ନିଜକୁ ଚିହ୍ନିବାର ଉପାୟ

କଥାଟିଏ - ଯାଯାବର

ଜଣେ ବ୍ୟକ୍ତି ଜଣେ ଗୁରୁଙ୍କୁ ପଚାରିଲେ- ମହାଶୟ, ମୁଁ ମୋର ଦୁର୍ଗୁଣ ସବୁକୁ କେମିତି ଜାଣିବି?

ଗୁରୁ କହିଲେ- ତୁମେ ନିଜକୁ ଅନ୍ୟର ଆଖିରେ ଦେଖିବାକୁ ଚେଷ୍ଟା କର।

ସେଇ ବ୍ୟକ୍ତି କହିଲେ- ମୁଁ ତେବେ ସେଭଳି କରି ମୋର ଗୋଟିଏ ବଡ଼ ବଦ୍‌ ଗୁଣ ବାବଦରେ କହୁଛି। ଆପଣ ବିଚାର କରନ୍ତୁ ମୁଁ ସଫଳ ହେଲି କି ନାହିଁ?

ଗୁରୁ କହିଲେ- ଚେଷ୍ଟା କର।

ଭଦ୍ରବ୍ୟକ୍ତି ଆଖି ବୁଜି କିଛି ସମୟ ସ୍ଥିର ହୋଇ ବସିଲେ ଏବ˚ ତା ପରେ କହିଲେ- ମୋର ଏକ ବଡ଼ ଦୁର୍ଗୁଣ ହେଲା ମୁଁ କାହାକୁ କିଛି ମନା କରିପାରେ ନାହିଁ। ତେଣୁ ମୁଁ ବହୁବାର ଠକାମିର ଶିକାର ହେଲିଣି।

ଗୁରୁ ଅଳ୍ପ ହସି କହିଲେ- ତୁମେ ଏବେ ଯେଉଁ ଗୁଣକୁ ତୁମ ଦୁର୍ଗୁଣ ବୋଲି କହିଲ ପ୍ରକୃତରେ ତାହା ଏକ ଭଲ ଗୁଣ। ତାହା ସୂଚାଏ ତୁମେ କେତେ ଉଦାର! କିନ୍ତୁ ମୁଁ କହିବି ତୁମେ ନିଜ ଦୁର୍ଗୁଣ ଚିହ୍ନିବାରେ ପୂରା ବିଫଳ ହେଲ। ତୁମେ ନିଜକୁ ଏକ ମିତ୍ରର ଦୃଷ୍ଟିରେ ଦେଖୁଥିବା ଭଳି ଲାଗିଲା।

ଭଦ୍ରବ୍ୟକ୍ତି ପଚାରିଲେ- ମୁଁ ତାହା ହେଲେ ସଫଳ ହେବି କେମିତି?

ଗୁରୁ କହିଲେ- ନିଜକୁ ଦେଖି ନିଜ ଦୁର୍ଗୁଣ ଜାଣିବାକୁ ହେଲେ ନିଜକୁ ନିଜର ଜଣେ ପରମ ଶତ୍ରୁ ବୋଲି ଭାବିବାକୁ ହେବ। ସେଇ ଦୃଷ୍ଟିରେ ଦେଖିବା ସହିତ ନିଜକୁ କ୍ଷମା ଦେବାକୁ ଚେଷ୍ଟା କରିବ ନାହିଁ। ତାହା ହେଲେ ତୁମ ମନରେ ତୁମ ନିଜକୁ ନେଇ ଥିବା ସବୁ ଭ୍ରାନ୍ତ ଧାରଣା ପରସ୍ତ ପରସ୍ତ ହୋଇ ଖସିଯିବ। ତୁମେ ଏକ ଅତ୍ୟନ୍ତ ଦୁର୍ବଳ ଓ ଦୋଷଯୁକ୍ତ ମଣିଷ ଭାବେ ନିଜକୁ ପାଇବ। କିନ୍ତୁ ସ˚ପୂର୍ଣ୍ଣ ଅହମିକାମୁକ୍ତ ନ ହେଲେ ନିଜକୁ ନିଜେ ଶତ୍ରୁର ନଜରରେ ଦେଖି ପାରିବ ନାହିଁ।

ସମ୍ବନ୍ଧିତ ଖବର