ମାତାଲଙ୍କ ସାହାଯ୍ୟ

କଥାଟିଏ - ଯାଯାବର

ମୁଲ୍ଲା ନସିରୁଦ୍ଦିନ ଥରେ ମାତାଲ ଅବସ୍ଥାରେ ରାତିରେ ଯାଉଥିବା ବେଳେ ନାଳରେ ଗଳି ପଡ଼ିଲେ ଏବ˚ ତାଙ୍କର କିଛି ହାଡ଼ ଭାଙ୍ଗିଗଲା। ତାଙ୍କ ପାଟି ଶୁଣି ତାଙ୍କୁ ଯିଏ ଉଦ୍ଧାର କରିବାକୁ ଆସିଲା, ସେ ବି ଥିଲା ଜଣେ ମାତାଲ। କିନ୍ତୁ ସେ ଚେଷ୍ଟା କଲା ଓ ମୁଲ୍ଲାଙ୍କୁ ଗାତ ଭିତରୁ ବାହାର କରି କଷ୍ଟେମଷ୍ଟେ ଚଲାଇ ଚଲାଇ ଆଗକୁ ନେଲା ବେଳକୁ ଆଉ ଥରେ ମୁଲ୍ଲାଙ୍କୁ ପକାଇ ଦେଲା ଓ ମୁଲ୍ଲାଙ୍କ ଆଉ ଦୁଇଟି ହାଡ଼ ଭାଙ୍ଗିଗଲା। ମୁଲ୍ଲା ଆହୁରି ଜୋରରେ ପାଟି କରି ଉଠିଲେ। ପାଖରେ ମଦ ଭାଟିଟି ଥିବାରୁ ଆଉ ଚାରି ଜଣ ମାତାଲ ଜୁଟି ଯାଇ ମୁଲ୍ଲାଙ୍କୁ ବୋହି ବୋହି ଡାକ୍ତରଖାନା ନେବାକୁ ସ୍ଥିିର କଲେ ଏବ˚ କହିବା ବାହୁଲ୍ୟ ସେମାନେ ମୁଲ୍ଲାଙ୍କୁ ଆଉ ଥରେ ତଳେ ପକାଇ ଦେଲେ ଓ ମୁଲ୍ଲାଙ୍କ ଆଉ ଦୁଇଟି ହାଡ଼ ଭାଙ୍ଗିଗଲା।

ତେବେ ଯାହାହେଉ, ମୁଲ୍ଲାଙ୍କ ସ୍ତ୍ରୀ ଖବର ପାଇ ଆସିବାରୁ ସେ ଡାକ୍ତରଖାନାରେ ପହଞ୍ଚି ପାରିଲେ। ମୁଲ୍ଲାଙ୍କୁ ଦେଖା କରିବାକୁ ସେଠାକାର ମେୟର ଆସିଲେ। ସେ ପଚାରିଲେ- ମୁଲ୍ଲା, କଷ୍ଟ ହେଉଛି।

ମୁଲ୍ଲା ଉତ୍ତର ଦେଲେ- ଠିକ୍‌ ଅଛି। କେବଳ ହସିଲା ବେଳେ କାଟୁଛି।

ମେୟର କହିଲେ- କିହୋ, ତୁମେ ହସୁଛ କାହିଁକି?

ମୁଲ୍ଲା କହିଲେ- ମୋର ଯେତେବେଳେ କାଲି ରାତି କଥା ମନେ ପଡ଼ି ଯାଉଛି, ମୋତେ ହସ ଲାଗୁଛି। ମୁଁ ମାତାଲ। ମୋ ଡାକ ଶୁଣି ଯେଉଁମାନେ ସାହାଯ୍ୟ କରିବାକୁ ଆସିଲେ ସମସ୍ତେ ମାତାଲ। ସେମାନଙ୍କ ଭିତରୁ କେହି ସିଧା ଛିଡ଼ା ହୋଇ ପାରୁ ନ ଥିଲେ, କିନ୍ତୁ ସମସ୍ତେ ମୋତେ ସାହାଯ୍ୟ କରିବାକୁ ତତ୍ପର। ଏ କଥା ଭାବିବା ମାତ୍ରକେ ହସ ମାଡୁଛି।

ଏହା ପରେ ଗୁରୁ କହିଲେ- ଆମମାନଙ୍କ ଅବସ୍ଥା ମୁଲ୍ଲାଙ୍କ ଭଳି। ଆମେ ସମସ୍ତେ ଏକାଭଳି ଦୋଷଯୁକ୍ତ କିନ୍ତୁ ତାହା ମାନିବାକୁ ପ୍ରସ୍ତୁତ ନୁହେଁ।

ସମ୍ବନ୍ଧିତ ଖବର