ମହାନ ବିଚାର

କଥାଟିଏ - ଯାଯାବର

ରାଜାଙ୍କ ପାଦ ଧରି ପକାଇ ଜଣେ ବୃଦ୍ଧ କହିଲେ- ଆପଣଙ୍କ ଦୟାର ଆଶ୍ରିତ ଏଇ ବୃଦ୍ଧକୁ କିଛି ଦାନ କରନ୍ତୁ ।

ରାଜା ବୃଦ୍ଧଙ୍କୁ ଦୁଇ ହାତରେ ତୋଳି ଧରିଲେ। ତାଙ୍କୁ ନିଜ ପାଖରେ ବସାଇ କହିଲେ-ଆପଣ ଏଭଳି କାହିଁକି କହୁଛନ୍ତି? ମୁଁ ନିଜେ ତ ଦୟାର ଆଶ୍ରିତ। ଆପଣଙ୍କୁ ବା କି ଦୟା ମୁଁ କରିପାରିବି?

ବୃଦ୍ଧ କହିଲେ- ଆପଣ ଯାହା ଚାହିଁବେ, ତାହା କରିପାରିବେ। ମୋ ପ୍ରତି ଦୟା କରନ୍ତୁ।

ତାଙ୍କୁ ଅଧାରୁ ଅଟକାଇ ଦେଇ ରାଜା କହିଲେ- ନା ସେମିତି ନୁହେଁ। ଦେଖନ୍ତୁ, ମୁଁ ଯେଉଁ ଜଳ ପାନ କରୁଛି, ଯେଉଁ ପବନକୁ ପ୍ରଶ୍ବାସରେ ଗ୍ରହଣ କରି ଜୀବନ ଧାରଣ କରିଛି, ଯେଉଁ ଧରଣୀ ଉପରେ ଛିଡ଼ା ହୋଇଛି ବୋଲି ମୋର ଅସ୍ତିତ୍ବ ଅଛି, ସେ ସବୁ ହେଉଛି ଈଶ୍ବରଙ୍କ ଦୟା। ଯେଉଁ ଅନ୍ନ ଦ୍ବାରା ମୁଁ ଓ ଆମ ରାଜ୍ୟର ସମସ୍ତେ ପ୍ରତିପାଳିତ ତାହା କୃଷକଙ୍କ ଦୟା। ଆପଣ ଯାହା କିଛି ଦେଖୁଛନ୍ତି, ମୋ ପୋଷାକ ପରିଚ୍ଛଦ ଠାରୁ ଆରମ୍ଭ କରି ମୋ ତରବାରି, ରାଜଦଣ୍ତ, ମୋ ସି˚ହାସନ ସବୁ କିଛି ଅନ୍ୟମାନଙ୍କ ଦ୍ବାରା ସୃଷ୍ଟ। ମୁଁ କେବଳ ସେ ସବୁ ଧାରଣ କରୁଛି ବା ସେ ସବୁର ଉପଯୋଗ କରୁଛି। ମୁଁ ସେ ସମସ୍ତଙ୍କ ଦୟାର ଆଶ୍ରିତ।

ବୃଦ୍ଧ କହିଲେ- କିନ୍ତୁ ଆପଣ ତ ରାଜା! ଆପଣଙ୍କ ଅମାପ କ୍ଷମତା!

ରାଜା କହିଲେ- ତାହା ମୋତେ ମିଳିଛି ମୋ ଭାଗ୍ୟ ବଳରୁ, ମୋ ଜନ୍ମ ସୂତ୍ରରୁ। ମୋ ରାଜପଣ ମୋ ଦ୍ବାରା ତିଆରି ହୋଇନାହିଁ। ଆମେ ପ୍ରତ୍ୟେକ ଅନ୍ୟର ଦୟାର ଆଶ୍ରିତ। ତେଣୁ ମୋତେ କେବେ ହେଲେ ସେଭଳି ଉଚ୍ଚାସନ ଦେବେ ନାହିଁ। ମୁଁ ଆପଣଙ୍କୁ ସାହାଯ୍ୟ କରିବି, କିନ୍ତୁ ଆପଣ ମୋର ଦୟାର ପାତ୍ର ବୋଲି ଭାବନ୍ତୁ ନାହିଁ।

ବୃଦ୍ଧ କହିଲେ- ଆପଣ ମହାନ କାରଣ ଆପଣଙ୍କ ବିଚାର ମହାନ।

ସମ୍ବନ୍ଧିତ ଖବର

Comments are closed.