ସାହିତ୍ୟର ଘରକଥା ଚର୍ଚ୍ଚା

ଭାଗୀରଥି ମହାସୁଆର

ଶୁଣି ଶୁଣି କାନ ଦରଜ ହୋଇଗଲାଣି ଯେ ଓଡ଼ିଶାରେ ସାହିତ୍ୟ ବା ସାହିତ୍ୟିକଙ୍କର ଆଦର ନାହିଁ; ବଙ୍ଗଳାରେ ସାହିତ୍ୟ ଏକ ସାମାଜିକ ସ˚ସ୍କୃତି, ରବୀନ୍ଦ୍ରନାଥ ଜଣେ ଦେବତା। ଆସାମ ସାହିତ୍ୟ ପ୍ରୀତି ଅନନ୍ୟ। ସେଠାରେ ସାହିତ୍ୟ ସଭାକୁ ସଭାପତିଙ୍କୁ ହାତୀ ପିଠିରେ ବସାଇ ନିଆଯାଏ। ଏ କଥା ଆମେ ଶୁଣିଲୁଣି ଗତ ତିରିଶ ବର୍ଷ କାଳ। ଯେଉଁମାନେ କହନ୍ତି, ସେମାନେ ଅନ୍ୟଠୁ ଶୁଣି କହନ୍ତି। କିଛି ପ୍ରତିଶତଙ୍କର ନିଜସ୍ବ ଅଭିଜ୍ଞତା ଥାଇପାରେ। ତେବେ ଏଇ ସମୟ କାଳ ମଧୢରେ ଓଡ଼ିଆ ପାଠକଙ୍କର ଆନୁପାତିକ ସ˚ଖ୍ୟା ବୃଦ୍ଧି ପାଇନାହିଁ। ଯେଉଁଠି ନ ପଢ଼ି ବଡ଼ ବଡ଼ ମନ୍ତବ୍ୟ ଦେବା ଚଳେ, ସେଠାରେ ପଢ଼ିବା କ’ଣ ଦରକାର? କିନ୍ତୁ ଏଇ ସମୟକାଳ ମଧୢରେ ପତ୍ରପତ୍ରିକା, ପୁସ୍ତକ ପ୍ରକାଶନ ଯଥେଷ୍ଟ ବୃଦ୍ଧି ପାଇଛି। ସାହିତ୍ୟ ପ୍ରସଙ୍ଗିତ ଅଭିଯୋଗ ମଧୢ ବଢ଼ିଛି। ଯେମିତି କି ଓଡ଼ିଶାରେ ସାହିତ୍ୟର ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନ ହୋଇନାହିଁ। ସେ ବରପୁତ୍ରମାନେ କିଏ ଓ କାହାର ହୋଇନାହିଁ, ତାହା ଚର୍ଚ୍ଚା ହୁଏ ନାହିଁ। ଆମେ ଜାଣିବାରେ ସରକାର ଓ ବିଶିଷ୍ଟ ସାହିତ୍ୟ ସ˚ସ୍ଥାମାନେ ଅନେକ ଏପରି ବରପୁତ୍ରଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି। କିଛି ବାକି ବି ଥିବ। ହଁ, କହିବାକୁ ଭୁଲି ଯାଇଛୁ ଯେ ଓଡ଼ିଶାରେ ସାହିତ୍ୟ ଅନୁଷ୍ଠାନମାନଙ୍କ ସ˚ଖ୍ୟା ମଧୢ ବହୁଗୁଣିତ ହୋଇଛି।

