ହୃଦୟରେ ଜାଗା

କଥାଟିଏ - ଯାଯାବର

ଜଣେ ଧନୀ ବ୍ୟବସାୟୀ ଥିଲେ। ତାଙ୍କ ବୃଦ୍ଧ ପିତା ତାଙ୍କ ସହିତ ରହୁଥିଲେ। ଏକ ବିରାଟ ପ୍ରାସାଦ ଭଳି ଘରେ ବୃଦ୍ଧ ପିତା ଗୋଟିଏ ମହଲାରେ ଏକୁଟିଆ ପଡ଼ି ରହିଥିଲେ। ତାଙ୍କ ସହିତ କଥା ହେବା ଲାଗି କ୍ଷଣେ ସମୟ ମଧୢ କାହାର ନ ଥିଲା। ବାପାଙ୍କ ଲାଗି ବ୍ୟବସାୟୀ ଚାକର ରଖିଦେଇଥିଲେ, କିନ୍ତୁ ବାପାଙ୍କ କଥା ନିଜେ ବୁଝିବା ତାଙ୍କ ଲାଗି ସମ୍ଭବ ନ ଥିଲା।

ଦିନେ ବାପା କୁଆଡେ଼ ଚାଲିଗଲେ। ବ୍ୟବସାୟୀ ଜଣକ କାମରେ ଏତେ ବ୍ୟସ୍ତ ଥିଲେ ଯେ ଦିନକ ପରେ ତାଙ୍କ ପାଖରେ ଖବର ପହଞ୍ଚି ପାରିଲା ଯେ ବାପା କୁଆଡେ଼ ଚାଲିଯାଇଛନ୍ତି। ବ୍ୟବସାୟୀଙ୍କ ପ୍ରଥମ ଚିନ୍ତା ହେଲା ଏ କଥା ଜଣାପଡ଼ିଗଲେ ତାଙ୍କର ବଦନାମ ହେବ। ତେଣୁ ଯଥାଶୀଘ୍ର ବାପାଙ୍କୁ ଖୋଜିବା ଲାଗି ପୁଲିସର ଆଶ୍ରୟ ନେଲେ ଓ ନିଜେ ଲୋକ ଲଗାଇଲେ। ଖୁବ୍‌ ଶୀଘ୍ର ବାପାଙ୍କ ସନ୍ଧାନ ମିଳିଗଲା। ବାପା ଥିଲେ ତାଙ୍କର ଜଣେ ପୁରୁଣା ବନ୍ଧୁଙ୍କ ଗାଁରେ, ତାଙ୍କରି ଘରେ।

ତାଙ୍କୁ ଫେରାଇ ନେବା ଲାଗି ବ୍ୟବସାୟୀ ଆସିଲେ। କିନ୍ତୁ ବାପା ଫେରିବାକୁ ଆଦୌ ରାଜି ନ ହେବାରୁ ସେ ରାଗି ଯାଇ ପଚାରିଲେ- କୁହ, ତୁମର ସେଠି କ’ଣ ଅଭାବ ଥିଲା?
ବାପା କହିଲେ- ଜାଗାର ଅଭାବ।

ବ୍ୟବସାୟୀ ପୁତ୍ର କହିଲେ- ରାଜମହଲ ଭଳି ସେ ଘରେ ପୁଣି ତୁମକୁ ଜାଗାର ଅଭାବ ହେଲା? ଅଥଚ ଏଇ ଚାଳିରେ ଜାଗା ହେଉଛି?

ବାପା ଧୀର ସ୍ବରରେ କହିଲେ- ଘରେ ଜାଗା ନ ଥିଲା ବୋଲି କହୁନାହିଁ। ସେଠି ହୃଦୟରେ ଜାଗା ନଥିଲା। ଏଠି ଛୋଟ ଘର, ବଡ଼ ହୃଦୟ। ତେଣୁ ଏଠି ଜାଗାର ଅଭାବ ନାହିଁ।

ସମ୍ବନ୍ଧିତ ଖବର