ପର୍ବତାରୋହୀ ଡାକ୍ତର

ପ୍ରସଙ୍ଗ

ହିମାଳୟ ଆରୋହଣ ବେଳେ ଦୁର୍ଘଟଣା ବା ଅନ୍ୟାନ୍ୟ ସ୍ବାସ୍ଥ୍ୟଗତ କାରଣରୁ ଗଲା ଦୁଇ ବର୍ଷ ଭିତରେ ଅନେକ ପର୍ବତାରୋହୀ ପ୍ରାଣ ହରାଇଥିବାରୁ କିଛି ପ୍ରମୁଖ ପର୍ବତାରୋହଣକାରୀ ସଂସ୍ଥା ଏଣିକି ପର୍ବତାରୋହୀ ଦଳ ସହିତ ଡାକ୍ତରଙ୍କୁ ପଠାଇବାର ଯୋଜନା କରୁଛନ୍ତି। ଏ ପର୍ଯ୍ୟନ୍ତ ରହିଥିବା ବ୍ୟବସ୍ଥାନୁସାରେ ଡାକ୍ତରମାନେ କେବଳ ‘ବେସ୍‌’ କ୍ୟାଂପ୍‌ ପର୍ଯ୍ୟନ୍ତ ଯାଉଥିଲେ ଏବଂ ଅଧିକ ଉଚ୍ଚତାରେ କୌଣସି ପର୍ବତାରୋହୀଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଉପୁଜିଲେ, ତାଙ୍କୁ ‘ବେସ୍‌’ କ୍ୟାଂପ୍‌କୁ ଅଣାଯାଉଥିଲା।

ତେବେ ବର୍ତ୍ତମାନ ଏ ନୂଆ ବ୍ୟବସ୍ଥା ଲାଗି ଉତ୍ତରାଖଣ୍ଡ ଓ ଅନ୍ୟାନ୍ୟ ହିମାଳୟ ରାଜ୍ୟରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଥି ଲାଗି ‘ଭାରତୀୟ ପର୍ବତାରୋହୀ ଫାଉଣ୍ଡେସନ’ ପକ୍ଷରୁ ଉତ୍ତରକାଶୀରେ ୫୦ ଜଣ ଡାକ୍ତରଙ୍କୁ ମାସଟିଏ କାଳ ବି‌େଶଷ ପର୍ବତାରୋହଣର ତାଲିମ ଦିଆଯିବ। ସେମାନେ ‘ନେହରୁ ଇନ‌ଷ୍ଟିଚ୍ୟୁଟ୍‌ ଅଫ୍ ମାଉ‌େ‌ଣ୍ଟନିଅରିଂ’ ଆନୁକୂଲ୍ୟରେ ପ୍ରଶିକ୍ଷଣ ଲାଭ କରିବେ।

ଯଦିଓ ଏ ପଦକ୍ଷେପଟି ସୁଚିନ୍ତିିତ ତଥା ସ୍ବାଗତଯୋଗ୍ୟ ମନେହୁଏ, ଏଥିରେ କିଛି ସମସ୍ୟା ରହିବ। ହିମାଳୟର ଅଧିକ ଉଚ୍ଚତାରେ ଅସୁସ୍ଥ ରୋଗୀର ଚିକିତ୍ସା କରିବା ସହଜସାଧ୍ୟ ନୁହେଁ। ଜଣେ ଡାକ୍ତର ସେହି ଉଚ୍ଚତାରେ କେବଳ ପ୍ରାଥମିକ ଚିକିତ୍ସା ହିଁ ପ୍ରଦାନ କରିପାରିବେ, ତା ଠାରୁ ଅଧିକ କିଛି ନୁହେଁ। ତେଣୁ ଅସୁସ୍ଥ ରୋଗୀଙ୍କୁ ‘ବେସ୍‌ କ୍ୟାଂପ୍‌’କୁ ଆସିବାକୁ ପଡ଼ିବ। ପୁଣି ପର୍ବତାରୋହୀ ଡାକ୍ତରଙ୍କ ପାଇଁ ସ୍ବାସ୍ଥ୍ୟ ସମସ୍ୟା ଉପୁଜିବା ଅନ୍ୟ ପର୍ବତାରୋହୀଙ୍କ ଭଳି ବାସ୍ତବ। ତା ସହିତ ରହିଛି ଚିକିତ୍ସା ସରଂଜାମ ବୋହି ନେବାର ଅତିରିକ୍ତ ଭାର।

ବରଂ ଯଦି ପର୍ବତାରୋହଣର ଆୟୋଜକ ସଂସ୍ଥାଗୁଡ଼ିକ ନିଜର ମାତ୍ରାଧିକ ଲାଭ ପ୍ରତି ଦୃଷ୍ଟି ନ ଦେଇ ପର୍ବତାରୋହୀଙ୍କ ସଂଖ୍ୟା ହ୍ରାସ କରନ୍ତେ, ତେବେ ହିମାଳୟର ଉଚ୍ଚତାରେ ଭିଡ଼ ହୁଅନ୍ତା ନାହିଁ ଓ ଅମ୍ଳଜାନ ଅଭାବରୁ ପର୍ବତାରୋହୀ ଅସୁସ୍ଥ(ଆମ ରାଜ୍ୟର କଳ୍ପନା ଦାଶ ଏହି କାରଣରୁ ମୃତ୍ୟୁ ବରଣ କଲେ) ହୁଅନ୍ତେ ନାହିଁ।

ସମ୍ବନ୍ଧିତ ଖବର