ଚାଷୀ ଆତ୍ମହତ୍ୟା

ଦର୍ପଣ

ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‍ସିଆର୍‌ବି) ଦ୍ବାରା ସଦ୍ୟ ପ୍ରକାଶିତ ରିପୋର୍ଟରେ ୨୦୧୮ ମସିହାରେ ହୋଇଥିବା ଆତ୍ମହତ୍ୟା ନେଇ ଯେଉଁ ପରିସଂଖ୍ୟାନ ପ୍ରକାଶ ପାଇଛି, ତହିଁରେ କୃଷକ ଆତ୍ମହତ୍ୟାର ସଂଖ୍ୟା ହେଲା ୧୦,୩୪୯। ତହିଁରୁ ଜଣାପଡ଼ିଛି ଯେ ୨୦୧୭ ମସିହା ତୁଳନାରେ ୨୦୧୮ରେ ଚାଷୀ ଓ ଚାଷରେ ନିୟୋଜିତ ଶ୍ରମିକଙ୍କ ଆତ୍ମହତ୍ୟାର ସଂଖ୍ୟା କମିଛି। କାରଣ ୨୦୧୭ରେ ୧୦,୬୫୫ ଚାଷୀ ଓ କୃଷି ଶ୍ରମିକ ଆତ୍ମହତ୍ୟା କରିଥିଲେ। ଚଳିତ ବର୍ଷ ଯେତିକି ସଂଖ୍ୟକ ଚାଷୀ ଆତ୍ମହତ୍ୟା କରିଛନ୍ତି ତାହା ହେଲା, ସମୁଦାୟ ଆତ୍ମହତ୍ୟାର ୭.୭%। ଏମାନଙ୍କ ଭିତରୁ ୫୭୬୩ ଜଣ ହେଉଛନ୍ତି କୃଷକ ଏବଂ ୪୫୮୬ ଜଣ ହେଉଛନ୍ତି କୃଷି ଶ୍ରମିକ। ସେଥିରୁ ଆହୁରି ଜଣାପଡ଼ିଛି ଯେ ଆତ୍ମହତ୍ୟା କରୁଥିବା ଅଧିକାଂଶ ହେଉଛନ୍ତି ପୁରୁଷ। ଆତ୍ମହତ୍ୟା କରିଥିବା ୫,୭୬୩ ଚାଷୀଙ୍କ ମଧ୍ୟରୁ ୫,୪୫୭ ଜଣ ପୁୁରୁଷ ହୋଇଥିବା ବେଳେ ୩୦୬ ଜଣ ମହିଳା। ସେହିପରି କୃଷି ଶ୍ରମିକଙ୍କ ଭିତରୁ ୪,୦୧୭ ଜଣ ପୁରୁଷ ଆତ୍ମହତ୍ୟା କରିଥିବା ବେଳେ ୫୧୫ ଜଣ ମହିଳା ଆତ୍ମହତ୍ୟା କରିଛନ୍ତି।

ମହାରାଷ୍ଟ୍ରରେ ଦେଶର ସର୍ବାଧିକ ୩୪.୭% ଚାଷ ସମ୍ବନ୍ଧୀୟ ଆତ୍ମହତ୍ୟା ଘଟଣା ଘଟିଛି। ଏହା ପଛକୁ କର୍ଣ୍ଣାଟକରେ ୨୩.୨%, ତେଲେଙ୍ଗାନାରେ ୮.୮%, ମଧ୍ୟ ପ୍ରଦେଶରେ ୬.୩% ଚାଷ ସମ୍ବନ୍ଧୀୟ ଆତ୍ମହତ୍ୟା ହୋଇଛି। ଏହି ରିପୋର୍ଟ ଅନୁସାରେ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଉତ୍ତରାଖଣ୍ଡ, ମେଘାଳୟ ଓ ଗୋଆ ରାଜ୍ୟ ସମେତ ଦିଲ୍ଲୀ, ଚଣ୍ଡୀଗଡ଼, ଡାମନ୍ ଡିଉ, ଲାକ୍ଷାଦ୍ବୀପ ଓ ପୁଡୁଚେରୀ ଆଦି କେନ୍ଦ୍ର ଶାସିତ ଅଞ୍ଚଳରେ ଗୋଟିଏ ହେଲେ ଚାଷୀ ଆତ୍ମହତ୍ୟା ଘଟଣା ଘଟି ନାହିଁ। ଆମ ରାଜ୍ୟ ପରିପ୍ରେକ୍ଷୀରେ ଏହା ଏକ ବିଡ଼ମ୍ବିତ ସନ୍ଦେହର କାରଣ ହୋଇଛି। ବୋଧହୁଏ ଗଣମାଧ୍ୟମ‌େର ପ୍ରକାଶିତ ଚାଷୀ ଆତ୍ମହତ୍ୟା ଘଟଣାକୁ ପ୍ରଶାସନ ଅନ୍ୟ ରୂପରେ ଦର୍ଶାଇଥିବାରୁ ଏଭଳି ଅସଂଗତି ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର