ଝରକା: ଟଙ୍କା, ଗ୍ଲାମର ଓ କବାଡ଼ି

ଭାରତ ଭୂଖଣ୍ତର ଘର ବାହାରେ ଖେଳାଯାଉଥିବା ସର୍ବପ୍ରାଚୀନ ଦଳଗତ କ୍ରୀଡ଼ା ‘କବାଡ଼ି’ ଆଉ ଗାଁର ଖେଳ ହୋଇ ରହିନାହିଁ। ଏହା ସହରକୁ ଆସିଯାଇଛି, ବିଦେଶକୁ ଭ୍ରମଣ କଲାଣି, ୧୯୯୦ ମସିହାରୁ ଏସୀୟ କ୍ରୀଡ଼ା ଶୃଙ୍ଖଳାରେ ଅନ୍ତର୍ଭୁକ୍ତ ହୋଇସାରିଲାଣି। କେବଳ ସେତିକି ନୁହେଁ, ଏହା ଆଉ ଗରିବ ପିଲାଙ୍କ ଖେଳ ହୋଇ ରହିନାହିଁ, ଏହା ‘ତାରକା ଖେଳାଳି’ ସୃଷ୍ଟି କଲାଣି, ନୂଆ କୋଟିପତି ଖେଳାଳିଙ୍କୁ ସମ୍ଭବ କଲାଣି ଓ ଏବେ ଦେଶର ଭଲ କବାଡ଼ି ଖେଳାଳିମାନେ ଗୋଟିଏ ଗୋଟିଏ ‘ଆଇକନ୍‌’ରେ ପରିଣତ ହେଲେଣି। ଏହା ଆଜି ସମ୍ଭବ ହୋଇଛି ‘ପ୍ରୋ କବାଡି ଲିଗ୍‌’ ଭଳି ଟୁର୍ନାମେଣ୍ଟରୁ।

‘ଆଇପିଏଲ୍‌’ ଢାଞ୍ଚାରେ ‘ପିକେଏଲ୍‌’ (ପ୍ରୋ କବାଡି ଲିଗ୍‌)ର ଆରମ୍ଭ ହୋଇଥିଲା ୨୦୧୪ ମସିହାରେ। ‘ଷ୍ଟାର ସ୍ପୋର୍ଟ‌୍‌ସ’ ଚ୍ୟାନେଲ ପକ୍ଷରୁ ଏହାକୁ ଆରମ୍ଭ କରାଯାଇଥିଲା। ପିକେଏଲ୍‌ରେ ମଧୢ ଖେଳାଳିମାନଙ୍କୁ ନିଲାମ କରାଯାଇଥାଏ ଓ ସେମାନେ କୋଟି କୋଟି ଟଙ୍କା ବିନିମୟରେ ବିଭିନ୍ନ ଦଳ ଲାଗି ଖେଳନ୍ତି। ଉଦାହରଣ ସ୍ବରୂପ ସିଦ୍ଧାର୍ଥ ଦେଶାଇ ନାମକ ଜଣେ ଖେଳାଳି ଗଲା ବର୍ଷ ‘ୟୁ ମୁମ୍ବାଇ’ ଲାଗି ୫୦,୦୦୦ ଆମେରିକୀୟ ଡଲାର ବିନିମୟରେ ଖେଳିଥିଲେ। ଚଳିତ ବର୍ଷ ‘ତେଲେଙ୍ଗାନା ଟାଇଟାନ’ ତାଙ୍କୁ ୨,୦୧୪୪୪ ଡଲାର ବିନିମୟରେ ଖର୍ଦ୍ଦି କରିଛି। ସତେଇଶ ବର୍ଷ ବୟସ୍କ ସିଦ୍ଧାର୍ଥ ମନେ ପକାନ୍ତି ଯେ ମାତ୍ର କେଇ ବର୍ଷ ତଳେ ସେ ମହାରାଷ୍ଟ୍ରର ନିଜ ଗାଁରେ ଧୂଳି ଧୂସରିତ ହୋଇ କବାଡ଼ି ଖେଳୁଥିଲେ। ସେଠାରୁ ଏଠିକା ପର୍ଯ୍ୟନ୍ତ ଯାତ୍ରାକୁ ସେ ଏକ ଅତୁଳନୀୟ ସ୍ବପ୍ନିଳ ଯାତ୍ରା ବୋଲି କହନ୍ତି। କ୍ରିକେଟରେ ଆଇପିଏଲ ପରେ ହକିରେ ‘ହକି ପ୍ରିମିଅର ଲିଗ୍‌’ ଓ ଫୁଟବଲରେ ‘ଇଣ୍ତିଆନ୍‌ ସୁପର ଲିଗ୍‌’ ଭଳି ଟୁୁର୍ନାମେଣ୍ଟର ଆୟୋଜନ କରାଯାଉଛି। ଏଭଳି ଟୁର୍ନାମେଣ୍ଟ ଯୋଗୁ ଖେଳରେ ପେସାଦାରି ବଢ଼ିଛି, ଖେଳାଳିମାନେ ଆର୍ଥିକ ଦୃଷ୍ଟିରୁ ବିପୁଳ ଲାଭବାନ ହେଉଛନ୍ତି, ସେମାନଙ୍କ ପ୍ରଶ˚ସକଙ୍କ ସ˚ଖ୍ୟା ବଢ଼ିବାରେ ଲାଗିଛି ଏବ˚ ସେ ସବୁ ଖେଳ ପ୍ରତି ଦର୍ଶକମାନଙ୍କ ଭିତରେ ଆଗ୍ରହ ମଧୢ ବୃଦ୍ଧି ପାଉଛି। କେବଳ କ୍ରିକେଟକୁ ନୁହେଁ ଏବେ କବାଡ଼ିକୁ ମଧୢ ଟଙ୍କାର ସୁଅ ଛୁଟୁଛି।

