ଭୟ ଆସେ କେଉଁଠୁ?

କଥାଟିଏ - ଯାଯାବର

ଜେନ୍‌ ଗୁରୁ ନେନେଙ୍କୁ କେହି ଜଣେ ପଚାରିଲେ- ମୁଁ ବିଭିନ୍ନ ପ୍ରକାର ଭୟ ଦ୍ବାରା ଆକ୍ରାନ୍ତ ହେଉଛି କାହିଁକି? ଭୟ ଆସେ କେଉଁଠୁ?

ନେନେ କହିଲେ- ବହୁ ଦିନ ତଳେ ଏ ଆଶ୍ରମରେ ରହୁଥିଲେ ଜଣେ ବିଦ୍ବାନ। ତାଙ୍କର ସ˚ପତ୍ତି ବୋଇଲେ ଥିଲା କେବଳ କିଛି ଅତି ପ୍ରାଚୀନ ପୋଥି। ସେଗୁଡ଼ିକ ତାଙ୍କର ଏତେ ପ୍ରିୟ ଥିଲା ଯେ ସେ ସବୁକୁ ସେ ନିଜ ପାଖରେ ରଖୁଥିଲେ। କାଳେ ଆଶ୍ରମର କୌଣସି ଜିଜ୍ଞାସୁ ଶିଷ୍ୟ କିଛି ପୋଥି ନେଇଯିବ, ସେଥି ଲାଗି ସେ କୁଆଡେ଼ ବାହାରକୁ ଗଲେ, ତାଙ୍କ ପ୍ରକୋଷ୍ଠକୁ ଭଲ ଭାବେ ବନ୍ଦ କରି ତାଲା ପକାଇ ଯାଉଥିଲେ।

ତେବେ ବିଧିର ବିଧାନ ଥିଲା ଏହିପରି। ଥରେ ଆଶ୍ରମରେ ନିଆଁ ଲାଗିଗଲା। ଯୋଗକୁ ସେ ସେଇ ଦିନ ଆଶ୍ରମରେ ନାହାନ୍ତି। ଏ କାଠରେ ତିଆରି ଘର ନିମିଷକେ ପାଉଁଶ ହୋଇଗଲା। ବିଦ୍ବାନଙ୍କ ପୋଥି ସବୁ ପାଉଁଶ ହୋଇଗଲା। ଫେରିବା ପରେ ସେ ଏମିତି ଅବସ୍ଥା ଦେଖି ମୂର୍ଚ୍ଛା ଗଲେ। ଅନେକ ମାସ ଯାଏ ସେ ବିଳାପ କଲେ ଓ ଘୋର ବିଷାଦଗ୍ରସ୍ତ ହୋଇ ମୁହଁ ଶୁଖାଇ ବସିଲେ ବା ଶୋଇ ରହିଲେ। ତେବେ ସମୟ ତ ସବୁ କିଛି ଫିକା କରିଦିଏ। ଅନେକ ମାସ ପରେ ସେ ପ୍ରକୃତିସ୍ଥ ହେଲେ। ଏବେ ସେ ଆଉ ତାଙ୍କ ପ୍ରକୋଷ୍ଠରେ ତାଲା ପକାଉ ନ ଥିଲେ।

ଦିନେ ମୁଁ ପଚାରିଲି- ଏବେ ଦରଜା ମେଲା ରଖି ଆପଣ ବାହାରକୁ ଚାଲିଯାଉଛନ୍ତି?

ସେ କହିଲେ, ପୋଥିଗୁଡ଼ିକ ଥିଲା ତ ଚୋରିର ଭୟ ଥିଲା। ଏବେ ଆଉ ତାଲା ପକାଇବି କାହିଁକି?

କଥାଟି ସରୁ ସରୁ ଭଦ୍ରଲୋକ କହି ଉଠିଲେ- ବୁଝି ସାରିଲିଣି। ଭୟ କେଉଁଠୁ ଆସେ? ବ୍ୟକ୍ତି ହେଉ ବା ବସ୍ତୁ; ଯାହା ପ୍ରତି ମାତ୍ରାଧିକ ଆସକ୍ତି ଓ ଭଲ ପାଇବା ଥାଏ, ତାକୁ ହରାଇବାର ଭୟ ମଧୢ ଥାଏ। ଭଲ ପାଇବା ଓ ଭୟ ଗୋଟିଏ ପାର୍ସଲରେ ଆସନ୍ତି।

ସମ୍ବନ୍ଧିତ ଖବର