ପ୍ରକୃତରେ ଓଡ଼ିଶାରେ ସାହିତ୍ୟର ଆଦର ରକ୍ତଗତ। ଭାଗବତ ଟୁଙ୍ଗି ସ˚ସ୍କୃତି ଏହାର ପ୍ରମାଣ। ଏହାର କୌଣସି ଲୋକ ଉତ୍ସବ ସଂଗୀତ (କବିତା) ବିବର୍ଜିତ ନୁହେଁ। ଏଠାରେ ପଞ୍ଚସଖା ଓ ଜୟଦେବଙ୍କୁ ଦେବତୁଲ୍ୟ ଜ୍ଞାନ କରାଯାଏ। ଭାଗବତର ଜନ୍ମୋତ୍ସବ ପାଳନ ହୁଏ ଘରେ ଘରେ। ଓଡ଼ିଆମାନେ ସନ୍ଥ ସାହିତ୍ୟରେ ପୁରୁଷ ପୁରୁଷ ନିମଗ୍ନ ରହି ସାହିତ୍ୟର ଆଧୁନିକ ବିକାଶ ଠାରୁ ଦୂରରେ ଥିଲେ। ଯେତେବେଳେ ନିଦରୁ ଉଠିଲେ, ଗତି ଦ୍ରୁତ ହେଲା ଏବ˚ ଆଜି ଜାତୀୟ ସ୍ତରରେ ସ୍ବୀକୃତ ଓ ସମ୍ମାନିତ ଓଡ଼ିଆ ସାହିତ୍ୟିକ ଯଥେଷ୍ଟ। ତଥାପି ଅଭିଯୋଗ ଯେ, ଓଡ଼ିଶାରେ ବହି ବିକ୍ରି ନାହିଁ। ଏହା ସତ। କିନ୍ତୁ ଏଥିପାଇଁ ଯେଉଁ କାରଣ ଦିଆଯାଏ; ତାହା ମିଛ। ଯେଉଁ ଲେଖକମାନଙ୍କର ବହି ବ୍ୟବସାୟରେ ସଫଳ, ସେମାନେ କହନ୍ତି ଯେ ଅନ୍ୟମାନେ ଲୋକେ ଚାହୁଁଥିବା ଭଳି ବହି ଲେଖୁନାହାନ୍ତି। ଏ କିପରି ମନ୍ତବ୍ୟ? ଲୋକେ କ’ଣ ଦୋକାନରେ ବହିଟି ପଢ଼ିସାରି କିଣନ୍ତି? କେମିତି ଜାଣନ୍ତି ଭିତରେ କ’ଣ ଅଛି? ବ୍ୟାପାରିକ କୌଶଳ ଅଭାବରୁ ବହୁ ଭଲ ବହି ବିକ୍ରି ହୁଏ ନାହିଁ। ଆମେ ଜାଣିଛୁ ବୋଲି ଖୋଜି କିଣୁ। ପୁସ୍ତକର ଅର୍ଥନୈତିକ ଦିଗ ଦେଖିଲେ ଉଭୟ ପ୍ରକାଶକ ଓ ଲେଖକ ବିପଦଗ୍ରସ୍ତ। ସରକାର କ’ଣ ସବୁ ବହି କିଣି ପାରିବେ? ଯେତିକି କିଣନ୍ତି ସେଥିରେ ବିବାଦ ଉଠେ ଏବ˚ ହୁଏତ ବିବାଦ ସେଥିରେ ଥାଏ। କିନ୍ତୁ ସାହିତ୍ୟର ଗତିରୋଧ ପାଇଁ ଏ ସବୁ କିଛି କାରଣ ନୁହେଁ। ଅସଲ କାରଣ ହେଲା ଶିକ୍ଷିତ ଓଡ଼ିଆମାନେ ଖୁବ୍‌ ଅଳ୍ପ ବହି କିଣନ୍ତି। ଅଧିକ କିଣୁଥିବା ଲୋକଙ୍କ ବହିରେ ଇ˚ରେଜୀ ବେଶି ଭାଗ ଥାଏ। ଭାଷାଟି ଜାଣିଛନ୍ତି ଯେତେବେଳେ ଇ˚ରେଜୀ ସାହିତ୍ୟ ପାଇଁ ଆଗ୍ରହ ରହିବା ସ୍ବାଭାବିକ। କେହି କେହି ବଙ୍ଗଳା ଓ ହିନ୍ଦୀ ବି କିଣନ୍ତି। କିନ୍ତୁ ଅନ୍ୟ ଭାଷାଭାଷୀମାନେ ଓଡ଼ିଆ ବହି କିଣିବା ଦୁଃସ୍ବପ୍ନ। ଏପରି ସ୍ଥଳେ ଅନ୍ୟ ଭାଷାର ପ୍ରାୟୋଜକମାନେ ଓଡ଼ିଶାରେ ପଶି ହୋଟେଲ୍‌ ସାହିତ୍ୟ କରୁଛନ୍ତି। ଏହାକୁ ନାକ ଟେକା ଯାଉଛି। ଆମର ମତ ଭିନ୍ନ। ସେମାନେ ଜାଣି ସାରିଲେଣି ଯେ ଓଡ଼ିଶାରେ ପ୍ରଚୁର ସାହିତ୍ୟ ପ୍ରତିଭା ଅଛନ୍ତି। ସେମାନେ ମଧୢ ଜାତୀୟ/ଅନ୍ତର୍ଜାତୀୟ ସ୍ତରର ଭାଷାରେ ଲେଖନ୍ତୁ ବୋଲି ବହି ବଜାରର ଲକ୍ଷ୍ୟ। ଏ ଯାବତ୍‌ କେହି ସୁଯୋଗ ନେଇ ନାହାନ୍ତି।

