ନେନେଙ୍କ ଶିଷ୍ୟ

କଥାଟିଏ - ଯାଯାବର

ଜେନ୍‌ ଗୁରୁ ନେନେ ଯେଉଁ ଆଶ୍ରମରେ ରହୁଥିଲେ, ସେ ଆଶ୍ରମରେ ଥିଲା ଗୋଟିଏ ପାଠାଗାର। ବିରଳ ଶାସ୍ତ୍ର ଦ୍ବାରା ତାହା ଭରପୂର ଥିଲା। ଯୁବ ଅନ୍ବେଷୀମାନେ ଆଶ୍ରମକୁ ଆସି ନେନେଙ୍କ ଶିଷ୍ୟ ହେବାକୁ ଚାହିଲେ ନେନେ ତାଙ୍କୁ ପ୍ରଥମେ ଆଶ୍ରମର ପାଠାଗାରକୁ ପଠାଉଥିଲେ। ସେଠାରେ ଗଭୀର ଅଧୢୟନ କଲା ପରେ ଯାଇ ସେମାନେ ନେନେଙ୍କ ଶିଷ୍ୟତ୍ବ ଲାଗି ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷାର ସମ୍ମୁଖୀନ ହେଉଥିଲେ।

ଜଣେ ତରୁଣ ପାଠାଗାରରେ କିଛି ମାସ କାଟି ସବୁ ଶାସ୍ତ୍ର ଅଧୢୟନ କଲା ପରେ ଯେତେବେଳେ ବାହାରିଲା, ନେନେ ତାକୁ ପଚାରିଲେ- କ’ଣ ଜାଣିଲ?

ଯୁବକ କହିଲା- ମହାଶୟ, ଆଉ ଅଜଣା ବୋଲି କିଛି ନାହିଁ? ସବୁ କିଛି ଜାଣିଲି। ସବୁ ତତ୍ତ୍ବ, ସବୁ ଦର୍ଶନ ଏବେ ମୋର ମୁଣ୍ତରେ। ଆପଣ ପରୀକ୍ଷା କରି ପାରନ୍ତି!

ନେନେ କହିଲେ- ବାପା, ତୁମକୁ ପରୀକ୍ଷା କରିବା ଲାଗି ମୋର ସାମର୍ଥ୍ୟ ନାହିଁ। ତୁମେ ଏବେ ତୁମ ବାଟ ଦେଖ।

ଯୁବକଟି ଏଭଳି ପ୍ରତିକ୍ରିୟାରେ ବିସ୍ମିତ ହୋଇ ଯେତେବେଳେ ଏହାର କାରଣ କ’ଣ ବୋଲି ପଚାରିଲା, ନେନେ ତାକୁ ଆଶ୍ରମର ବଗିଚାକୁ ଡାକିନେଲେ ଓ ସେଠାରେ ଖରାରେ ବୁଲି ଗଛରେ ପାଣି ଦେଉଥିବା ଜଣେ ମଳିମୁଣ୍ତିଆ ଭଳି ଦିଶୁଥିବା ତରୁଣକୁ ଦେଖାଇ କହିଲେ- ଏ ହେଉଛି ମୋର ପ୍ରିୟତମ ଶିଷ୍ୟ। ତୁମ ଭଳି ସେ ଯେତେବେଳେ ପାଠାଗାରରେ ଅନେକ ଦିନ ବିତାଇ ସବୁ ଶାସ୍ତ୍ର ପାଠ କରି ବାହାରକୁ ଆସିଲା, ସେତେବେଳେ ମୋର ସେଇ ସମାନ ପ୍ରଶ୍ନର ଉତ୍ତରରେ କହିଥିଲା- ଆଜ୍ଞା, ମୋର ଆଖି ଖୋଲିଗଲା। ଏ ଶାସ୍ତ୍ରର ଜ୍ଞାନ ଜଣାଇ ଦେଲା ସତରେ ମୁଁ କେତେ କ୍ଷୁଦ୍ର! କିନ୍ତୁ ତୁମେ ବାହାରିବା ପରେ ତୁମ ଆଖି ଖୋଲିବା ବଦଳରେ ବନ୍ଦ ହୋଇଯାଇଛି। ତୁମେ ଏବେ ଜ୍ଞାନାନ୍ଧ। ତୁମକୁ ବାଟ ଦେଖାଇବି କେମିତି?

ସମ୍ବନ୍ଧିତ ଖବର

Comments are closed.