ବୋଉର ଫଟୋ

ସତ୍ୟନାରାୟଣ ଗନ୍ତାୟତ

ଛବି ବି କଥା କହେ ବୋଲି ଠାଏ ପଢିଥିଲେ ହେଁ ସେ ନେଇ ଖୁବ୍‌ ବେଶୀ ଭାବି ନଥିଲି। ବର˚ ପ୍ରାକୃତିକ ଦୃଶ୍ୟ ସମ୍ବଳିତ କ୍ୟାଲେଣ୍ତର ପୃଷ୍ଠା, ହରରଙ୍ଗୀ ଚିତ୍ର ଭରା ନୋଟ ଖାତା, ପତ୍ରପତ୍ରିକାଦିର ମଲାଟକୁ କଥାଟି ସହ ଯୋଡି ଏଇଆ ଭାବିଥିଲି ଯେ ସୁନ୍ଦର ଛବିମାନେ ସତରେ ମନ ମୋହିଥାନ୍ତି।

ଫଟୋ ଉଠାଇବା ଆମ ପିଲା ବେଳୁ କେବଳ ଆବଶ୍ୟକତା-କୈନ୍ଦ୍ରିକ ଥିଲା। ତେଣୁ, ସୌଖୀନ ଭାବେ ଫଟୋ ଉଠାଇବାର ଝୁଙ୍କ୍‌ ନ ଥିଲା। ଫଟୋ ଉଠୁଥିଲା ବାହାବ୍ରତ ଆଦି ବେଳେ। ଫଟୋ ଉଠୁଥିଲା କଦବା କେମିତି କୁଆଡେ ବୁଲି ଯାଇଥିବା ବେଳେ ବା ପରୀକ୍ଷା ପାଇଁ ଆବେଦନ ପତ୍ର ଭରିବା ବେଳେ।

ଘରେ ଫଟୋର ଏଭଳି ପରିସ୍ଥିତି ବେଳେ ବୋଉ ଫଟୋ କହିଲେ ତା ବାହା ହେବା ବେଳର କଳାଧଳା ଫଟୋକୁ ହିଁ ବୁଝୁଥିଲା। ତା ବାଦ୍‌ ସେ ପିଉସୀ, ଦାଦା, ମାଉସୀ ଓ ମାମୁ ମାନଙ୍କ ସେମିତି ବାହାଘର ବେଳେ ଉଠିଥିବା ଫଟୋକୁ ବୁଝୁଥିଲା। ବୋଉ ତାର ସେଇ ଫଟୋ ସହ ଅଜା ଆଈଙ୍କ ବନ୍ଧେଇ ହୋଇଥିବା ଫଟୋଟିଏ ଅବଶ୍ୟ ତା ପେଡ଼ିରେ ସାଇତି ରଖିଥିଲା ଓ ତାକୁ ବହୁ ସମୟରେ ସତୃଷ୍ଣ ନୟନରେ ଦେଖୁଥିଲା।

ବେଳେ ବେଳେ ପରିବାରର ବାହାଘରିଆ ଫଟୋ ଭିତରୁ ଗୋଟାଏ ଦେଖାଇ ପଚାରୁ ଥିଲା : ଦେଖ୍‌, ଇଏ କିଏ ଚିହ୍ନି ପାରୁଚୁ?

ଇଏ ତୋ ଖୁଡ଼ୀ!

ପୁଣି କହୁଥିଲା: ହଁ ଚିହ୍ନିବ କେମିତି? ସେତେବେଳେ ସୁନା ଖଡ଼ିକା ବାଗିଆ ଥିବା ପାତେଳି ଝୁଅଟା ଏବେ କେଡେ଼ ଘାଏଁ ମୋଟେଇ ଯାଇଚି, ଦେଖୁନା?

ଘରେ ଯେବେ ଫଟୋର ଆଲବମଟିଏ ହେଲା ତହିଁରେ ଏସବୁ ହିଁ ରହିଥିଲା। ତେବେ ବାପାଙ୍କୁ ଅସମୟରେ ହରାଇବା ପର ଠୁ ଅବଲୀଳା କ୍ରମେ ଘରଟି ଯାତନାର ଘେରଟିଏ ବନିଗଲା ଓ ତାକୁ ସାମନା କରି ଆମକୁ ମଣିଷ କରିବାର ଗୁରୁ ଦାୟିତ୍ବ ନିଜେ ମୁଣ୍ତାଇବା ଭିତରେ ବୋଉ ସତେ ଅବା ପାଲଟିଗଲା ମାଟି ପିତୁଳାଟେ।

ପରେ ପରେ ବୋଉର ସୁକୃତରୁ ଆମେ ଚାକିରି କରି ଘରେ ସ୍ବଚ୍ଛଳତା ଆସିବା ପରେ ବୋଉ ପୂର୍ବାପେକ୍ଷା ପ୍ରସନ୍ନବଦନା ଦିଶିଲା ଜରୁର, ହେଲେ ଘରେ ଛୋଟ କ୍ୟାମେରାଟେ ଥିଲେ ବି ଫଟୋ ପାଇଁ ଖୁବ୍‌ ବେଶୀ ଆଗ୍ରହ ଦେଖାଉ ନଥିଲା ସେ।

ବୋଉର ବୋହୂ ଆସିଲା। ନାତୁଣୀଟିଏ ଜନ୍ମିଲା ବେଳକୁ କିନ୍ତୁ ବଦଳି ଯାଇଥିଲା ସମୟ। କାରଣ ସେଇ ବୋଉ ଇ ଥରେ କହିଲା: ବାବୁରେ, ସେଇ ଏଡିକି ବକଟେ ମୋବାଇଲ ଫୁନଟେ ଧରି ବୁଲୁଚୁ, ସମସ୍ତେ ଧରିଥିବା ପରି ବଡଟିଏ,ଏମିତି ଟିପିଟିପି ନ ମାରି ଛୁଇଁଲା ମାତ୍ରେ ଚାଲୁଥିବା ଫୁନଟେ କିଣୁନୁ!

