ବଲାଙ୍ଗୀରର ବିଛୁପାଲି ଷ୍ଟେସନ : ଦୈନିକ ଦୁଇ ଜଣ ଯାତ୍ରୀ
ଦୃଷ୍ଟିପାତ
୧୯୯୪-୯୫ ମସିହାରେ ଆରମ୍ଭ ହୋଇଥିବା ୨୮୯ କିଲୋମିଟର ଦୀର୍ଘ ମହାତ୍ତ୍ବାକାଂକ୍ଷୀ ବଲାଙ୍ଗୀର-ଖୋର୍ଦ୍ଧା ରେଳ ପ୍ରକଳ୍ପ କାର୍ଯ୍ୟ ଆଜି ଯାଏଁ ସମ୍ପୂର୍ଣ୍ଣ ହୋଇ ନ ପାରିବା ତ ଏକ ବିଡ଼ମ୍ବନାର ବିଷୟ। ତେବେ ଯାହା ଏହା ଠାରୁ ଆହୁରି ଅଧିକ ବିଡ଼ମ୍ବନାର ବିଷୟ, ତାହା ହେଉଛି ଏହି ରେଳ ପ୍ରକଳ୍ପରେ ଯେତିକି କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି, ତାରି ଆଧାରରେ ଆରମ୍ଭ ହୋଇଥିବା ରେଳ ଚଳାଚଳରେ ଦେଖିବାକୁ ମିଳିଥିବା ଏକ ବିଚିତ୍ର ସ୍ଥିତି।
Sambad is now on WhatsApp
Join and get latest news updates delivered to you via WhatsApp
ବଲାଙ୍ଗୀର ଠାରୁ ୧୫ କିଲୋମିଟର ଦୂରରେ ଅବସ୍ଥିତ ବିଛୁପାଲି ଷ୍ଟେସନ୍ ଯାଏଁ ଗୋଟିଏ ଟ୍ରେନ୍ ଦୈନିକ ଦୁଇ ଥର ଚଳାଚଳ କରୁଛି। ଗଲା ବର୍ଷ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଛୁପାଲି ରେଳ ଷ୍ଟେସନରୁ ଏହି ରେଳ ଯାତ୍ରାକୁ ଶୁଭ ଦେଇଥିଲେ। ପ୍ରାୟ ୧୧୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ୧୫ କିଲୋମିଟର ଦୀର୍ଘ ରେଳ ପଥ ଉପରେ ପ୍ରତିଦିନ ସକାଳେ ଓ ଅପରାହ୍ଣରେ ତିନି ଡବା ବିଶିଷ୍ଟ ଦୁଇଟି ଟ୍ରେନ୍ ଚାଲିବା ଆରମ୍ଭ ହେଲା। କିନ୍ତୁ ସୂଚନା ଅଧିକାର ଆଇନ ବଳରେ ସଦ୍ୟ ପ୍ରାପ୍ତ ତଥ୍ୟ ଅନୁସାରେ ବିଛୁପାଲି ଷ୍ଟେସନ୍ର ଦୈନିକ ଆୟ ହେଉଛି ମାତ୍ର ୨୦ ଟଙ୍କା। ଏହାର ଅର୍ଥ ପ୍ରତିଦିନ ଏହି ଷ୍ଟେସନରୁ ହାରାହାରି ଦୁଇଜଣ ଯାତ୍ରୀ ରେଳରେ ଉଠିଥାଆନ୍ତି। ଶୁଭାରମ୍ଭ ହେବାର ବର୍ଷକ ପରେ ଏହା ହେଉଛି ସ୍ଥିତି।
ଚାରି ଜଣ କର୍ମଚାରୀଙ୍କ ଦ୍ବାରା ପରିଚାଳିତ ଏହି ଷ୍ଟେସନ୍ ପାଇଁ ରେଳ ବିଭାଗକୁ ମାସିକ ହାରାହାରି ୩.୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ। ଉଲ୍ଲେଖଯୋଗ୍ୟ ହେଲା, ୨୦୧୧ ଜନଗଣନା ଅନୁସାରେ ବିଛୁପାଲି ଗ୍ରାମର ଜନସଂଖ୍ୟା ହେଉଛି ୧୫, ଅର୍ଥାତ୍ ମୋଟାମୋଟି ହିସାବରେ ତିନିଟି ପରିବାର। ସୁତରାଂ, ତିନିଟି ପରିବାର ପାଇଁ ଏହି ଗାଁରେ କାହିଁକି ରେଳ ଷ୍ଟେସନଟିଏ ନିର୍ମାଣ କରାଗଲା ତାହା ଏକ ପ୍ରଶ୍ନ।