ଼ା ଯାଏ। ବିଶୃଙ୍ଖଳ ଲୋକମାନଙ୍କ ମନରେ ପ୍ରାରମ୍ଭିକ ଭୀତି ସଞ୍ଚାର କରିବା ଲାଗି କର୍ତ୍ତୃପକ୍ଷ ଉକ୍ତ ପୁଲିସ ଫୌଜର ସଦସ୍ୟମାନଙ୍କୁ ମୋଟା ନିଶ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବ୍ରିଟିସ ସରକାରଙ୍କ ଅମଳରୁ ଏମିତି ଗହଳ ନିଶର ପ୍ରଚଳନ ଥିଲା ଏବଂ ତାର ରକ୍ଷଣାବେକ୍ଷଣ ପାଇଁ ମାସିକ ଭତ୍ତା ମଧ୍ୟ ଦିଆଯାଉଥିଲା। ‘ମୁଷ୍ଟାଚ୍‌ ମେଣ୍ଟେନାନ୍‌ସ’ ଭାବେ ଏହା ପରିଚିତ ଥିଲା। ତେବେ, ୧୯୮୬ରେ ନୂତନ ପୁଲିସ ପୋଷାକ ଆଇନ ଲାଗୁ ହେଲା ପରେ ନିଶ ରଖିବା ବାଧୢତାମୂଳକ ହୋଇ ରହିଲା ନାହିଁ। ତେଣୁ ଫୌଜରେ କ୍ରମେ ନିଶୁଆମାନେ ହ୍ରାସ ପାଇବାକୁ ଲାଗିଲେ।

ତେବେ ସେ ଯାହାହେଉ, ଏବେ ପୁଣି ଥରେ ଉକ୍ତ ବାହିନୀରେ ନିଶର ପୁନଃପ୍ରଚଳନ ନିଷ୍ପତ୍ତି ଗୃହୀତ ହୋଇଛି। ପି.ଏ.ସି.ର ଏଡିଜେ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ବିନୋଦ କୁମାର ସିଂହ ପୁଲିସମାନଙ୍କୁ ନିଶ ବଢ଼ାଇବା ଲାଗି ପରାମର୍ଶ ଦେଇଛନ୍ତି। ସେଥି ଲାଗି ୨୫୦ ଟଙ୍କାର ‘ମୁଚ୍ଛ ଭତ୍ତା’ ପୁଣି ଦେବା ଲାଗି ସରକାରଙ୍କୁ ପ୍ରସ୍ତାବ ଦିଆଗଲାଣି। ହିନ୍ଦୀ ଚଳଚ୍ଚିତ୍ରରେ ପୁଲିସ ଭୂମିକାରେ ବୁଲବୁଲ ପାଣ୍ତେ, ସିଂହମ୍‌, ସିମ୍ବା ଭଳି ଚରିତ୍ର ଭୀତିସଂଚାରକାରୀ ନିଶ ରଖିଥିବା ଆମେ ଦେଖିଛେ। ଅତିକାୟ ଓ ମୋଟା ନିଶ ମନରେ ସାହସ ଓ ଉତ୍ସାହ ଭରିଦିଏ। କେବଳ ନିଶ ଦେଖି ଦେଲେ ଉପଦ୍ରବକାରୀ ଥଣ୍ଡା ପଡ଼ିଯାଆନ୍ତି। ତେଣୁ ପୁଲିସ ଫୌଜ ନିଶ ରଖିବା ଆବଶ୍ୟକ ବୋଲି ଏଡିଜି ମହାଶୟ ବୋଧହୁଏ ବିଚାର କରିଛନ୍ତି।

