ଶେଷରେ ମୁକ୍ତି ମିଳିଲା

ମହମ୍ମଦ ହିଫ୍‌ଜୁର ରହେମାନ୍

ଯେଉଁ ବିବାଦଟି ଦେଶକୁ ଧର୍ମ ନାମରେ ଦୁଇ ଭାଗ କରି ରଖିଥିଲା, ୩୦ ବର୍ଷ ଧରି ଦେଶର ଧର୍ମନିରପେକ୍ଷତାର ସ୍ତମ୍ଭକୁ ଦୋହଲାଇ ଚାଲିଥିଲା, ଯାହାକୁ ନେଇ ୧୯୯୨, ୧୯୯୩ ଏବଂ ୨୦୦୨ରେ ଭୟାବହ ସାଂପ୍ରଦାୟିକ ଦଙ୍ଗା ଦେଖିବାର ଦୁର୍ଭାଗ୍ୟ ଏ ଦେଶ ସହିଥିଲା, ପରିଶେଷରେ ଦେଶର ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ରାୟ ଫଳରେ ତାର ଅନ୍ତ ଘଟିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା, ଯେଉଁ ସ୍ଥାନକୁ କେନ୍ଦ୍ର କରି ଘୃଣା, ହିଂସା ଓ ସାଂପ୍ରଦାୟିକ ରାଜନୀତି ଦେଶକୁ ପ୍ରାୟ ମୁଣ୍ଡଜାମିନ କରି ରଖିଥିଲା, ସେହି ସ୍ଥାନ ଏବେ ବିବାଦମୁକ୍ତ। ଜାତୀୟ ରାଜନୀତିକୁ ବିଦ୍ବେଷ ରଂଜିତ କରି ରଖିଥିବା ଅଯୋଧ୍ୟା ବିବାଦରୁ ଶେଷରେ ମୁକ୍ତି ମିଳିଛି ୯ ନଭେମ୍ବର ୨୦୧୯ରେ।

ଏହି ପରିପ୍ରେକ୍ଷୀରେ ସୁପ୍ରିମ କୋର୍ଟ ଯେଉଁ ରାୟ ଶୁଣାଇଛନ୍ତି ତାହା ଐତିହାସିକ। କୋର୍ଟଙ୍କ ଏହି ରାୟକୁ ନେଇ ବିଭିନ୍ନ ମହଲରେ ଅନେକ ପ୍ରଶ୍ନ ଉଠିଥିଲେ ମଧ୍ୟ ଦେଶବାସୀ ଏହାକୁ ଅପୂର୍ବ ବିବେଚନାବୋଧ ଓ ସଂଯମ ସହିତ ଗ୍ରହଣ କରିନେଇଛନ୍ତି। କୋର୍ଟ ଅନେକ ବିଭ୍ରାନ୍ତିକୁ ଦୂର କରି ତାଙ୍କ ରାୟ ଜରିଆରେ ନୂଆ ଆଶାର ସଂଚାର କରିଛନ୍ତି।
ବିବାଦୀୟ ଜମିକୁ ମନ୍ଦିର ନିର୍ମାଣ ପାଇଁ ହସ୍ତାନ୍ତର କରି ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ଯେ ଅଯୋଧ୍ୟାର ଏକ ପ୍ରମୁଖ ସ୍ଥାନରେ ମୁସଲିମ ପକ୍ଷଙ୍କୁ ୫ ଏକର ଜମି ଦିଆଯାଉ। ଏବଂ ମନ୍ଦିର ନିର୍ମାଣ କାର୍ଯ୍ୟର ତତ୍ତ୍ବାବଧାନ କୌଣସି ଧର୍ମୀୟ ସଂଗଠନକୁ ଦିଆ ନ ଯାଇ ସରକାରଙ୍କ ଦ୍ବାରା ଗଠିତ ଏକ ଟ୍ରଷ୍ଟ ହାତରେ ସମର୍ପଣ କରାଯାଉ।

