ଟିିକିଏ ପଚାଶ ଦଶକକୁ ଫେରିଯିବା। ସେ ସମୟରେ କଟକରେ ହାତଗଣତି କେତେଜଣ ଲୋକଙ୍କ ଘରେ ଟେଲିଫୋନ୍‌ ଥିଲା। ପିଲାଦିନେ ଆମେ ରହୁଥିବା ମାନ୍ନାବିଲାସ ଗଳିରେ କେବଳ ଭୀମା ବରଫ କଳର ମାଲିକ ପ୍ରବାଦପୁରୁଷ କୁମର୍ଜିକର୍ସନ ରାଠୋରଙ୍କ ଅଫିସ୍‌ରେ ଗୋଟିଏ ଫୋନ୍‌ ଥିଲା। ସେହି ଫୋନ୍‌ର ନମ୍ବର‌୍‌ ଥିଲା ୨୮। ମୋ ପିତା ମାଧବ ଚନ୍ଦ୍ର ଦାସଙ୍କ ସମେତ ସେହି ଅଞ୍ଚଳର ଅନେକ ଲୋକ ଫୋନ୍‌ କରିବାକୁ ସେଠାକୁ ଯାଉଥିଲେ। ସେ ସମୟର ଟେଲିଫୋନ୍‌ ନମ୍ବର ଡାଏଲ୍‌ କରିବାର ବ୍ୟବସ୍ଥା ନ ଥିଲା। ଅପରଟେର‌୍‌ ମାଧ୍ୟମରେ ଯୋଗାଯୋଗ ସ୍ଥାପନ ହେଉଥିଲା। ପରେ ପରେ ଆସିଲା ଟ୍ରଙ୍କ ବୁକିଙ୍ଗ୍‌, ଅର୍ଡିନାରୀ, ଲାଇଟନିଙ୍ଗ୍‌, ଲାଇଫ୍‌ସେଭିଙ୍ଗ୍‌ ଏମିତି କେତେ ରକମର କଲ୍‌ ବ୍ୟବସ୍ଥା। ସେତେବେଳେ ନା ଏସ୍‌ଟିଡି ଥିଲା ନା ଥିଲା ଟେଲିଭିଜନ୍‌। କାଁଭାଁ କେହି କେହି ବ୍ୟାଟେରି ଦ୍ବାରା ପରିଚାଳିତ ରେଡିିଓ ରଖିଥିଲେ। ସାଧାରଣ ଲୋକଙ୍କ ପାଖରେ ଫ୍ରିଜ୍‌, କାର‌୍‌, ଗ୍ୟାସ୍‌ କି ମଟରସାଇକେଲ୍‌ କି ମୋପେଡ୍‌ ନ ଥିଲା। ଏଥିରୁ ଯଦି କାହାର କିଛି ଥିଲା, ସେ ଜଣେ ‘ସମ୍ଭ୍ରାନ୍ତ’ ବ୍ୟକ୍ତି ହୋଇଥିବା ଥିଲା ସୁନିଶ୍ଚିତ।

Advertisment

୧୯୬୫ ମସିହାରେ ଆମ ଘରକୁ ଫୋନ୍‌ ଆସିଲା। ତାହାର ନମ୍ବର ଥିଲା ୧୯୮୬। ଲୋକଙ୍କ ମଧ୍ୟରେ ଟେଲିଫୋନ୍‌ର ଚାହିଦା ଯୋଗୁଁ ଚାରିଟିକିଆ ନମ୍ବର ଆଜି ସାତଟିକିଆ ନମ୍ବର ପାଲଟି ଯାଇଛି। ମାନୁଆଲ ଏକ୍‌ସଚେଞ୍ଜ୍‌ ଯୁଗରୁ ଆମେ ଆଜି ଲ୍ୟାଣ୍ତଲାଇନ୍‌ର ମୃତ୍ୟୁ ଯୁଗରେ ପହଞ୍ଚି ସାରିଲୁଣି। ଆଜି ଘରେ ପ୍ରତ୍ୟେକ ସଦସ୍ୟ ପାଖରେ ଗୋଟିଏ କି ଦୁଇଟା ନିଜସ୍ବ ମୋବାଇଲ୍‌ ଫୋନ୍‌।