ଅନ୍ୟ ଏକ ପ୍ରସଙ୍ଗକୁ ଆସିବା। ଅଭିଯୋଗ ଯେ, ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଲବି ଓ ଗୋଡ଼ ଟଣାଟଣି ବହୁତ। ଏ ଅଭିଯୋଗ ମିଛ ନୁହେଁ, କିନ୍ତୁ କାହା ବିରୋଧରେ ତାହା ଜାଣି ହୁଏନି। ଲବି ହୁଏ ସାହିତ୍ୟ ପ୍ରସଙ୍ଗିତ ଆନୁଷ୍ଠାନିକ ପଦବି ପାଇଁ, ପୁରସ୍କାର ପାଇଁ ଓ ପୁସ୍ତକ ଚୟନ ପ୍ରକ୍ରିୟାରେ। ଏ ଚୟନ ଖର୍ଦ୍ଦି ପାଇଁ ବା ପୁରସ୍କାର ପାଇଁ ହୋଇପାରେ। ସବୁ ପ୍ରକ୍ରିୟାର ସୋପାନବଦ୍ଧ ସାରଣୀ ଅଛି। ଏଣୁ ଅନ୍ୟାୟ ହେବା କଷ୍ଟ; କିନ୍ତୁ ଅନୈତିକ ହେଲେ ଉପାୟ ନାହିଁ। ଏକ ଭିନ୍ନ ପ୍ରସଙ୍ଗରେ ସୁପ୍ରିମକୋର୍ଟ illegal ଓ immoralର ପାର୍ଥକ୍ୟ ବୁଝାଇ ସାରିଛନ୍ତି।