ଏହି ଟୁର୍ନାମେଣ୍ଟଗୁଡ଼ିକୁ ସଫଳ କରିବାରେ ଧନୀ ପୁ˚ଜିପତି, ଚିତ୍ରତାରକା ଓ ଉଦ୍ୟୋଗପତିମାନଙ୍କ ଭୂମିକା ବେଶ୍‌ ଗୁରୁତ୍ବପୂର୍ଣ୍ଣ। ସିଦ୍ଧାର୍ଥ କହନ୍ତି ଯେ ମାତ୍ର କେଇ ବର୍ଷ ପୂର୍ବ ପର୍ଯ୍ୟନ୍ତ ଆମ ଦେଶରେ କବାଡ଼ି ଖେଳାଳିମାନେ ଚାଷ କରୁଥିଲେ, ଅବସର ବେଳେ ଏହାକୁ ଖେଳୁଥିଲେ। ସେମାନଙ୍କ ପାଖରେ ଚମତ୍କାର କୌଶଳ ମଧୢ ଥିଲା। କେବଳ ଆନନ୍ଦ ଲାଭ ଲାଗି ସେମାନେ ଖେଳୁଥିଲେ। ଏବେ କିନ୍ତୁ ସେଥିରୁ କେବଳ ଆନନ୍ଦ ନୁହେଁ, ଆଶାତୀତ ଅର୍ଥ, ପ୍ରସିଦ୍ଧି ଏବ˚ ଗ୍ଲାମର‌୍‌ ମିଳୁଛି। ଏହା ଆଉ କେବଳ ମାତ୍ର ଏକ ମଫସଲି ଖେଳ ହୋଇ ରହିନାହିଁ। ଏହି ଖେଳର ଭାଗ୍ୟୋଦୟ ହୋଇଛି। ଏବେ ଗାଁର ପିଲା କବାଡ଼ି ଖେଳି ନିଜ ଭାଗ୍ୟ ଚମକାଇବାର ସ୍ବପ୍ନ ଦେଖୁଛି।

ସମ୍ବନ୍ଧିତ ଖବର