ତର୍କ ଦ୍ୱାରା ଈଶ୍ବର ଅଛନ୍ତି କି ନାହାନ୍ତି ପ୍ରମାଣ କରିବାକୁ ଚେଷ୍ଟା କରୁଥିବା ଦୁଇ ଯୁବକଙ୍କୁ ଗୁରୁ ମୁଲ୍ଲା ନସିରୁଦ୍ଦିନଙ୍କ ଗପଟି କହିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଥରେ ମୁଲ୍ଲା ନସିରୁଦ୍ଦିନ ଜଣେ ନାମୀ ଓକିଲଙ୍କୁ ଯାଇ କହିଲେ- ଆଜ୍ଞା, ରାସ୍ତାରେ ଜଣେ ଲୋକ ଯାଉଥିଲା। ତାର ଚେହେରା ଦେଖି ମୋ ପୁଅର ମନରେ ଏମିତି ରାଗ ହେଲା ଯେ ସେ ତାକୁ ବିନା କାରଣରେ ନିର୍ଧୂମ ଛେଚିଲା। ଏବେ ସେ ଲୋକ କହୁଛି ମୋ ପୁଅ ନାମରେ କେସ୍ କରିବ। ଏମିତି ଏକ କେସ୍ରେ ମୋ ପୁଅର ଜିତିବାର ସମ୍ଭାବନା କେତେ?
ଓକିଲ କହିଲେ- ମୋ ପାଖକୁ କେସ୍ ଆଣିବ ତ ତୁମ ପୁଅର ଜିତିବା ଥୟ। ଏମିତି ଯୁକ୍ତି ଦେବି ଯେ ସେ ଲୋକ କିଛି ବାଟ ପାଇବ ନାହିଁ।
ମୁଲ୍ଲା କହିଲେ- ହଉ ଯାଉଛି, କାଲି ଆସିବି।
ପର ଦିନ ମୁଲ୍ଲା ଆସିଲେ ଓ ଓକିଲଙ୍କୁ ତାର ପୂରା ଓଲଟା ଆଉ ଏକ କାହାଣୀ ଶୁଣାଇଲେ। ଏ କାହାଣୀରେ ମୁଲ୍ଲାଙ୍କ ପୁଅକୁ ଅକାରଣରେ ଜଣେ ଲୋକ ପ୍ରବଳ ଛେଚିଛି। ମୁଲ୍ଲାଙ୍କ ବିରୋଧରେ କେସ୍ କରିବାକୁ ସେହି ଲୋକ ଯଦି ଏହି ଦାମୀ ଓକିଲଙ୍କୁ ଧରନ୍ତି ତେବେ ତାଙ୍କ ପୁଅର ଜିତିବାର ସମ୍ଭାବନା କେତେ?
ଓକିଲ କହିଲେ- ତୁମେ ବଡ଼ ବିଚିତ୍ର ଲୋକ। ଅସଲ କଥା କ’ଣ କୁହ?
ମୁଲ୍ଲା କହିଲେ- ପ୍ରଥମେ କୁହ ଆଜି ଯେଉଁ କଥା କହିଲି ସେଭଳି କେସ୍ରେ ମୋ ପୁଅର ଜିତିବାର ସମ୍ଭାବନା କେତେ?
ଓକିଲ କହିଲେ- ଶୁଣ ମୁଲ୍ଲା, କଥା ହେଉଛି ଯିଏ ଯେଉଁଠି ଯାହା ବି କରୁ ନା କାହିଁକି, ମୋତେ ଧରିଲେ ତାର ଜିତିବା ନିଶ୍ଚିତ।
ମୁଲ୍ଲା କହିଲେ- ତାହା ହେଲେ ମୁଁ ଯାଉଛି। ଆଉ ଆସିବି ନାହିଁ। କାରଣ ତୁମେ ଯଦି ଯୁକ୍ତି ବଳରେ ସବୁ କେସ୍ ଜିତିଯାଇପାରିବ, ତେବେ ମକଦ୍ଦମା କରିବା ବେକାର।
ଏହା କହି ଗୁରୁ କହିଲେ- ତର୍କ ଦ୍ବାରା ଧଳାକୁ କଳା କରିହେବ। ତେଣୁ ତର୍କ କି ପ୍ରମାଣ ଦ୍ବାରା ନୁହେଁ, କେବଳ ଜଣେ ନିଜ ଅନୁଭବ ଦ୍ବାରା ଈଶ୍ବରଙ୍କ ଅସ୍ତିତ୍ବ ଉପଲବ୍ଧି କରାଯାଇପାରିବ।