ଲବି ସାହିତ୍ୟିକ (କିଣା କ୍ଷେତ୍ରରେ ପ୍ରକାଶକ) ହିଁ କରନ୍ତି। ଲବି ଚୟନ ମଣ୍ତଳୀ (ମୁଣ୍ତିଆଳ ସାହିତ୍ୟିକ)ଙ୍କ ଚାରି ପଟେ ହୁଏ। ଲାଭବାନ ବ୍ୟକ୍ତି କୃତକୃତ୍ୟ ଓ ପରାହତ ବ୍ୟକ୍ତି ଫଳାଫଳକୁ ସମାଲୋଚନା କରନ୍ତିି। କେଉଁଠି ସାଧାରଣ ଲୋକଙ୍କ ସ୍ଥାନ ନ ଥାଏ। ନାୟକ, ଖଳନାୟକ, ସମୀକ୍ଷକ ଓ ଆଗ୍ରହୀ ଦର୍ଶକ ସମସ୍ତେ ସାହିତ୍ୟିକ। ଏଠାରେ କିଏ ଚିକିତ୍ସକ ହେବ? ଅଭିଯୋଗ କାହା ପାଖରେ ହୁଏ? ସରକାର? ସେ କ’ଣ କରିବେ? ଗୋଟାଏ ସାହିତ୍ୟିକକୁ ଏଡ଼େଇ ଗଲେ ଆଉ ଗୋଟାଏ ସେଇଥିରୁ ତ’ ନେବେ! ଲବି ପାଇଁ କେବଳ ଅନୀତି ହୁଏନି; ବହୁ କାର୍ଯ୍ୟ ବିଳମ୍ବିତ ହୁଏ। ଅଯଥା ତ୍ବରଣ ଓ ମାତ୍ରାଧିକ ବିଳମ୍ବ ଉଭୟ ଦୁର୍ନୀତିର କାରକ। ଏ କଥା ଓଡ଼ିଶା ସରକାରରେ କେହି ଜାଣନ୍ତି ବୋଲି ଆମର ହୃଦ୍‌ବୋଧ ହୁଏନି।

ବର୍ତ୍ତମାନ ପୁଣି ଲବି ଚରିତ୍ର ବିଶ୍ଳେଷଣ କରିବା। ପୂର୍ବ କଥିତ ମତେ ଲବିର ସବୁ ସ୍ତରରେ ସାହିତ୍ୟିକ। ବିଚାର କର୍ତ୍ତା ବା ସୁପାରିସ କର୍ତ୍ତାମାନେ ବଡ଼ ସାହିତ୍ୟିକ। ସେମାନଙ୍କ ମଧୢରୁ କିଏ ତୋଷାମଦୀ ପରିବେଷ୍ଟିତ ନୁହେଁ? ତାଙ୍କ ପାଖରେ ଲବି ନ ହେଲେ ମଧୢ ତାଙ୍କ ଆଖି ସାମ୍ନାରେ ରହିବ ତାଙ୍କ ଚିହ୍ନାଜଣା ପରିବେଷ୍ଟନୀ। ବିଚାର ସମୟରେ ସେ ତା’ ବାହାରକୁ ଯିବେ କି, ଯାଆନ୍ତି କି?

ବଡ଼ ସାହିତ୍ୟିକ ଚିହ୍ନିବା ବା ବାଛିବା ବେଳେ କେବଳ ପୁରସ୍କାର, ଉପାୟନ ବା ପ୍ରକାଶନକୁ ଗୁରୁତ୍ବ ଦିଆଯାଏ। ଏହା ଠିକ୍‌ ମଧୢ। କିନ୍ତୁ ସେମାନଙ୍କ ମଧୢରୁ ବିଚାରକ ବାଛିବା ପାଇଁ ବିଚାରକ ଲକ୍ଷଣ ମଧୢ ପରୀକ୍ଷିତ ହେବା ଉଚିତ। ଏହା ହୁଏ କି? ସାହିତ୍ୟିକମାନଙ୍କ ପାଇଁ ବିଚାରକ ହେବା ବ୍ୟକ୍ତିଟିର ସେଇ ଦକ୍ଷତା ଆବଶ୍ୟକ, ଯଦ୍ଦ୍ବାରା ସେ ବିଚାର ବେଳେ ଭୁଲିଯିବେ ନିଜେ ସାହିତ୍ୟିକ ବୋଲି। ସେ ଭୁଲିବାକୁ ପଡ଼ିବ ନିଜ ସ୍ତାବକ ଓ ଅନୁଗାମୀମାନଙ୍କୁ। ଏପରି କିଏ ଅଛି କି?

ପଦ୍ମାବତୀ, ପ୍ଲ.ନ˚.୫୦/୧୫-ବି, ଯମେଶ୍ବର ପାଟଣା, ଭୁବନେଶ୍ବର-୨
ମୋ-୭୭୩୫୫୦୭୯୫୧

ସମ୍ବନ୍ଧିତ ଖବର