ମାଙ୍ଗାୟମାଙ୍କ ଝିଅ

ଅଣାକାର

ଗୋଟିଏ ରୋଚକ ଏବଂ ଅଶ୍ରୁତପୂର୍ବ ଘଟଣା ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ଗୁଣ୍ଟୁୁର ସହରରେ ଘଟିଛି। ତାହା ହେଲା, ସେପ୍‌ଟେମ୍ବର ୨୦୧୯ରେ ପୂର୍ବ ଗୋଦାବରୀ ଜିଲ୍ଲାର ଏକ ଗାଁର ୭୪ ବର୍ଷ ବୟସ୍କା ମାଙ୍ଗାୟମା ଗୁଣ୍ଟୁରର କୌଣସି ଗୋଟିଏ ଘରୋଇ ଡାକ୍ତରଖାନାରେ ଯାଆଁଳା କନ୍ୟା-ସନ୍ତାନ ପ୍ରସବ କରିଛନ୍ତି। ପ୍ରକାଶ ଥାଉ କି ମାଙ୍ଗାୟମା ୧୯୬୨ ମସିହାରେ ବିବାହ କରିଥିଲେ। ତେବେ ତାଙ୍କର ସନ୍ତାନ-ସନ୍ତତି ହେଉ ନ ଥିବାରୁ ବିବ୍ରତ ଥିଲେ। ଶେଷରେ ‘ଆଇଭିଏଫ୍‌’ ପ୍ରଣାଳୀ ଦ୍ବାରା ଗର୍ଭ ସଂଚାର କରାଇ ‘ସିଜେରିଆନ ସେକ୍‌ସନ‘ ଦ୍ବାରା ମା’ ହେବାରେ ସଫଳ ହେଲେ। ଏହି ଶୁଭ ସମ୍ବାଦ ତାଙ୍କ ଅଶୀ ବର୍ଷ ବୟସ୍କ ସ୍ବାମୀଙ୍କୁ ଖୁବ୍‌ ଉଲ୍ଲସିତ କରିଥିଲା।

ଗୋଟିଏ ଦୃଷ୍ଟିରୁ ବିଚାର କଲେ ଘଟଣାଟି ଅଭିନନ୍ଦନୀୟ। କାରଣ ବୟସାଧିକ୍ୟକୁ ଗୁରୁତ୍ବ ଦେଉ ନ ଥିବା କିଛି ଲୋକଙ୍କ ସକା‌େଶ ‘ବୟସ’ କେବଳ ମାତ୍ର ଗୋଟିଏ ସାଧାରଣ ସ˚ଖ୍ୟା ଠାରୁ ଅଧିକ କିଛି ନୁହେଁ। ଜଣକର ମାନସିକତା ଏବ˚ ଇଚ୍ଛା-ଶକ୍ତି ସୂଚାଏ ଯେ ସେ ବୃଦ୍ଧ ନା ନୁହେଁ! ତେବେ, ଏ କଥା ସତ ଯେ ମାଙ୍ଗାୟମାଙ୍କ ସମ ବୟସୀମାନେ ସ୍ବପ୍ନରେ ସୁଦ୍ଧା ଏ ବୟସରେ ସନ୍ତାନ ଜନ୍ମ କରିବା କଥା ଚିନ୍ତା କରିପାରିବେ ନାହିଁ। ସେ ଦୃଷ୍ଟିରୁ ମାଙ୍ଗାୟମା ଅସୀମ ସାହସ ପ୍ରଦର୍ଶନ କରିଛନ୍ତି ବୋଲି କହିବାକୁ ହେବ।

କିନ୍ତୁ ଏହାକୁ କେତେକ ସମାଲୋଚନା ମଧ୍ୟ କରୁଛନ୍ତି। ସେମାନଙ୍କ ମତରେ ଏହି ବୟସରେ ସନ୍ତାନର ଜନକ-ଜନନୀ ହେବା କେବଳ ଅଶୋଭନୀୟ ନୁହେଁ, ଦାୟିତ୍ବହୀନତାର ପରିଚୟ। ସେମାନେ ପ୍ରଶ୍ନ କରନ୍ତି ଯେ ସେମାନେ ଏହି ପିଲାମାନଙ୍କ ଉଚିତ ଲାଳନପାଳନ କରିବାକୁ ସକ୍ଷମ ହେବେ ତ? ସମାଲୋଚକମାନଙ୍କ ଭୟ ଯେ ଏହି ବୃଦ୍ଧ ଦଂପତିଙ୍କ ଆୟୁଷ ଆଉ କେତେ ଦିନ ବାକି ସେ କଥା କିଏ ଜାଣେ? ସେହି ଅବସ୍ଥାରେ ସନ୍ତାନଙ୍କୁ ଭୂମିଷ୍ଠ କରିବା ଘୋର ଅପରିଣାମଦର୍ଶିତା ମାତ୍ର!

କିନ୍ତୁ ମାଙ୍ଗାୟମାଙ୍କ ସପକ୍ଷବାଦୀମାନେ କହନ୍ତି ଯେ ଏ ଯେଉଁ ଯୁକ୍ତି, ତାହା ଗ୍ରହଣୀୟ ନୁହେଁ। କାହାର ଆୟୁଷ କେତେ ଦିନ ତାହା କେବଳ ଭଗବାନଙ୍କୁ ଜଣା। ତେଣୁ ସେଇ ଚିନ୍ତାର ଆଧାରରେ ମାଙ୍ଗାୟମା ଓ ତାଙ୍କ ସ୍ବାମୀଙ୍କୁ ଦୋଷ ଦେବାର କୌଣସି କାରଣ ନାହିଁ। ବରଂ ଦେଖିବା କଥା ସେମାନେ ଏବେ ଏଭଳି କେତେ ଲୋକଙ୍କୁ ସାହସ ଓ ପ୍ରେରଣା ଦେଇଛନ୍ତି, ଯେଉଁମାନେ ସନ୍ତାନ ରଙ୍କୁଣା ଅଥଚ ପରିଣତ ବୟସ ପର୍ଯ୍ୟନ୍ତ ନିଃସନ୍ତାନ ହୋଇ ଅଛନ୍ତି! ଆମେ ଏବେ କେବଳ ଏତିକି କହିବା ଯେ ମାଙ୍ଗାୟମା ଓ ତାଙ୍କ ସ୍ବାମୀ ଭଲରେ ରହନ୍ତୁ ଏବଂ ତାଙ୍କ ଝିଅମାନେ ଖେଳିବୁଲି ବଢ଼ନ୍ତୁ।

ମୋ-୯୪୩୭୦୨୬୬୫୧

ସମ୍ବନ୍ଧିତ ଖବର