ଅଭ୍ୟାସର ବନ୍ଧନ

କଥାଟିଏ ଯାଯାବର

ଜେନ୍‌ ଗୁରୁ ନେନେଙ୍କ ଅଭ୍ୟାସ ଥିଲା ଯେ ପ୍ରତି ଦିନ ସକାଳେ ଚା’ ପିଉଥିଲେ। ଚା’ ନ ହେଲେ ନ ଚଳେ ଭଳି ଅବସ୍ଥା। ଥରେ ତାଙ୍କର ଅତିଥି ହେଲେ ତାଙ୍କର ଜଣେ ବନ୍ଧୁ, ଜଣେ ବୌଦ୍ଧ ସନ୍ନ୍ୟାସୀ। ବନ୍ଧୁ ସର୍ବଦା ମାଳା ଗଡ଼ାଉଥିଲେ ଓ ତହିଁରେ ତଲ୍ଲୀନ ହୋଇଯାଉଥିଲେ। ତାଙ୍କ ଅଜାଣତରେ ତାଙ୍କ ଆଙ୍ଗୁଠି ଚାଲୁଥିଲା।
ସେ ନେନେଙ୍କ ଚା’ ଅଭ୍ୟାସ ଦେଖିଲେ ଏବ˚ ମୃଦୁ କ୍ଷୋଭ ସହକାରେ କହିଲେ- ଏ ଚା’ ପିଆ ଅଭ୍ୟାସ କାହିଁକି କଲ?
ନେନେ କହିଲେ- ତୁମେ ମାଳି ଗଡ଼ା ଅଭ୍ୟାସ କାହିଁକି କଲ?
ବନ୍ଧୁ ଟିକିଏ ରହିଗଲେ ଓ କହିଲେ- ନେନେ, ତୁମର ମୁଣ୍ତ ଖରାପ ହୋଇଯାଇଛି ବୋଧହୁଏ! ଚା’ ପିଆ ଅଭ୍ୟାସ ସାଙ୍ଗରେ ମାଳି ଗଡ଼ା ଅଭ୍ୟାସର ତୁଳନା କରୁଛ। ତୁମ ଅଭ୍ୟାସଟି ଏକ ଖରାପ ଅଭ୍ୟାସ। ମୋର ମାଳି ଗଡ଼ା ଅଭ୍ୟାସଟି ଗୋଟିଏ ଭଲ ଅଭ୍ୟାସ, ଆଧୢାତ୍ମିକ ମାର୍ଗରେ ଅଭ୍ୟାସ।
ନେନେ କହିଲେ-ଅଭ୍ୟାସରେ ଖରାପ ବା ଭଲ ନଥାଏ। ମୁଁ ଭାବେ ଯେ କୌଣସି ଅଭ୍ୟାସ ହିଁ ଖରାପ। ଅଭ୍ୟାସ ତୁମକୁ ଦାସତ୍ବର ବନ୍ଧନରେ ବାନ୍ଧିଦିଏ। ମୁଁ ଚା’ ନ ପିଇଲେ ଯେମିତି ଅସ୍ଥିର ହେବି, ତୁମେ ମାଳି ଗଡ଼ାଇ ନ ପାରିଲେ ବି ସେମିତି ଅସ୍ଥିର ହେବ। କାରଣ ତୁମେ ଯେମିତି ତୁମ ଅଭ୍ୟାସର ବନ୍ଧନରେ ବନ୍ଧା, ମୁଁ ବି ସେମିତି ବନ୍ଧା। ଏବେ ଏ ଶୁଆକୁ ଦେଖ। ତାକୁ ତୁମେ ଲୁହା ପଞ୍ଜୁରିରେ ରଖା ବା ସୁନା ପଞ୍ଜୁରିରେ କ’ଣ ଫରକ ପଡେ଼।
ତେଣୁ ଯଦି ସମ୍ଭବ, ଆସ ଆମେ ଦୁହେଁ ଏ ଉଭୟ ପ୍ରକାର ଅଭ୍ୟାସର ଦାସତ୍ବରୁ ମୁକ୍ତ ହେବା।

ସମ୍ବନ୍ଧିତ ଖବର