ବଡ଼ଘର, ଛୋଟଘର

କଥାଟିଏ - ଯାଯାବର

ଜଣେ ଗରିବ ପରିବାରର ପିଲା ସ୍ଥିର କଲା ଯେ ସେ ଧନୀ ହେବ। ତା’ର ଚେଷ୍ଟା ଫଳ ଦେଲା। ମଧୢ ବୟସ୍କ ହେବା ବେଳକୁ ସେ ବିଭିନ୍ନ ପ୍ରକାର ବ୍ୟବସାୟ ଆଦି କରି ପ୍ରଭୂତ ଧନଶାଳୀ ହୋଇଯାଇଥିଲା। ଏବେ ସେ ନିଜ ଇଚ୍ଛା ଅନୁସାରେ ଏକ ବଢ଼ିଆ ଜାଗାରେ ବିଶାଳ ଶଙ୍ଖ ମର୍ମର ଅଟ୍ଟାଳିକା ତିଆରି କଲା। ଘର ଭିତରଟି ବାତାନୁକୂଳିତ କଲା। ଯିବା ଆସିବା ଲାଗି ଏକାଧିକ ଗାଡ଼ି ରଖିଲା, ଚାକର ବାକର ରଖିଲା। ସୁନ୍ଦରୀ ସ୍ତ୍ରୀ ବିବାହ କଲା। ଯାହା କିଛି କରିପାରିବା କଥା, ସବୁ କରି ପକାଇଲା।

କିନ୍ତୁ ମନରୁ ଗୋଟିଏ ଭୟ ଯାଉ ନ ଥିଲା। କାରଣ ପିଲା ଦିନେ ତା ବାପା କହୁଥିଲେ, ଯେତେ ପାଇବୁ ତାକୁ ହରାଇବାର ଭୟ ସେତେ ଅଧିକ ହେବ। କାଳେ ଦୁର୍ଭାଗ୍ୟ ଆସିବ, ସେ ଭୟ ସମୟେ ସମୟେ ମୁଣ୍ତ ଟେକିଲା। ତେଣୁ, ନରମ ଗଦିରେ ବି ନିଦ ହେଲା ନାହିଁ। ଦିନେ ସେ ଏ ସମସ୍ୟା ନେଇ ଜଣେ ଗୁରୁଙ୍କ ନିକଟକୁ ଗଲା।

ସବୁ ଶୁଣିବା ପରେ ଗୁରୁ କହିଲେ- ତୋ’ର ସମସ୍ୟା ହେଲା ତୁ ବଡ଼ ଘର, ଥାଟବାଟ, ଆରାମପ୍ରଦ ଜୀବନ ସବୁ କିଛି ହାସଲ କଲୁ ସତ, କିନ୍ତୁ ତୋ ନିଜର ଗୋଟିଏ ଛୋଟିଆ ଘରଟିଏ ଅଛି ବୋଲି ପୂରା ଭୁଲିଗଲୁ। ତା ଉପରେ ଧୢାନ ଦେ।

ଗୁରୁଙ୍କ କଥାର ଅର୍ଥ ସେ ବୁଝିପାରିଲା ନାହିଁ।

ତେଣୁ ଗୁରୁ ବୁଝାଇ ଦେଇ କହିଲେ- ମୁଁ କହୁଛି ତୋ ନିଜ ଶରୀର ଓ ମନ ରୂପକ ଛୋଟିିଆ ଘର କଥା। ଯେଉଁ ଘରେ ତୋର ପ୍ରାଣ ରହୁଛି ସେହି ଛୋଟିଆ ଘର ଭିତରଟା ଅଶାନ୍ତ। ନିଜକୁ ଗଢ଼ିଲା ବେଳେ ତୁ ଯଦି ତୋର ଛୋଟିଆ ଘରେ କେମିତି ଶାନ୍ତି ଆଣିବୁ, ସେ କଥା ଭାବିଥାଆନ୍ତୁ, ତେବେ ଏମିତି ଦୁଶ୍ଚିନ୍ତା ତୋ ମନରେ ଉଠନ୍ତା ନାହିଁ। ଯେଉଁମାନେ ଏ ଛୋଟିଆ ଘରର ଧୢାନ ରଖନ୍ତି ତାଙ୍କ ଲାଗି ପାଇବା ଓ ହରାଇବା ଭିତରେ କିଛି ଫରକ ନଥାଏ, ଯାହା ତୋ ଭିତରେ ଅଛି।

ସମ୍ବନ୍ଧିତ ଖବର