୧୯୯୫ ମସିହାରେ ଭାରତକୁ ମୋବାଇଲ୍‌ ଫୋନ୍‌ ଆସିଲା। କଳା ରଙ୍ଗର ୯ ଇଞ୍ଚ ଲମ୍ବା ମୋଟୋରୋଲା ଫୋନ୍‌, ଯାହାର ମୁଣ୍ତରୁ ଏକ ଆଣ୍ଟେନା ବାହାରିଥିଲା। ସେତେବେଳେ ଫୋନ୍‌ କରିବା ପାଇଁ ମୋଟା ଟଙ୍କା ଦେବାର ଭୟରେ ଲୋକମାନେ ‘ମିସ୍‌ଡ୍‌ କଲ୍‌’ ଦେବା ପସନ୍ଦ କରୁଥିଲେ ଓ ଭାବିଚିନ୍ତି କଲ୍‌ ରିସିଭ୍‌ କରୁଥିଲେ। ଆଜି କିନ୍ତୁ ଫୋନ୍‌ ଧରି ବାଟରେ ଘାଟରେ, ପାର୍କରେ ଓ ପ୍ରେକ୍ଷାଳୟରେ ସବୁଠି ସମସ୍ତଙ୍କୁ ଦେଖିବାକୁ ମିଳୁଛି। ଉପଲବ୍‌ଧ ତଥ୍ୟ ଅନୁସାରେ ସେପ୍‌ଟେମ୍ବର ଶେଷ ସୁଦ୍ଧା ଭାରତବର୍ଷରେ ମୋଟ ଟେଲିଫୋନ୍‌ ଗ୍ରାହକଙ୍କ ସ˚ଖ୍ୟା ୧୧୯ କୋଟି ୫୨ ଲକ୍ଷରେ ପହଞ୍ଚିଛି। ଏମାନଙ୍କ ମଧୢରୁ କେବଳ ମୋବାଇଲ ଫୋନ୍‌ ଗ୍ରାହକଙ୍କ ସ˚ଖ୍ୟା ୧୧୭ କୋଟି ୩୭ ଲକ୍ଷ। ଫଳରେ ଦେଶରେ ଟେଲିଫୋନ୍‌ ସାନ୍ଦ୍ରତା ୯୦.୫୨%ରେ ପହିଛି। ଅର୍ଥାତ୍‌ ୧୦୦ ଜଣ ଲୋକରେ ୯୦.୫୨ ଜଣ ଟେଲିଫୋନ୍‌ ବ୍ୟବହାର କରୁଛନ୍ତି। (ସମ୍ବାଦ, ୨୦.୧୧.୧୯) ନିକଟରେ ଏକ ସର୍ବଭାରତୀୟ ସର୍ଭେରୁ ଜଣାପଡ଼ିଛି ଯେ ଦେଶରେ ୫୪% ଫୋନ୍‌ ବ୍ୟବହାରକାରୀ ମୋବାଇଲ୍‌କୁ ଦିନରାତି ସବୁବେଳେ ଅନ୍‌ ରଖିଥାନ୍ତି। ମାତ୍ର ୨୫% ବ୍ୟବହାରକାରୀ ସୁଇଚ୍‌ ଅଫ୍‌ କରନ୍ତି। ୪୪% ଲୋକ ପ୍ରତି ୧୦ ମିନିଟ୍‌ରେ ଥରେ ମୋବାଇଲ୍‌ ଫୋନ୍‌ ବ୍ୟବହାର କରୁଥିବା ବେଳେ ୨୭% ଲୋକ ପ୍ରତି ଏକ ଘଣ୍ଟାରେ ଥରେ ମୋବାଇଲ୍‌କୁ ଚେକ୍‌ କରୁଛନ୍ତି। ଯୁବବର୍ଗଙ୍କ ମଧୢରେ ମୋବାଇଲ୍‌କୁ ନେଇ ବ୍ୟବହାର ଓ ଉତ୍ସାହ ଅଧିକ ବୋଲି ଏହି ସର୍ଭେରୁ ଜଣାପଡ଼ିଛି। ଜଣେ ସହରୀ ଯୁବକ ମୋବାଇଲ୍‌ରେ ଦିନକୁ ୧୦୨ ମିନିଟ୍‌ କଥାବାର୍ତ୍ତା କରନ୍ତି। ତେବେ ଜୀବିକା, ବୟସ, ଲିଙ୍ଗ, ଭାଷା ନିର୍ବିଶେଷରେ ଆଜି ସମସ୍ତେ ମୋବାଇଲ ଫୋନ୍‌ ବ୍ୟବହାର କରନ୍ତି। ବିଶେଷ କରି ଏଇ ମୋବାଇଲ୍‌ ଫୋନ୍‌ ପରନିନ୍ଦା ଓ ପରଚର୍ଚ୍ଚା ସ˚ସ୍କୃତିକୁ ଅନେକ ସୁହାଇଛି।

ଆଜିର ମୋବାଇଲ୍‌-ମନସ୍କ ମାନସିକତା ଯୁବପିଢ଼ିଙ୍କ ଜୀବନଶୈଳୀରେ ବଡ଼ ଧରଣର ପରିବର୍ତ୍ତନ ଆଣିଛି। ସେଥିରୁ ଅନେକ ସମସ୍ୟା ସୃଷ୍ଟି ହେଉଛି। ଖାଇବା ଓ ଶୋଇବାରେ କିଛି ଠିକ୍‌ ସମୟ ରହୁନାହିଁ ଯାହା ବିଭିନ୍ନ ରୋଗ ସୃଷ୍ଟି କରୁଛି। ମୋବାଇଲ୍‌ ଯୋଗୁଁ ବଡ଼ ବଡ଼ ଦୁର୍ଘଟଣା ମଧୢ ଘଟୁଛି। ଟିକ୍‌ଟକ୍‌ ପରି ଆପ୍‌ର ଆଦର ଆମ ଯୁବପିଢ଼ିଙ୍କଠାରେ ଅଧିକ। ଏହା ମନୋରଞ୍ଜନର ଖୋରାକ ଯୋଗାଉଛି ସତ, ହେଲେ ଏହାର ନକାରାତ୍ମକ ପ୍ରଭାବ ଆମ ସମାଜରେ ପଡୁଛି।

