ରାଜାଙ୍କ ବିଚାର

କଥାଟିଏ - ଯାଯାବର

ଏକଦା କୌଣସି ଜଣେ ବ୍ୟକ୍ତିର ଆକ୍ରମଣରେ ରାଜ୍ୟର ଜଣେ ପ୍ରଭାବଶାଳୀ ଅମାତ୍ୟ ନିହତ ହେଲେ। ରାଜା ହତ୍ୟାକାରୀର ଠାବ ପାଇବା ଲାଗି ପୁରସ୍କାର ଘୋଷଣା କରିବାକୁ ଯାଉଛନ୍ତି ଏଭଳି ସମୟରେ ଜଣେ ଯୁବକ ରାଜାଙ୍କୁ ଭେଟିବାକୁ ଚାହିଁଲା। ରାଜା ଭାବିଲେ ଯେ ନିଶ୍ଚିତ ଭାବେ ଯୁବକ ପାଖରେ ହତ୍ୟାକାରୀର କୌଣସି ସୂଚନା ଥିବ। ଯୁବକଟି ପାଖରେ ସୂଚନା ଥିଲା। କିନ୍ତୁ ସେ ଯାହା କହିଲା ସେଥିରେ ରାଜା ଆକାଶରୁ ଗଳିପଡ଼ିଲେ।

କାରଣ ଯୁବକର କହିବାନୁସାରେ ସେ ଥିଲା ହତ୍ୟାକାରୀ। ଯେହେତୁ ସେ ଦୋଷୀ, ସେ ଦଣ୍ତ ପାଇବା ଉଚିତ ବୋଲି ରାଜାଙ୍କ ନିକଟରେ ନିଜକୁ ସମର୍ପଣ କରିବାକୁ ଆସିଥିଲା। ଅମାତ୍ୟ ଜଣେ ଅତ୍ୟାଚାରୀ ସଇତାନ ଥିବାରୁ ତାଙ୍କୁ ସେ ହତ୍ୟା କରିଥିଲା।

ରାଜା ତାକୁ ଜେଲକୁ ପଠାଇଦେଲେ। କିନ୍ତୁ ତାଙ୍କ ମନ ଆନ୍ଦୋଳିତ ହେଲା। ସେ ପରେ ଯାଇ ଯୁବକକୁ ଭେଟିଲେ।

ଦିନେ ରାଜା ଯୁବକକୁ କହିଲେ- ହତ୍ୟାକାରୀ ରୂପେ ତୁମକୁ ମୃତ୍ୟୁ ଦଣ୍ତ ମିଳିବା କଥା। ପୁଣି ନିହତ ବ୍ୟକ୍ତି ଜଣେ ଅମାତ୍ୟ। କିନ୍ତୁ ମୁଁ ତୁମକୁ କ୍ଷମା ଦେଉଛି।

ରାଜାଙ୍କ ଠାରୁ ଏଭଳି କଥା ଶୁଣି ଯୁବକ ଚମକି ପଡ଼ିଲା।

ରାଜା କହିଲେ- କିନ୍ତୁ ଗୋଟିଏ ସର୍ତ୍ତରେ। ତୁମ ସହିତ କଥାବାର୍ତ୍ତାରୁ ମୁଁ ଠଉରାଇ ନେଇ ସାରିଛି ଯେ ତୁମେ ସଚ୍ଚୋଟ, ସତ୍ୟବାଦୀ ଓ ଉତ୍ତମ ସ୍ବଭାବର। କିନ୍ତୁ ତୁମର ସବୁଠାରୁ ବଡ଼ ଶତ୍ରୁ ହେଲା ତୁମ କ୍ରୋଧ। ମୁଁ ଗୋଟିଏ ସର୍ତ୍ତରେ ତୁମକୁ କ୍ଷମା ଦେବି। ତାହା ହେଲା, ତୁମେ ନିଜ ଭିତରେ କ୍ରୋଧକୁ ହତ୍ୟା କରିବ। ତୁମେ ସେଥିରେ ସଫଳ ହେବା ଜରୁରୀ। ତାହା ହେଲେ ତୁମ ଜୀବନ ତ ଆହୁରି ମଧୁର ହେବ। ତା ସହିତ ତୁମ ଭିତରେ ରହିଥିବା କ୍ରୋଧକୁ ମୃତ୍ୟୁ ଦଣ୍ତ ଦେଇ ପାରିଥିବାରୁ ମୁଁ ମଧୢ ନ୍ୟାୟପୂର୍ଣ୍ଣ ବିଚାର କରିଛି ବୋଲି ମନେ କରିବି।

ସମ୍ବନ୍ଧିତ ଖବର