ହଜି ଯାଇଥିବା ଯୁବକ

କଥାଟିଏ - ଯାଯାବର

ତିନି ଜଣ ଯୁବକ ନିଜ ଜ୍ଞାନ ଦ୍ବାରା ରାଜାଙ୍କୁ ପ୍ରଭାବିତ କରି ରାଜପରିଷଦରେ ସ୍ଥାନ ପାଇବା ଲାଗି ଗୁରୁଗୃହରୁ ଯାତ୍ରା ଆରମ୍ଭ କଲେ। ରାଜଧାନୀ ଥିଲା ଅନେକ ଦୂର ଓ ଦୁର୍ଗମ। ଏକ ମାନଚିତ୍ର ନେଇ ତିନିହେଁ ଯାତ୍ରା ଆରମ୍ଭ କଲେ।

ଏହି ବାଟରେ ପଡେ ଶ୍ବାପଦସ˚କୁଳ ଘଞ୍ଚ ଜଙ୍ଗଲ, ବିଶାଳ ପାହାଡ଼, ଗଭୀର ନଦୀ ଓ ମରୁଭୂମି। ସେଇ ଜଙ୍ଗଲରେ ବାଟ ବଣା ହୋଇ ଜଣେ ଯୁବକ ଦଳ ଠାରୁ ଅଲଗା ହୋଇଗଲେ। ଅନ୍ୟ ଦୁଇ ଜଣ ବିଚାର କଲେ ଯେ ହଜି ଯାଇଥିବା ବନ୍ଧୁଙ୍କୁ ଖୋଜିବା ଅର୍ଥ ବୃଥା ସମୟ ନଷ୍ଟ ଏବ˚ ସେଥିରେ ସେମାନେ ବି ବାଟ ବଣା ହେବାର ଭୟ ରହିଛି। ଏଣେ ଖାଦ୍ୟ ପାନୀୟ ସୀମିତ। ତେଣୁ ସେମାନେ ମାନଚିତ୍ରକୁ ଆଧାର କରି ଶେଷରେ ରାଜଧାନୀରେ ପହଞ୍ଚିଲେ। ରାଜା ସେମାନଙ୍କ ପାଣ୍ତିତ୍ୟ ଦେଖି ରାଜପରିଷଦରେ ସ୍ଥାନ ଦେଲେ।

ଏହାର ପ୍ରାୟ ଛଅ ମାସ ପରେ ପାଗଳ ବା ଭିକାରି ଭଳି ଦିଶୁଥିବା ଜଣେ ବ୍ୟକ୍ତି ରାଜଦରବାରରେ ଉଭା ହେଲେ। ଜଣାଗଲା ଯେ ସେଇ ହେଉଛନ୍ତି ବାଟରେ ହଜିଯାଇଥିବା ସେଇ ଯୁବକ। ରାଜା ଥିଲେ ଗୁଣୀ। ମହାମନ୍ତ୍ରୀ ଅତ୍ୟନ୍ତ ବୃଦ୍ଧ ହୋଇ ଅବସର ନେବାକୁ ଚାହୁଁଥିଲେ। ଏଣୁ ରାଜା ସେଇ ଯୁବକଙ୍କୁ ନିଜର ମନ୍ତ୍ରୀ ପଦ ଦେଲେ।

ସଭାସଦ୍‌ମାନଙ୍କୁ ରାଜା କହିଲେ- ଏ ଯୁବକ ତାଙ୍କ ଦୁଇ ବନ୍ଧୁଙ୍କ ଭଳି ପଣ୍ତିତ ହୋଇଥିବେ କି ନାହିଁ ମୁଁ ଜାଣିନାହିଁ। କିନ୍ତୁ ତାହା ବଡ଼ କଥା ନୁହେଁ। ଯେଉଁ ବ୍ୟକ୍ତି ଛଅ ମାସ କାଳ ଜଙ୍ଗଲ, ମରୁଭୂମି ଓ ପର୍ବତ ଦେଇ ଏକୁଟିଆ ଯାତ୍ରା କରି ନିଜକୁ ମରଣ ମୁହଁରୁ ବଞ୍ଚାଇ ରଖି ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିଲେ ତାଙ୍କ ଅଭିଜ୍ଞତା ସମସ୍ତଙ୍କ ଠାରୁ ଅଧିକ ମୂଲ୍ୟବାନ। ତାଙ୍କ ସାହସ ଓ ପ୍ରତ୍ୟୟ ସମସ୍ତଙ୍କ ଠାରୁ ଅଧିକ ଦୃଢ଼। ଏଇ ଅନୁଭୂତି ତାଙ୍କ ଭିତରେ ଯେଉଁ ସ୍ବତନ୍ତ୍ର ନେତ୍ର ଖୋଲି ଦେଇଥିବ, ତାହା ମୋ ଲାଗି ଦିଗ୍‌ଦର୍ଶକର କାର୍ଯ୍ୟ କରିବ।

ସମ୍ବନ୍ଧିତ ଖବର