ଆର ପାରିର ଭୟ

କଥାଟିଏ - ଯାଯାବର

ଜଣେ ବୃଦ୍ଧ ଗୁରୁଙ୍କୁ କହିଲେ- ମହାତ୍ମା, ଏ ପରିଣତ ବୟସରେ ଗୋଟିଏ ଭୟ ମୋତେ ଖାଉଛି। ତାହା ହେଲା ମୃତ୍ୟୁ ପରେ ଆର ପାରି କିପରି ହୋଇଥିବ କେଜାଣି?

ଗୁରୁ କହିଲେ- ତେବେ ମୋ ଠାରୁ ଶୁଣ କଥାଟିଏ। ପିଲାଟିଏ ତା ବାପାଙ୍କ ସହିତ ଯାଇଥିଲା ମେଳାକୁ। ମେଳାରେ ବୁଲୁଥିବା ବେଳେ ତା ହାତ ବାପାଙ୍କ ହାତରୁ ଖସିଗଲା। ସେ ଏ କଥା ବୁଝିଲା ବେଳକୁ ବାପା ଜନସମୁଦ୍ର ଭିତରେ ହଜି ଯାଇଥିଲେ। ପିଲାଟି ଭୟଭୀତ ହୋଇଗଲା ଏବ˚ ମେଳା ଭିତରେ ଏପଟ ସେପଟ ହୋଇ ଘୂରି ବୁଲିଲା। କିଛି ସମୟ ପରେ ସେ ଯେତେବେଳେ ଜାଣିଲା ଯେ ବାପା ମିଳିବେ ନାହିଁ, ସେ କାନ୍ଦିବାକୁ ଲାଗିଲା। ଏଇ ସମୟରେ ସେଠାରେ ପହଞ୍ଚିଲେ ଜଣେ ପୁଲିସ ବାବୁ। ସେ ପିଲାଟିକୁ ଧରି ପକାଇ କହିଲେ- କାନ୍ଦୁଛୁ କାହିଁକି? ମୋ ସହିତ ଚାଲ। ମୁଁ ସବୁ କଥା ବୁଝିଦେବି। ପିଲାଟି ଆହୁରି ଡରିଗଲା। କାରଣ ସେ ଜାଣିଥିଲା ପୁଲିସ୍‌ମାନେ ବାନ୍ଧି ପକାନ୍ତି ଓ ବହୁତ ବାଡ଼ାନ୍ତି। ତେଣୁ ସେ ଭୟରେ ଜଡ଼ସଡ଼ ହୋଇ ପୁଲିସ୍‌ ସାଙ୍ଗରେ ଚାଲିଲା।

ସେମାନେ ଏମିତି ଏକ ଜାଗାରେ ପହଞ୍ଚିଲେ ଯେଉଁଠି ଆହୁରି ଅନେକ ପୁଲିସ୍‌ ବସିଥିଲେ। ଭୟରେ ପିଲାର ହଲକ ଶୁଖିଗଲା। କିନ୍ତୁ ଏଇ ଭିତରେ ସେ ଦେଖିଲା ଯେ ପୁଲିସ୍‌ଙ୍କ ଭିତରେ ବାପା ବି ବସିଛନ୍ତି। ପୁଅ ହଜିଯାଇଛି ବୋଲି ସେ ପୁଲିସ୍‌ଙ୍କ ସାହାଯ୍ୟ ନେବାକୁ ଆସିଥିଲେ। ବାପାଙ୍କୁ ଦେଖି ପିଲାଟିର ମନରୁ ଭୟ ପୂରା ହଟିଗଲା। ସେ ଦୌଡ଼ି ଯାଇ ବାପାଙ୍କ କୋଳରେ ବସିଗଲା।

ଏହା କହି ସାରି ଗୁରୁ କହିଲେ- ଆମେ ପରମ ପିତାଙ୍କ ହାତ ଛାଡ଼ି ମର୍ତ୍ତ୍ୟର ମେଳାରେ ହଜିଯାଇଥିବା ପିଲା। ମୃତ୍ୟୁ ପରେ ଆମେ ପୁଣି ପରମ ପିତାଙ୍କ ପାଖକୁ ଫେରିଯିବା। ନିଜ ପିତାଙ୍କ କୋଳକୁ ଫେରିବାରେ ଭୟ କ’ଣ?

ସମ୍ବନ୍ଧିତ ଖବର