କୋର୍ଟଙ୍କ ଏହି ରାୟ ଉପରେ କେବଳ ଭାରତ ନୁହେଁ, ସାରା ବିଶ୍ବର ନଜର ରହିଥିଲା। ରାୟ ଆସିବା ପରେ ଉତ୍ତେଜନା ସୃଷ୍ଟି ହେବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। କିନ୍ତୁ ଦେଶବାସୀ ଏକାଠି ହୋଇ ଯେଉଁଭଳି ଏହି ରାୟକୁ ଶ୍ରଦ୍ଧାର ସହିତ ସ୍ବାଗତ କଲେ ତାହା ଥିଲା ହୃଦୟସ୍ପର୍ଶୀ। ସୁପ୍ରିମ କୋର୍ଟ ବାହାରେ ହିନ୍ଦୁ ଓ ମୁସଲମାନ ଧର୍ମଗୁରୁ ଏକାଠି ହୋଇ ପରସ୍ପରକୁ ମିଠା ଖୁଆଇବା ଦୃଶ୍ୟ ବିଭାଜନକାରୀ ଶକ୍ତିଙ୍କ ଅଭିସନ୍ଧିମୂଳକ ସ୍ବପ୍ନକୁ ଧୂଳିସାତ୍ କରିଦେଇଥିଲା। କୌଣସି ପକ୍ଷ ବା ସଂପ୍ରଦାୟ ଏହାକୁ ନେଇ ଉତ୍ସବ ପାଳନ କରି ନଥିଲେ କି କେହି ପ୍ରକାଶ୍ୟରେ କ୍ଷୋଭ ମଧ୍ୟ ପ୍ରକାଶ କରି ନଥିଲେ। ରାୟ ଯାହା ହେଉ ନା ‌ସମସ୍ତଙ୍କ ମନରେ ଥିଲା ଗୋଟିଏ କଥା ଯେ ଶେଷରେ ଏ ବିବାଦ ରୂପୀ ନର୍କରୁ ତ୍ରାହି ମିଳିଛି। କେବଳ ସାଧାରଣ ଲୋକେ ନୁହନ୍ତି, ବିଭିନ୍ନ ଧର୍ମର ନେତା ଓ ଧର୍ମଗୁରୁମାନଙ୍କ ମୁହଁରୁ ମଧ୍ୟ ଏଭଳି ମତ ଓ ପ୍ରତିକ୍ରିୟା ଶୁଣିବାକୁ ମିଳିଲା।

ଏହି ଅବସରରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ବାର୍ତ୍ତା ଦେଲେ, ତାହା ଭିତରେ ନିହିତ ଥିଲା ଆମ ଭାରତର ପ୍ରକୃତ ପରିଚୟ। ସେ କହିଥିଲେ, ‘ଆଜି ରାୟ ପ୍ରକାଶ ପାଇବା ପରେ, ଯେପରି ଭାବେ ପ୍ରତ୍ୟେକ ସମ୍ପ୍ରଦାୟ, ପ୍ରତ୍ୟେକ ଧର୍ମ ଏବଂ ସାରା ଦେଶର ଲୋକ , ଖୋଲା ହୃଦୟରେ ଏହାକୁ ସ୍ୱୀକାର କଲେ, ଏହା ଭାରତର ପୁରାତନ ସଂସ୍କୃତି, ପରମ୍ପରା ଏବଂ ସୌହାର୍ଦ୍ଦ୍ୟର ଭାବନାକୁ ପ୍ରତିଫଳିତ କରୁଛି।’ ସେ କହିଥିବା ଭଳି ‘ବିବିଧତା ମଧ୍ୟରେ ଏକତା’ର ମୂଳମନ୍ତ୍ର ଆଧାରରେ ଗଢ଼ି ଉଠିଥିବା ଭାରତର ପରିଚୟ ସେହି ନଭେମ୍ବର ନ’ ତାରିଖରେ ହିଁ ସାରା ବିଶ୍ବ ଆଗରେ ପ୍ରମାଣିତ ହୋଇଯାଇଛି।

