ବୈରାଗୀ ହେବା ଅସମ୍ଭବ

କଥାଟିଏ - ଯାଯାବର

ଥରେ ଜଣେ ଯୁବକ ଜେନ୍ ଗୁରୁ ନେନେଙ୍କ ପାଖରେ ପହଞ୍ଚି କହିଲା ଯେ ସେ ଘର ଦ୍ବାର, ବନ୍ଧୁ ପରିବାର ଆଦି ସମସ୍ତଙ୍କୁ ଛାଡ଼ି ଚାଲିଆସିଛି। ତାର ମନରେ ବୈରାଗ୍ୟ ଆସିଗଲା। ତେଣୁ, ନେନେ ତାକୁ ଶିଷ୍ୟ ଭାବେ ଗ୍ରହଣ କରନ୍ତୁ।

ଦିନର ଅଧିକାଂଶ ସମୟ ଯେମିତି ନେନେ ବଗିଚାରେ ବସିଥାଆନ୍ତି, ସେ ଦିନ ବି ସେମିତି ବସିଥିଲେ। ଯୁବକକୁ ସେ କହିଲେ- ହଉ ଅପେକ୍ଷା କର। ସୁତରାଂ, ଯୁବକ ସେଠ‌ାରେ ବସି ରହିଲା।

ସେ ଦିନ ନେନେଙ୍କ ପାଖକୁ ଆଉ ଦୁଇ ଜଣ ଯୁବକ ବି ଆସିଲେ। ନେନେ ସେମାନଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିନେଲେ। ଏଥର ଯୁବକଟି ଆଉ ସହି ପାରିଲା ନାହିଁ।

ସେ ପ୍ରତିବାଦ କରି କହିଲା- ମହାଶୟ, ଆପଣ ଖରାପ ଭାବିବେ ନାହିଁ। ଏଠାରେ ପାତରଅନ୍ତର ହେଉଥିବା ଦଖିଲି। ମୋ ପରେ ଆସିଥିବା ଦୁଇ ଜଣ ଯୁବକଙ୍କୁ ଆପଣ ଶି‌ଷ୍ୟ ଭାବେ ଗ୍ରହଣ କରିନେଲେ, ଅଥଚ ମୋତେ ଅପେକ୍ଷା କରାଇ ରଖିଛନ୍ତି। ମୁଁ ପୁଣି ବୈରାଗୀ ହୋଇ ମୋ ଘରଦ୍ବାର ସବୁ କିଛି ଛାଡ଼ି ଆସିଛି!

ଯୁବକଟି ପ୍ରାୟ କାନ୍ଦକାନ୍ଦ ହୋଇଗଲା। କିନ୍ତୁ ନେନେ କହିଲେ-ବାବୁ, ତୁମେ ଯଦି ସବୁ କିଛି ଛାଡ଼ି ଆସଲ, ତେବେ ମନଟିକୁ କାହିଁକି ତୁମ ସାଙ୍ଗରେ ନେଇ ଆସିଛ? ବୈରାଗୀ ହେବାକୁ ହେଲେ ମନକୁ ବି ଛାଡ଼ିବାକୁ ହେବ।

ଯୁବକ କହିଲା- ଆଜ୍ଞା, ତାକୁ ବି ଛାଡ଼ି ଆସିଛି। ମୋ ମନରେ କୌଣସି ଲୋଭ କି ଆସକ୍ତି ନାହିଁ।

ନେନେ କହିଲେ- ତାହା ହେଲେ ଆର ଦୁଇ ଜଣଙ୍କୁ ଶିଷ୍ୟ କଲା ବେଳେ ତୁମେ କାହିଁକି କାନ୍ଦି ପକାଇଲ? ନିଜ ପ୍ରତି ତୁମର ଆସକ୍ତି ଏ ଯାବତ୍‌ ଯାଇନାହିଁ। ତେଣୁ ବୈରାଗୀ ହେବା ଅସମ୍ଭବ।

ସମ୍ବନ୍ଧିତ ଖବର

Comments are closed.