କ୍ଷତିି ଭରଣା

କଥାଟିଏ - ଯାଯାବର

ଥରେ ତରୁଣ ରାଜପୁତ୍ର ସାଙ୍ଗମାନଙ୍କ ସହ ଗମାତ କରୁଥିବା ବେଳେ ଜଣେ ଚାଷୀଙ୍କ ବଗିଚାରେ ପଶି ସବୁ କିଛି ନଷ୍ଟଭ୍ରଷ୍ଟ କରିଦେଲେ। ଚାଷୀ ଜଣକ ଦୁଃଖରେ ଭାଙ୍ଗିପଡ଼ିଲେ। ତାଙ୍କର ଅନେକ ଦିନର ପରିଶ୍ରମ ନଷ୍ଟ ହୋଇଗଲା। ନଷ୍ଟଭ୍ରଷ୍ଟ କରିଥିବା ଦଳରେ ଖୋଦ୍‌ ରାଜପୁତ୍ର ଥିବାରୁ ରାଜା ଯେ, ତାଙ୍କ ଅଭିଯୋଗ ଶୁଣିବେନାହିଁ, ସେ ମନେ ମନେ ଭାବିନେଲେ। ଚାଷୀଙ୍କ ପତ୍ନୀ କିନ୍ତୁ କହିଲେ- ତୁମେ ରାଜାଙ୍କ ପାଖରେ ଅଭିଯୋଗ କର। କାରଣ ଏହା କୌଣସି ଛୋଟ କଥା ନୁହେଁ। ଏହା ସେମାନଙ୍କ ଲାଗି ଖେଳ ହୋଇପାରେ, କିନ୍ତୁ ତୁମ ଲାଗି ତ ପ୍ରତ୍ୟହ ଅନ୍ନର ପ୍ରଶ୍ନ। ତେଣୁ ଚାଷୀ ରାଜାଙ୍କ ନିକଟରେ ଅଭିଯୋଗ କଲେ।

ରାଜା ସବୁ କଥା ଶୁଣି ଚାଷୀଙ୍କୁ କ୍ଷତିପୂରଣ ଦେବା ସହ ରାଜକୁମାର ଓ ତାଙ୍କ ସାଙ୍ଗମାନଙ୍କୁ ବଗିଚା କାମରେ ଲଗାଇଲେ। ପୁଣି ସେମାନଙ୍କ କାମର ତଦାରଖ ଲାଗି ଲୋକ ଲଗାଇ ଦେଲେ।

ଏ କଥା ରାଣୀଙ୍କୁ ଅସହ୍ୟ ହେଲା। ସେ ରାଜାଙ୍କୁ କହିଲେ- ଏ କି ବିଚାର କଲେ? ଚାଷୀକୁ ତ କ୍ଷତି ପୂରଣ ଅର୍ଥ ଦେଲେ, ୟେ ପୁଣି କ’ଣ?

ରାଜା କହିଲେ- ଏହା ହେଉଛି ଆମ ଦ୍ବାରା ରାଜପୁତ୍ରଙ୍କ ଲାଗି ହୋଇଥିବା କ୍ଷତିର ଭରଣା। ଆମର ଅତିରିକ୍ତ ସ୍ନେହ ରାଜପୁତ୍ରଙ୍କ ଲାଗି ଯେଉଁ କ୍ଷତି କରିଛି, ତାର ଭରଣା ଏମିତି ହେଉ। ସେ କଷ୍ଟ ପାଉ ଓ ତା ସହିତ ଆମେମାନେ ବି କଷ୍ଟ ପାଉ? ଏହା ଦ୍ବାରା ଆମେ ତିନି ହେଁ ସୁଧୁରିବା। ତା ଛଡ଼ା ବଡ଼ କଥା ହେଲା, ରାଜପୁତ୍ର ନ୍ୟାୟ ବିଚାର ବୋଇଲେ କ’ଣ ତାହା ବୁଝିପାରିବେ ଯାହା ତାଙ୍କୁ ଭବିଷ୍ୟତ୍‌ରେ ଜଣେ ଭଲ ରାଜା କରିବ।

ସମ୍ବନ୍ଧିତ ଖବର