ଏହି ୯ ନଭେମ୍ବର ମଧ୍ୟ ହେଉଛି ସେହି ତାରିଖ, ଯେଉଁ ଦିନ ଜର୍ମାନୀକୁ ଦୁଇ ଭାଗରେ ବିଭକ୍ତ କରିଥିବା ବର୍ଲିନ ପ୍ରାଚୀର ଧରାଶାୟୀ ହୋଇଥିଲା। ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଦୁଇଟି ଭିନ୍ନ ରାଜନୈତିକ ବିଚାରର ଆଧାରରେ ବିଭାଜିତ ହୋଇଥିବା ଗୋଟିଏ ଦେଶର ଦୁଇ ପ୍ରାନ୍ତରେ ବସବାସ କରୁଥିବା ଲୋକେ ସେ ଦିନ ଏକାକାର ହୋଇଯାଇଥିଲେ। ଇତିହାସର ଏହି ମହାନ କ୍ଷଣକୁ ପ୍ରଧାନ ମନ୍ତ୍ରୀ ଉଦ୍ଧାର କରି ଯାହା କହିଥିଲେ ତାର ସାରାଂଶ ହେଲା- ୨୦୧୯, ନଭେମ୍ବର ୯ ମଧ୍ୟ ଆମ ଦେଶରେ ରହିଥିବା ସବୁ ବିଭାଜନକୁ ଦ୍ରବୀଭୂତ କରିଦେଇଛି।

ସୁପ୍ରିମ କୋର୍ଟଙ୍କ ରାୟର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଦିଗଟି ହେଉଛି ଭାରତୀୟ ଧର୍ମନିରପେକ୍ଷତାର ବିଜୟ। କୋର୍ଟ ଏହି ମାମଲାରେ ହିନ୍ଦୁ ପକ୍ଷର ପ୍ରତିନିଧି ନିର୍ମୋହୀ ଆଖଡ଼ା ଏବଂ ମୁସଲିମ ପକ୍ଷର ପ୍ରତିନିଧିତ୍ବ କରୁଥିବା ସୁନ୍ନି ୱକଫ ବୋର୍ଡର ଆବେଦନ ଓ ଯୁକ୍ତିକୁ ଖାରଜ କରିଦେଇଛନ୍ତି ଏବଂ ସାରା ବିଶ୍ବ ଓ ମାନବିକତାର ପ୍ରତିନିଧି ରୂପେ ରାମ ଲାଲା ସପକ୍ଷରେ ରାୟ ଶୁଣାଇଛନ୍ତି। ଯେଉଁ ସ୍ଥାନରେ ମନ୍ଦିର ନିର୍ମାଣ ହେବ ତାହାକୁ କୋର୍ଟ କୌଣସି ନିର୍ଦିଷ୍ଟ ପକ୍ଷକୁ ଦେଇ ନାହାନ୍ତି । ଏହି ଦାୟିତ୍ବ ଅର୍ପଣ କରିଛନ୍ତି ସବୁ ଧର୍ମ, ଜାତି ଓ ବର୍ଗକୁ ପ୍ରତିନିଧିତ୍ବ କରୁଥିବା ଭାରତ ସରକାର ଉପରେ। ସରକାର ହିଁ ଟ୍ରଷ୍ଟ ଗଠନ କରିବେ ଏବଂ ଏହି ଟ୍ରଷ୍ଟ ମନ୍ଦିର ନିର୍ମାଣ ଦାୟିତ୍ବରେ ରହି‌ବ। ତେଣୁ ସେହି ଆଧାରରେ ବିଚାର କଲେ ଅଯୋଧ୍ୟାରେ ଯେଉଁ ମନ୍ଦିର ନିର୍ମାଣ ହେବାକୁ ଯାଉଛି, ସେଥିରେ ସମସ୍ତଙ୍କର ଅବଦାନ ରହିବ। ତାହା କୌଣସି ନିର୍ଦିଷ୍ଟ ଧର୍ମ ବା ବର୍ଗର ହେବ ନାହିଁ, ଏହା ହେବ ଧର୍ମନିରପେକ୍ଷତା, ଅହିଂସା ଓ ସଦ୍‌ଭାବନାର ଏକ ଉପାସନା ସ୍ଥଳ।

[email protected]

ସମ୍ବନ୍ଧିତ ଖବର

Comments are closed.