ବାସ୍‌,ବୋଉର ସେଇ ପଦକ କଥା ଏତେ ପ୍ରଭାବୀ ଥିଲା ଯେ ଘରକୁ ଆସିଗଲା ଦୁଇ ଦୁଇଟି କ୍ୟାମେରା ଯୁକ୍ତ ଟଚ୍‌ ସ୍କ୍ରିନ୍‌ ମୋବାଇଲ ହେଣ୍ତସେଟ୍‌!

ତା ପରଠୁ ଧୀରେ ଧୀରେ ଘରେ ସଭିଏଁ ଫଟୋମନସ୍କ ହେବା ଥିଲା ସ୍ବାଭାବିକ। ବୋଉର ନିରସ ଜୀବନ ଶୈଳୀ ସେତେବେଳେ କିଞ୍ଚିତ ସରସ ହେବା ଆରମ୍ଭ କଲା, ଯେତେବେଳେ ସେ ଓ ତା ବୋହୂ ମିଶି ଫଟୋ ଉଠାଇବା ଦେଖାଗଲା। ନଟଖଟ ନାତୁଣୀଟି ସବୁ ଝିଅଙ୍କ ପରି ଝଅଟ ଝଅଟ ଏଡ଼ିକିରୁ ଏଡେ଼ ହେଇଯାନ୍ତେ ବୋଉ ସେଇ ନାତୁଣୀ ଭିତରେ ଗୋଟେ ହସକୁରୀ ଗେହ୍ଲେଇ ଖେଳସାଥୀ ପାଇଗଲା ଯେମିତି। ଆଉ ସେଇ ଛଟକୀ ଖଣ୍ତକ ଲାଗି ଏମିତି କୋଉ କଥା ରହିଲାନି ଯାହାକୁ ସେ ତା ଭାଷାରେ ‘କ୍ୟାମେରାରେ କୈଦ୍‌’ କରି ପାରିଲା ନାହିଁ। ଏଣିକି ଛବି ଭିତରର ମଣିଷ ଓ ମଣିଷ ଭିତରର ଛବି ଉଭୟ ହରରଙ୍ଗୀ ହୋଇ ଚାଲିଥିବା ଦେଖି ଖୁସି ହେଉଥିଲି ଯେ ନିର୍ଜୀବ ସେଲଫୋନଟେ ହେଉ ପଛେ ମୋ ଆଜନ୍ମ ଦୁଃଖୀ ବୋଉକୁ ଚେନାଏ ସୁଖ ଭଳି ଦିଶୁଥିବା ଚିଜ ଦେଖାଇ ସରସ କରି ପାରୁଚି ତ’ !

ଏବେ ଆମ ଘରେ ବୋଉର ଅନେକ ଫଟୋ! ଏସବୁ ଭିତରେ କିନ୍ତୁ ଘରର ସରସ ବାତାବରଣ ଆଉ ନାହିଁ। ପରିବାର ଓ ଫଟୋକୁ ନେଇ ଆନମନା ହୋଇ ଆସୁଥିବା ବେଳେ ଅଚାନକ ବୋଉ ଏଭଳି ଏକ ପୁରକୁ ଚାଲିଯାଇଚି ଯେଉଁଠୁ ଆଉ କେବେ ଫେରିବାର ନାଇଁ। ହଁ, ତେବେ ଏବେ ବୋଉର ତୋଫାତୋରା ଛବି ଶୋଭା ପାଉଚି ଘରେ। ଏଣିକି ମୁଁ ବାପାବୋଉଙ୍କ ଫଟୋକୁ ସଜଳ ଆଖିରେ ନିମିଷେ ଅନାଇ ଦେଲେ ମର୍ମେ ମର୍ମେ ସମଝି ପାରୁଚି ଛବିର ମଣିଷମାନେ କେମିତି କଥା ହୋଇ ପାରନ୍ତି। ବୋଉର ବୋହୂ ଏବେ ନିଜେ ବଡ଼ି ପାରିବା ବେଳେ ତା ଶାଶୂଙ୍କ ସହ ନିରବରେ କଥା ହେଉଥିବା ଦେଖେ। ଫଟୋର ଛବି କଥା କହେ ବୋଲି ତ ସେଲଫି ପ୍ରେମୀ ବୋଉର ଗେହ୍ଲେଇ ନାତୁଣୀ ଏବେ ତା ଠୁ ଶିଖି ସେଲଫି ଉଠାଇଥିବା ଜେଜେମାଙ୍କ ଫଟୋ ସହ ଗପି ଗପି ଲୁହରେ ବତୁରି ଯାଉଚି !

ସୁହାସିତମ୍‌, କସ୍ତୁରୀ ନଗର
ରାୟଗଡା :୭୬୫୦୦୧

ସମ୍ବନ୍ଧିତ ଖବର