ଆମ ସମସ୍ୟା ଓ ସମାଧାନ

ଆମରି କଥା - ନାରାୟଣ ମିଶ୍ର

ସମସ୍ୟା ଆଦୌ ନ ଥିବ, ଏଭଳି ମଣିଷ ଏ ସ˚ସାରରେ ପ୍ରାୟ ନାହାନ୍ତି। କେବଳ କଫିନ୍‌ ଭିତରେ ଶୋଇଥିବା ବା ମଶାଣିରେ ପୋଡ଼ା ହେଉଥିବା ମଣିଷର କୌଣସି ସମସ୍ୟା ନଥାଏ; ଅର୍ଥାତ୍‌ ସମସ୍ୟାର ସ୍ଥିତି ହିଁ ଜୀବନ ଥିବାର ସଙ୍କେତ। ତେବେ, ଏମିତି ଅନେକ ସମସ୍ୟା ଅଛି, ଯାହା ଆମ ନିୟନ୍ତ୍ରଣରେ ନାହିଁ, ତେଣୁ ସେସବୁ ବିଷୟରେ ଭାବିବା ନିରର୍ଥକ। ଏଇ ଯେମିତି ଆମର ଚର୍ମ କେଉଁ ରଙ୍ଗର ଅଛି ବା ତାସ୍‌ଖେଳରେ କେଉଁ କେଉଁ କାର୍ଡ ଆମ ପଟେ ଆସିବ ଇତ୍ୟାଦି। ଏଭଳି ଅନେକ ସମସ୍ୟା ଆମ ନିୟନ୍ତ୍ରଣରେ ନ ଥିବାରୁ ତାର ସମାଧାନ ନାହିଁ। ତେଣୁ ଏ ବିଷୟଗୁଡ଼ିକୁ ମୁଣ୍ତରେ ପୂରାଇବା ଅନାବଶ୍ୟକ। ଆମେ କୋଡ଼ିଏ ପଚିଶ ବର୍ଷ ବୟସରେ ଦୌଡ଼ି ପାରୁଥିଲୁ, ଆଉ ଯୌବନଟା ଏମିତି ଥାଉ ବୋଲି ଭାବୁଥିଲୁ; କିନ୍ତୁ ଆମ ଚାଳିଶ ବର୍ଷକୁ ପେଟ ବାହାରି ପଡ଼ିଲା, ପଚାଶ ବେଳକୁ ନାତି ନାତୁଣୀଙ୍କୁ ଖେଳାଇବା ଦାୟିତ୍ବ ଆସିଗଲା। ଷାଠିଏ ବେଳକୁ ସଙ୍ଗୀତର ମୂର୍ଚ୍ଛନା ଆମକୁ ବିଶୃଙ୍ଖଳା ଓ ପାଟିତୁଣ୍ତ ଭଳି ଲାଗିଲା। ହୋଟେଲରୁ ଖାଇବାକୁ ଯିବା, ଡ୍ୟାନ୍‌ସ କରିବା ‘ଯୁବ ବୟସର ଅଧୋପତନ’ ଭଳି ପ୍ରତୀୟମାନ ହେଲା। ସତୁରି ପରେ ଏଗାରଟା ବେଳେ ବ୍ରେକ୍‌ଫାଷ୍ଟ, ଚାରିଟା ବେଳେ ଲଞ୍ଚ୍‌ ଆଉ ରାତି ଏଗାରଟାରେ ଡିନର ମିଳିଲେ ବି ପ୍ରତିବାଦ କରିବାର ସାହସ ରହିଲା ନାହିଁ। ଅତିକ୍ରାନ୍ତ ବୟସରେ ଟଙ୍କାର ଅଭାବ ରହିଲା ନାହିଁ, କିନ୍ତୁ ଖାଇବା, ବୁଲିବା ଓ ମସ୍ତି କରିବାର କ୍ଷମତା ସଙ୍କୁଚିତ ହୋଇଗଲା। ଏ ସବୁ କଥା ବୟସ ବଢ଼ିବା ସହିତ ଆସିଗଲା, ଯାହା ଆମ ନିୟନ୍ତ୍ରଣରେ ନ ଥିବାରୁ ଏସବୁ ସମସ୍ୟାର ସମାଧାନ କଥା ଚିନ୍ତା କରିବା କେବଳ ସମୟର ଅପଚୟ ମାତ୍ର। ଯଦି ଏସବୁକୁ ନିୟନ୍ତ୍ରଣ କରାଯାଇ ପାରୁଥାଆନ୍ତା, ତେବେ ଚକ୍ଷୁ ବିଶେଷଜ୍ଞ ଚଷମା ପିନ୍ଧନ୍ତେ ନାହିଁ।