ଏହି ପ୍ରସଙ୍ଗରେ ବିଚିତ୍ର ନିଶଧାରୀ ପୃଥିବୀ ପ୍ରସିଦ୍ଧ ସ୍ପେନୀୟ ଚିତ୍ରକର ସାଲଭାଡ଼ର ଡାଲି (୧୯୦୪-୧୯୮୯) ମନେ ପଡ଼ନ୍ତି। ପିଲାଟି ଦିନରୁ ସେ ଥିଲେ ଅବୋଲକରା। ସେଥି ଲାଗି ସେ ସ୍କୁଲରୁ ଦୁଇ ଥର ତଡ଼ା ଖାଇଥିଲେ। ପରବର୍ତ୍ତୀ କାଳରେ ସେ ହେଲେ ‘ସର୍‌ରିଏଲିଜମ୍‌’ ଧାରାର ଚିତ୍ରକଳାର ଜଣେ ଅଗ୍ରଣୀ କଳାକାର। ଏହି ବିଶିଷ୍ଟ ଶିଳ୍ପୀଙ୍କ ଅନ୍ୟ ଏକ ବିଶେଷତ୍ବ ହେଉଛି ତାଙ୍କର ଦର୍ଶନୀୟ ନିଶ। ସେ ଓ ତାଙ୍କ ଫଟୋଗ୍ରାଫର ବନ୍ଧୁ ଫିଲିପ ହାଲ୍‌ସମ୍ୟାନ ମିଶି ‘ଡାଲି’ସ୍‌ ମୁଷ୍ଟାଚ୍‌’ ନାମକ ଏକ ହାସ୍ୟରସାତ୍ମକ ପୁସ୍ତକ ଲେଖିବାକୁ ସ୍ଥିର କରି ୧୯୫୪ରେ ତାହା ପ୍ରକାଶ କଲେ। ସେଥିରେ ନିଶକୁ ସମ୍ବେଦନଶୀଳ ‘ଆଣ୍ଟେନା’ ବୋଲି ଅଭିହିତ କରି ଦର୍ଶାଯାଇଛି ଯେ ଏହା ସୃଜନାତ୍ମକ ପ୍ରେରଣା ଯୋଗାଏ। ‘ଡାଲିସ୍‌ ମୁଣ୍ଟାଚ୍‌’ ବହିଟିକୁ ଏହି ପ୍ରକାରେ ଡାଲି ଉତ୍ସର୍ଗ କରିଛନ୍ତି ତାଙ୍କ ପତ୍ନୀ ଗାଲାଙ୍କୁ- ‘ଗାଲା, ଯିଏକି ମୋ ନିଶର ରକ୍ଷାକାରୀ କଳ୍ପିତ ଦେବଦୂତ’’। ତେବେ, ଉଲ୍ଲେଖନୀୟ ଯେ, ଡାଲିଙ୍କ ନିଶ ବିଶ୍ବବିଶ୍ରୁତ ହୋଇଥିବା ବେଳେ ତାଙ୍କ ଫଟୋଗ୍ରାଫର ଥିଲେ ଜଣେ ନିଶ ଲଣ୍ଡିତ ବ୍ୟକ୍ତି।

ଡାଲିଙ୍କ ମୃତ୍ୟୁର ଅଠେଇଶ ବର୍ଷ ପରେ ଏକ ଅପ୍ରତ୍ୟାଶିତ ଓ କୌତୂହଳପ୍ରଦ ଘଟଣା ଘଟିଲା। ମାରିଆ ପିଲାର‌୍‌ ନାମକ ଜଣେ ଯୁବତୀ ଦାବି କଲା ଯେ ସେ ଡାଲିଙ୍କ ସନ୍ତାନ; ତେଣୁ ସେ ତାଙ୍କ ସମ୍ପତ୍ତିର ଏକ-ଚତୁର୍ଥା˚ଶର ହକଦାର। ଏହି ମାମଲା ଅଦାଲତକୁ ଗଲା। କୋର୍ଟ ନିର୍ଦ୍ଦେଶାନୁସାରେ ଡାଲିଙ୍କ କବର ଖୋଳାଯିବା କଥା ହେଲା। ଏ ଦାୟିତ୍ବ ଦିଆଗଲା ନାର୍ସିସ ବ୍ରାଡ଼ଲେଟ୍‌ଙ୍କୁ। କାରଣ ଡାଲିଙ୍କୁ କବର ଦେବା ଆଗରୁ ତାଙ୍କ ଶବକୁ ସ˚ରକ୍ଷିତ ରଖିବାର ବ୍ୟବସ୍ଥା ସେ ହିଁ କରିଥିଲେ। ବ୍ରାଡ଼ଲେଟ ଏବେ ଜାଣିବାକୁ କୌତୂହଳୀ ହୋଇ ଉଠିଲେ ଯେ ଡାଲିଙ୍କ ଶବର ନିଶ ପୂର୍ବବତ୍‌ ରହିଛି ନା ନାହିଁ? ସେ ବିସ୍ମୟାଭିଭୂତ ହେଲେ ଯେ କାନ୍ଥ ଘଡ଼ିରେ ସମୟ ଦଶଟା ବାଜି ଦଶ ମିନିଟ୍‌ ହେଲା ବେଳେ ଦୁଇଟି ଯାକ କଣ୍ଟା ଯେଉଁ ଭଳି ଥାଏ, ଡାଲିଙ୍କ ନିଶ ଠିକ୍‌ ସେମିତି ରହିଛି।

ଏହାକୁ ନିଶର ଦମ୍‌ ବୋଲି କହିଲେ ଭୁଲ ହେବ କି? ସେଇ ଦୃଷ୍ଟିରେ ବ୍ରିଟିସ ଅମଳର ନିଶ ଏବେ ପୁଣି ଯଦି ଉତ୍ତର ପ୍ରଦେଶର ପୁଲିସ ବାହିନୀ ପାଖକୁ ଫେରେ, ତେବେ କିଆଁ ଚକିତ ହେବା?

ମୋ- ୯୪୩୭୦୨୬୬୫୧

ସମ୍ବନ୍ଧିତ ଖବର