ଅମର୍ତ୍ତ୍ୟଙ୍କ ପରେ ଅଭିଜିତ

ବ୍ୟକ୍ତିତ୍ୱ

ଚଳିତ ବର୍ଷ ଅର୍ଥନୀତିରେ ଯେଉଁ ତିନି ଜଣ ସମ୍ମାନଜନକ ନୋବେଲ ପୁରସ୍କାର ଦ୍ବାରା ସମ୍ମାନିତ ହୋଇଛନ୍ତି, ସେମାନଙ୍କ ଭିତରେ ଅଛନ୍ତି ଭାରତୀୟ ମୂଳୋଦ୍ଭବ ଅଭିଜିତ ବାନାର୍ଜୀ। ପୁରସ୍କାର ପାଇଥିବା ଅନ୍ୟ ଦୁଇ ଜଣ ହେଲେ ଏସ୍‌ଥର ଡ୍ୟୁଫ୍ଲୋ ଏବ˚ ମାଇକେଲ କେରନର, ଯାହାଙ୍କ ମଧୢରୁ ଏସ୍‌ଥର ହେଉଛନ୍ତି ଅଭିଜିତ ବାନାର୍ଜୀଙ୍କ ପତ୍ନୀ। ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ସେମାନେ କରିଥିବା କାର୍ଯ୍ୟ ଲାଗି ସେମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ଏହା ପୂର୍ବରୁ ୧୯୯୮ରେ ଅମର୍ତ୍ତ୍ୟ ସେନ ଅର୍ଥନୀତିରେ ନୋବେଲ ପୁରସ୍କାର ପାଇଥିବା ପ୍ରଥମ ଭାରତୀୟ ହେବାର ଗୌରବ ଲାଭ କରିଥିଲେ। ଦାରିଦ୍ର୍ୟ ଏବ˚ କ୍ଷୁଧା ନିବାରଣ କ୍ଷେତ୍ରରେ ଅଗ୍ରଦୂତ ସୁଲଭ କାର୍ଯ୍ୟ କରିଥିବା ଅମର୍ତ୍ତ୍ୟ ସେନଙ୍କୁ କୁହାଯାଇଥାଏ ‘ଅର୍ଥନୀତିର ବିବେକ’। ତାଙ୍କ ପରେ ଅଭିଜିତ ମଧୢ ଏବେ ସେଇଭଳି କିଛି ଆଖ୍ୟା ପାଇପାରନ୍ତି।

ଅଭିଜିତଙ୍କ କଲେଜ ଶିକ୍ଷା ହୋଇଛି କଲିକତା ବିଶ୍ବବିଦ୍ୟାଳୟ, ଜେଏନ୍‌ୟୁ ଏବ˚ ହାର୍ଭାର୍ଡ ବିଶ୍ବବିଦ୍ୟାଳୟରେ। ବର୍ତ୍ତମାନ ସେ ମାସାଚ୍ୟୁସେଟ୍‌ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜିରେ ଅର୍ଥନୀତିର ପ୍ରଫେସର ଭାବେ କାର୍ଯ୍ୟରତ। ସେ ବିଭିନ୍ନ ସମୟରେ ବହୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ସ˚ପାଦନ କରିଛନ୍ତି, ଯାହା ମଧୢରେ ଅଛି ଜାତିସ˚ଘ ସେକ୍ରେଟାରି ଜେନେରାଲଙ୍କ ଉଚ୍ଚ ସ୍ତରୀୟ ପ୍ୟାନେଲର ସଦସ୍ୟତା। ସେ ଅନେକ ଗୁରୁତ୍ବପୂର୍ଣ୍ଣ ପୁସ୍ତକ ମଧୢ ରଚନା କରିଛନ୍ତି, ଯାହା ଭିତରେ ରହିଛି, ‘ହ୍ବାଟ୍‌ ଇକୋନୋମିକ୍‌ସ ନିଡ୍‌ ନାଓ’, ‘ପୁଅର ଇକୋନୋମିକ୍‌ସ’, ‘ମେକି˚ ଏଡ୍‌ ଵର୍କ‌୍‌’ ଭଳି ପୁସ୍ତକ।

ଅଭିଜିତ ଭାରତରେ ବଢୁଥିବା କାଳରେ ଏ ଦେଶର ଦାରିଦ୍ର୍ୟ ଦ୍ବାରା ଆକ୍ରାନ୍ତ ହୋଇଥିବାର ସମ୍ଭାବନା ବେଶ୍‌ ଅଧିକ। ଅମର୍ତ୍ତ୍ୟ ସେନଙ୍କୁ ତାଙ୍କ କିଶୋର ଅବସ୍ଥାରେ ଯାହା ଆକ୍ରାନ୍ତ କରିଥିଲା ତାହା ହେଉଛି କଲିକତା ଦଙ୍ଗା କାଳରେ ତାଙ୍କ ଘରକୁ କାମ କରିବାକୁ ଆସିଥିବା ମହିଳା ନିଖୋଜ ହୋଇଯିବା ଘଟଣା। ଦାରିଦ୍ର୍ୟ କେତେ ଉତ୍ପୀଡ଼କ ନ ହେଲେ ଦଙ୍ଗା କାଳରେ ଜଣେ କାମକୁ ବାହାରିପାରେ! ଏହା ଅମର୍ତ୍ତ୍ୟ ସେନଙ୍କୁ ଘାରିଥିଲା। ଏଭଳି କିଛି ଘଟଣା ହୁଏତ ଅଭିଜିତଙ୍କ ଉପରେ ମଧୢ ପ୍ରଭାବ ପକାଇ ଥାଇପାରେ, ଯାହା ଫଳରେ ଦାରିଦ୍ର୍ୟ ଦୂରୀକରଣକୁ ସେ ତାଙ୍କର ଗବେଷଣାର କ୍ଷେତ୍ର କରିଛନ୍ତି।

ତେବେ, ସେ ଯାହା ହେଉ, ତାଙ୍କର ଏ ବିରଳ ଉପଲବ୍‌ଧି ଲାଗି ଯେ ଦେଶ ଗର୍ବିତ ଏଥିରେ ସନ୍ଦେହ ନାହିଁ।

ସମ୍ବନ୍ଧିତ ଖବର