ରେଳବାଇର ସୌଜନ୍ୟ

ଦୃଷ୍ଟିପାତ

ଭରତୀୟ ରେଳବାଇର ୧୫୦ ବର୍ଷର ଇତିହାସରେ ଯାହା କେବେ ଘଟି ନ ଥିଲା, ତାହା ଘଟିଛି। ପ୍ରଥମ ଥର ଲାଗି ରେଳ ଚଳାଚଳରେ ବିଳମ୍ବ ଲାଗି ଯାତ୍ରୀମାନଙ୍କୁ କ୍ଷତିପୂରଣ ଦିଆଯାଇଛି। ଗଲା ଶନିବାର ଦିନ ଦିଲ୍ଲୀ ସହ ଲ‌େକ୍ଷ୍ନୗକୁ ଯୋଡୁଥିବା ‘ତେଜସ୍‌’ ଏକ୍‌ସପ୍ରେସର ଯାତ୍ରୀମାନେ ଉଭୟ ପଟରୁ ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ବିଳମ୍ବର ସାମନା କରିଥିଲେ। ସେଥିଲାଗି ଲ‌େକ୍ଷ୍ନୗରୁ ଦିଲ୍ଳୀ ଯାଉଥିବା ୪୫୦ ଜଣ ଏବଂ ଦିଲ୍ଲୀ ପଟୁ ଲ‌େକ୍ଷ୍ନୗକୁ ଆସୁଥିବା ୫୦୦ ଜଣ ଯାତ୍ରୀ, ପ୍ର‌େତ୍ୟକ ୨୫୦ ଟଙ୍କା ଲେଖାଏଁ କ୍ଷତିପୂରଣ ପାଇଛନ୍ତି। ଜଣାପଡ଼ିଛି ଯେ ଲ‌େକ୍ଷ୍ନୗ ଜଂକସନ ଠାରେ ‘କୃଷକ ଏକ୍‌ସପ୍ରେସ୍‌’ ଲାଇନ-ଚ୍ୟୁତ ହୋଇଥିବାରୁ ଏଭଳି ବିଳମ୍ବ ହୋଇଥିଲା। ତେବେ କେବଳ କ୍ଷତିପୂରଣ ନୁହେଁ, ବିଳମ୍ବିତ ଯାତ୍ରାରେ ଥିବା ଯାତ୍ରୀମାନଙ୍କୁ ଅତିରିକ୍ତ ଜଳଖିଆ, ଅନ୍ୟାନ୍ୟ ଭୋଜନ ଓ ପାନୀୟ ପରିବେଷଣ କରାଯାଇଥିଲା ଏବଂ ‌େସହି ସବୁ ଖାଦ୍ୟ ପ୍ୟାକେଟ ଉପରେ କ୍ଷମା ପ୍ରାର୍ଥନା ପୂର୍ବକ ଲେଖାଯାଇଥିଲା-‘ବିଳମ୍ବ ଲାଗି ଆମେ ଦୁଃଖିତ।’

ରେଳବାଇ ପକ୍ଷରୁ ପ୍ରକଟ କରାଯାଇଥିବା ଏଭଳି ସୌଜନ୍ୟ ହେଉଛି ଆଭିମୁଖ୍ୟଗତ ପରିବର୍ତ୍ତନର ଏକ ସଂକେତ ଯେ ଯାତ୍ରୀମାନଙ୍କୁ ରେଳବାଇ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି(ଠିକଣା ସମୟରେ ଠିକଣା ସ୍ଥାନରେ ପହଞ୍ଚାଇବା)ରେ ଖିଲାପର ଅର୍ଥ ଯାତ୍ରୀମାନଙ୍କ ଅଧିକାରର ହନନ ଓ ତାର ଭରଣା ଉଚିତ ଭାବେ କରାଯିବା ଦରକାର।

ଏକଦା ଭାରତୀୟ ରେଳଗୁଡ଼ିକ ଅଭ୍ୟାସଗତ ଭାବେ ବିଳମ୍ବିତ ଲୟରେ ଚାଲୁଥିଲେ। ଅବଶ୍ୟ, ଏବେ ସ୍ଥିତିରେ ଅନେକ ସୁଧାର ଆସିଲାଣି। ରେଳଗାଡ଼ିର ସଂଖ୍ୟା ଓ ରେଳ ‘ନେଟ୍‌ୱର୍କ’ରେ ବ୍ୟାପକ ଅଭିବୃଦ୍ଧି ସତ୍ତ୍ବେ (ପୃଥିବୀର ସର୍ବବୃହତ୍‌ ରେଳ ନେଟ୍‌ୱର୍କ) ରେଳଗାଡ଼ିଗୁଡ଼ିକ ଅପେକ୍ଷାକୃତ ଅଧିକ ସମୟାନୁବର୍ତ୍ତୀ ହୋଇପାରିଛନ୍ତି। ଏ ପରିପ୍ରେକ୍ଷୀରେ କ୍ଷତିପୂରଣ ପ୍ରଦାନର ଏ ବ୍ୟବସ୍ଥା ରେଳଗୁଡ଼ିକୁ ଆହୁରି ଅଧିକ ସମୟାନୁବର୍ତ୍ତୀ ହେବାକୁ ବାଧ୍ୟ କରିବ। ଦ୍ବିତୀୟ କଥା ହେଲା, ଯଦି ବିଳମ୍ବ ହୁଏ, ତେବେ କ୍ଷତିପୂରଣ ସହିତ ରେଳବାଇର ସଂଭ୍ରମ ବ୍ୟବହାର ଯାତ୍ରୀମାନଙ୍କର ବିଳମ୍ବ ଜନିତ ମାନସିକ ଯନ୍ତ୍ରଣାକୁ ମଧ୍ୟ ପ୍ରଶମିତ କରିବ।

ତେବେ ଏ ବ୍ୟବସ୍ଥା କ୍ରମେ ଅନ୍ୟ ସବୁ ରେଳଗାଡ଼ିକୁ ସଂପ୍ରସାରିତ ହେବା ଉଚିତ। ଏହା ହେଲେ ଦେଢ଼ ଶହ ବର୍ଷ ଧରି ରେଳବାଇ ସହିତ ରହି ଆସିଥିବା ଭାରତୀୟମାନଙ୍କ ସଂପର୍କ ଆହୁରି ପ୍ରଗାଢ଼ ଓ ସୁନ୍ଦର ହେବ।

ସମ୍ବନ୍ଧିତ ଖବର