ଝରକା : ସାଂପ୍ରଦାୟିକ ସଦଭାବର ଅନନ୍ୟ ଉଦାହରଣ ‘ଏକତା ଚପଲ ଘର’

ଆଜିକୁ ୧୭ ବର୍ଷ ତଳେ, ୨୦୦୨ ମସିହାରେ ଯେତେବେଳେ ସାଂପ୍ରଦାୟିକ ଦଙ୍ଗାର ଲେଲିହାନ ନିଆଁରେ ଗୁଜରାଟ ଜଳୁଥିଲା, ସେତିକି ବେଳେ ଦୁଇଟି ଫଟୋ ଏ ଦଙ୍ଗାର ଭୟାବହତାକୁ ଯେମିତି ବର୍ଣ୍ଣନା କରିଥିଲେ, ତାହା ହୁଏତ ଭାଷା ଦ୍ବାରା ସମ୍ଭବ ହୋଇ ନ ଥାଆନ୍ତା। ସେଥି‌ରୁ ଗୋଟିଏ ଥିଲା ଲୁହା ଛଡ଼ଟିଏ ହାତରେ ଧରି ଓ ମୁଣ୍ଡରେ ଗୈରିକ ‘ବନ୍ଦାନା’ ଭିଡ଼ି ନିଆଁ ଝୁଲ ବାହାରୁଥିବା ଆଖିରେ ଚିତ୍କାର କରୁଥିବା ଅଶୋକ ପାରମାରଙ୍କର ଏବଂ ଦ୍ବିତୀୟଟି ଥିଲା ଲୁହ ଭରା ଆଖିରେ ହାତ ଯୋଡ଼ି ଦୟାର ଭିକ୍ଷା ମାଗୁଥିବା କୁତବୁଦ୍ଦିନ ଆନସାରିଙ୍କର। ଗୋଟିଏ ଫଟୋ ଥିଲା ଶିକାରୀର ତ ଅନ୍ୟଟି ଥିଲା ଶିକାରର। ଅଶୋକ ପାରମାର ଥିଲେ ଅହମ୍ମଦାବାଦରେ ଜଣେ ଜୋତା କାରିଗର ଓ କୁତବୁଦ୍ଦିନ ଥିଲେ ଜଣେ ଦର୍ଜୀ। ଅହମ୍ମଦାବାଦରେ ପିଢ଼ି ପରେ ପିଢ଼ି ବାସ କରି ଆସୁଥିଲେ ଆନସାରିଙ୍କ ପରିବାର, ଅଥଚ ଦଙ୍ଗା ଯେମିତି ତାଙ୍କୁ ତାଙ୍କ ନିଜ ସହରରେ ଅଚିହ୍ନା କରିଦେଇଥିଲା। ଏଣେ, ଅଶୋକ ପାରମାର ଅହମ୍ମଦାବାଦର ଜଳୁଥିବା ରାସ୍ତାରେ ଖୋଜି ଚାଲିଥିଲେ ଆନସାରିଙ୍କ ଭଳି ଅସହାୟମାନଙ୍କୁ, ଶିକାର କରିବା ଲାଗି।

ତା ପରେ ଆସେ ୨୦୧୪ ମସିହା। ଏଇ ସମୟ କାଳ ଭିତରେ ସାବରମତୀ ନଦୀରେ ପ୍ରବାହିତ ହୋଇ ସାରିଥାଏ ଅନେକ ଜଳ। ଗୋଟିଏ ସାଂପ୍ରଦାୟିକ ସଦ୍‌ଭାବନା କାର୍ଯ୍ୟକ୍ରମରେ ଗୋଟିଏ ମଞ୍ଚରେ ଏକାଠି ହୁଅନ୍ତି ପାରମାର ଏବଂ ଆନସାରି। ତା’ ପରେ ଏ ଦୁହିଁଙ୍କ ଭିତରେ ଆରମ୍ଭ ହୁଏ ପ୍ରଗାଢ଼ ବନ୍ଧୁତା, ଯାହା ଆଜି ଯାଏ ଅତୁଟ ରହିଛି। ଦଙ୍ଗା ପରେ ଦଙ୍ଗାରେ କ୍ଷତି ସହିଥିବା କୁତବୁଦ୍ଦିନ କିଛି ବର୍ଷ ଲାଗି ଚାଲିଯାଆନ୍ତି କୋଲକାତା ଓ ୨୦୧୪ରେ ପାରମାର ଚାଲିଯାଆନ୍ତି କେରଳ। କିନ୍ତୁ ଦୁହେଁ ପୁଣି ଫେରି ଆସନ୍ତି ସେମାନଙ୍କ ପ୍ରିୟ ସହର ଅହମ୍ମଦାବାଦକୁ। ଏବେ ସେଠାରେ ଆନସାରିଙ୍କ ଅଛି ଏକ ଲାଭଜନକ ଦର୍ଜୀ ବ୍ୟବସାୟ ଓ ଗଲା ଶୁକ୍ରବାର ଦିନ ୪୫ ବର୍ଷ ବୟସ୍କ ଅବିବାହିତ ପାରମାର ଖୋଲିଛନ୍ତି ଏକ ଜୋତା ଦୋକାନ। ଦୋକାନର ନାମ ‘ଏକତା ଚପଲ ଘର’। ଏହି ଦୋକାନର ଉଦ୍‌ଘାଟନ କଲେ ପାରମାରଙ୍କ ପରମ ମିତ୍ର ଆନସାରି।

ଏହା ଦ୍ବାରା ସାଂପ୍ରଦାୟକ ସଦ୍‌ଭାବନାର ଯେଉଁ ସନ୍ଦେଶ ପ୍ରସାରିତ ହୋଇଛି, ତାର ପ୍ରଶଂସା ଏବେ ସର୍ବତ୍ର ଶୁଣିବାକୁ ମିଳୁଛି। ଭାରତୀୟ ଧର୍ମନିରପେକ୍ଷତାର ପରଂପରା ଉପରେ ଗୁଜରାଟ ଦଙ୍ଗାକୁ ଯଦି ଏକ କ୍ଷତ ବୋଲି ବିଚାର କରାଯାଏ, ତେବେ କହିହେବ ଯେ ଏହି ବନ୍ଧୁତା କ୍ଷତର ଦାଗକୁ ଲିଭାଇବାରେ ଏକ ବଡ଼ ଭୂମିକା ନିର୍ବାହ କରିଛି। ଉଭୟ କହିଛନ୍ତି ଯେ ସାଂପ୍ରଦାୟିକ ସଂଘର୍ଷମୁକ୍ତ ଭାରତ ହେଉଛି କେବଳ ଏକମାତ୍ର ସ୍ବପ୍ନ।

ସମ୍ବନ୍ଧିତ ଖବର

Comments are closed.