ସିଧା ସିଧା କହିଲେ ‘ମୋବାଇଲ୍‌ ରୋଗ’ ନାମକ ଏକ ନୂତନ ରୋଗ ଆମ ସମାଜକୁ ଆକ୍ରାନ୍ତ କରିସାରିଲାଣି। ଏଥିରେ ପେଟ ଫମ୍ପାର ନିଦାନଠାରୁ ଆରମ୍ଭ କରି କାମିନୀ ବଶୀକରଣ ମନ୍ତ୍ର ପର୍ଯ୍ୟନ୍ତ ସବୁପ୍ରକାର ତତ୍ତ୍ବ ଅତ୍ୟନ୍ତ ସୁବିଧାରେ ଆଲୋଚନା କରିହୁଏ। ଫୋନ୍‌ ମାଧ୍ୟମରେ ଗୁରୁତ୍ବପୂର୍ଣ୍ଣ ବିଷୟ ନେଇ ଚର୍ଚ୍ଚା ଖୁବ୍‌ କମ୍‌।

ପ୍ରେମ ବଜାରରେ ମୋବାଇଲ୍‌ର ଭୂମିକା ମଧୢ କିଛି କମ୍‌ ନୁହେଁ। ମୋବାଇଲ୍‌ ଜରିଆରେ ପ୍ରେମର ମାର୍ଗ ଅତ୍ୟନ୍ତ ସୁଗମ ହୋଇଛି। ଆଗକାଳର ‘ପତ୍ରବନ୍ଧୁ’ ପରି ଏବେ ‘ମୋବାଇଲ୍‌ ବନ୍ଧୁ’ର ସ˚ଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ବିବାହ ଇତ୍ୟାଦିରେ ଗୁଆ ଦିଆନିଆ କିମ୍ବା ଭଣ୍ତାରି ହାତରେ ଖବର ପରିବର୍ତ୍ତେ ମୋବାଇଲ୍‌ ଫୋନ୍‌ ସୁନ୍ଦର ଭାବେ ଦାୟିତ୍ବ ତୁଲାଉଛି। ଆଉ କେହି କାହା ପାଖକୁ ଚିଠି ଲେଖୁ ନାହାନ୍ତି। ଜଖମ ଇ˚ରେଜୀରେ ଏସ୍‌ଏମ୍‌ଏସ୍‌ ସେହି ସ୍ଥାନ ଜବରଦଖଲ କରିଛି। ଏପରି ବ୍ୟବସ୍ଥା ଆଗରୁ ଥିଲେ ପୃଥିବୀରେ ବହୁତ ସାହିତ୍ୟ ସୃଷ୍ଟି ହୋଇ ନ ଥାନ୍ତା। ନେହରୁ ତାଙ୍କ କନ୍ୟା ଇନ୍ଦିରାଙ୍କୁ ଚିଠି ଲେଖି ନ ଥାନ୍ତେ। ଆବ୍ରାହମ୍‌ ଲିଙ୍କନ୍‌ ତାଙ୍କ ପୁଅର ସ୍କୁଲ୍‌ ଶିକ୍ଷକଙ୍କୁ ଚିଠି ଲେଖି ନ ଥାନ୍ତେ। ସତ କହିଲେ, ମୋବାଇଲ୍‌ ଫୋନ୍‌ ଆମ ସାମାଜିକ ସମ୍ପର୍କର ଚେହେରା ସୁଦ୍ଧା ବଦଳେଇ ଦେଇଛି।

ମୋବାଇଲ୍‌ ଫୋନ୍‌ ମଣିଷ ସଭ୍ୟତା ଲାଗି ଏକ ବରଦାନ। ଉପାଦେୟ ତଥ୍ୟ ଓ ସୂଚନା ହାସଲ କରିବା ବଦଳରେ ମୁଖ୍ୟତଃ ମନୋରଞ୍ଜନ ପାଇଁ ମୋବାଇଲ୍‌ର ବ୍ୟବହାର ଏହି ଶକ୍ତିଶାଳୀ ଉପକରଣ ପ୍ରତି ଅପମାନ। ଏହା ଆମମାନଙ୍କର ସାମାଜିକ-ସା˚ସ୍କୃତିକ ଜୀବନକୁ ଅର୍ଥହୀନତା, ଅସାରତା ଓ କୃତ୍ରିମତା ଭିତରେ ଛନ୍ଦି ଆମମାନଙ୍କୁ ଶ୍ବାସରୁଦ୍ଧ କରି ନ ଦେଉ।

ଗିଲ୍‌ବାଖ୍‌ ଷ୍ଟ୍ରାସେ ୯୫ଏ, ୪୧୪୬୬ ନଏସ୍‌, ଜର୍ମାନୀ
[email protected]