ଈଶ୍ୱରଙ୍କୁ ପାଇବା

କଥାଟିଏ - ଯାଯାବର

ସୁଫି ସନ୍ଥ ଫିରୋଜଙ୍କୁ ଜଣେ ଯୁବକ କହିଲା- ମୁଁ ଆପଣଙ୍କ ସହିତ ରହିବାକୁ ଚାହେଁ। ମୁଁ ଶୁଣିଛି ଯେ ଆପଣ ଭଗବାନଙ୍କ ସାନ୍ନିଧୢ ପାଉଛନ୍ତି। ମୁଁ ବି ଭଗବାନଙ୍କ ପାଖାପାଖି ହେବାକୁ ଚାହେଁ। ଫିରୋଜ ତାର ଖାଇବା ପିଇବାର ବ୍ୟବସ୍ଥା କଲେ। ଯୁବକ ଫିରୋଜଙ୍କ ପାଖରେ ରହିଲା। ଫିରୋଜ ଯାହା କରନ୍ତି ତାକୁ ଅନୁକରଣ କରିବାକୁ ଚେଷ୍ଟା କଲା। ବେଳେ ବେଳେ ସେ ଫିରୋଜଙ୍କୁ ପଚାରେ- ଭଗବାନଙ୍କ ପାଖାପାଖି ହେବାର ବାଗ ମୋତେ ଖାଲି ଦୁଇ ପଦରେ କହିଦିଅନ୍ତୁ। ଫିରୋଜ ଦିନେ କହିଲେ- ବାଗ କିଛି ନାହିଁ। ସମସ୍ତକୁ ଭଲ ପାଆ। ଦେଖିବୁ ଈଶ୍ବରଙ୍କ ପାଖାପାଖି ହୋଇପାରିବୁ।

ତେବେ ଦିନେ ଫିରୋଜଙ୍କ ଦୁଆର ମୁହଁରେ ଜଣେ ଯୁବତୀ ତାର ଛୋଟ ପୁଅକୁ ସାଙ୍ଗରେ ଧରି ପହଞ୍ଚିଲା। ଫିରୋଜ ଜାଣିଲେ ଯେ ସେ ସ୍ତ୍ରୀ ଲୋକଟି ହେଉଛି ଯୁବକର ପତ୍ନୀ ଏବ˚ ଶିଶୁଟି ତାର ସନ୍ତାନ। ଦୁହିଁଙ୍କ ଦୁରବସ୍ଥା ଦେଖି ଫିରୋଜ ମ୍ରିୟମାଣ ହୋଇଗଲେ। ସେ ସ୍ତ୍ରୀ ଲୋକଟିକୁ କହିଲେ- ତୁମ ସ୍ବାମୀ ଏଠି ଅଛି। ଭିତରକୁ ଯାଇ ତାକୁ ଦେଖା କର।

ସେମାନେ ଭିତରକୁ ପଶିବା ମାତ୍ରକେ ଯୁବକ ବାହାରକୁ ଚାଲିଆସି ଫିରୋଜଙ୍କୁ ବିଚଳିତ ହୋଇ କହିଲା- ମୁଁ ଏମାନଙ୍କୁ ତ୍ୟାଗ କରି ଆପଣଙ୍କ ପାଖକୁ ଆସିଥିଲି ଈଶ୍ବରଙ୍କୁ ପାଇବାକୁ। ଆପଣ ପୁଣି ସେମାନଙ୍କୁ ମୋ ଗଳାରେ ବାନ୍ଧିବାକୁ ଚେଷ୍ଟା କରୁଛନ୍ତି?

ଫିରୋଜ ଧୀର କଣ୍ଠରେ କହିଲେ- ଏମାନଙ୍କୁ ତୁ ଯେମିତି କନ୍ଦାଇଛୁ ସେଥିରୁ ବୁଝି ପାରୁଛି ଯେ ତୁ ଗୋଟାଏ ସୈତାନ। ତୁ ପୁଣି ଈଶ୍ବରଙ୍କ ଭେଟ ପାଇବୁ କେମିତି? ଈଶ୍ବରଙ୍କୁ ପାଇବାକୁ ହେଲେ କେବଳ ଭଲ ପାଇବାକୁ ହୁଏ। ଆଉ କିଛି ବାଟ ନାହିଁ।

ସମ୍ବନ୍ଧିତ ଖବର