ଏବେ ଆସନ୍ତୁ ସମାଧାନ କରି ହେଉଥିବା ସମସ୍ୟା ବିଷୟରେ ଚିନ୍ତା କରିବା। ଏଥିମଧୢରୁ ଅନେକ ସମସ୍ୟାର ସ୍ରଷ୍ଟା ଆମେ ନିଜେ। ପ୍ରତ୍ୟେକ ପଦାର୍ଥ ବା ଦୃଶ୍ୟକୁ ଆମେ ନକରାତ୍ମକ ଦୃଷ୍ଟିଭଙ୍ଗୀରେ ଦେଖିବା ଦ୍ବାରା ମନରେ ଦୁଃଖ ଆସେ ଓ ମୁଣ୍ତ ଭିତରେ ସମସ୍ୟା ସୃଷ୍ଟି ହୁଏ। କ୍ଷୀର ଓ ମହୁରେ ଆମକୁ କ୍ୟାଲୋରି ଓ କଲେଷ୍ଟ୍ରାଲ ଦେଖାଯାଏ। ପାଣିପାଗ ବିବରଣୀ ଟିଭିରେ ଦେଖି ଆମେ କାମକୁ ନ ଯିବା କଥା ଭାବୁ। କିଏ ଅନ୍ୟ କାହାକୁ ଆମ ବିରୋଧରେ କ’ଣ କହିଛି ଶୁଣି ଆମେ ଅନେକ ଘଣ୍ଟା ସେ ବିଷୟରେ ଭାବୁ। ଦେଖନ୍ତୁ, ପେଚାକୁ ଦିନରେ ଦେଖାଯାଏନି, ଅନ୍ୟମାନେ ଦିନରେ ଦେଖିପାରନ୍ତି। ତେଣୁ ପେଚାର ସୂର୍ଯ୍ୟଙ୍କୁ ନିନ୍ଦିବା ଏକ ନକରାତ୍ମକ ଦୃଷ୍ଟିଭଙ୍ଗୀ। ଏହା ଅସମ୍ଭବ ଯେ କେବଳ ପେଚା ପାଇଁ ସୂର୍ଯ୍ୟ ଲୁଚିଯିବେ! ତେଣୁ ଯେଉଁ ସମସ୍ୟା ଆପଣଙ୍କ ନକରାତ୍ମକ ଭାବନା ଯୋଗୁଁ ସୃଷ୍ଟି ହେଉଛି, ସେସବୁର ସମାଧାନ କେବଳ ଆପଣଙ୍କ ଦୃଷ୍ଟିଭଙ୍ଗୀ ବଦଳିଲେ ଯାଇ ସମ୍ଭବ।

ଦ୍ବିତୀୟତଃ ଗୁଣବତ୍ତା ଓ ମୂଲ୍ୟ (quality and value)ରେ କୌଣସି ପ୍ରକାର ନରମ ମନୋଭାବ ରଖିବା ଅନୁଚିତ। ରିଡ଼ରସ୍‌ ଡାଇଜେଷ୍ଟ ପତ୍ରିକା ‘ସିଗାରେଟରୁ କ୍ୟାନସର ହୁଏ’ ଜାଣିବା ପରେ ସିଗାରେଟ୍‌ର ବିଜ୍ଞାପନ ବନ୍ଦ କରି ଦେଲା, ଯଦିଓ ସେ ମାଲିକାନାର ବର୍ଷକୁ ଅନେକ ଲକ୍ଷ ଟଙ୍କା କ୍ଷତି ସହିବାକୁ ପଡ଼ିଲା। ଏହା ହୁଏତ ତାଙ୍କ ଲାଗି ସେତେବେଳେ ଅନେକ ସମସ୍ୟା ସୃଷ୍ଟି କରିଥିବ, କିନ୍ତୁ ନିଜ ବିଶ୍ବାସ ଓ ମୂଲ୍ୟବୋଧ ଲାଗି ସେ ସେଭଳି ପଦକ୍ଷେପ ନେଲେ। ଏଭଳି ମନୋଭାବ ରହିଲେ ସମସ୍ୟା ଆଉ ସମସ୍ୟା ଭଳି ଲାଗେ ନାହିଁ।

ତୃତୀୟତଃ ଆମ ସାଧୁତା ବିଷୟରେ ଆମେ ସତର୍କ ରହିବା ଜରୁରୀ। ପେସାଗତ ଜୀବନରେ ନିଜ କମ୍ପାନିର ଗୁପ୍ତ ତଥ୍ୟ ମାତ୍ର କିଛି ଟଙ୍କା ବିନିମୟରେ ପ୍ରତିଯୋଗୀ କମ୍ପାନିକୁ ଦେଇଦେବା, ଅଫିସରୁ କାଗଜ, କଲମ, ଷ୍ଟାପଲର‌୍‌ ଆଦି ଘରକୁ ନେଇଯିବା, ଅଫିସ କାମ ନ କରି ସେହି ସମୟରେ କ୍ରିକେଟ୍‌ ମ୍ୟାଚ୍‌ ଦେଖିବା ଇତ୍ୟାଦି ସବୁ ହେଉଛନ୍ତି ଗୋଟିଏ ଗୋଟିଏ ପ୍ରକାରର ଚୋରି। ୟେ ତ ଛୋଟ ଛୋଟ କଥା, ଲୋକେ ଆହୁରି ବଡ଼ ବଡ଼ ଅସାଧୁତା ଓ ଦୁର୍ନୀତିରେ ଲିପ୍ତ ରହନ୍ତି। ଧରାପଡ଼ିବାର ଭୟରେ ସାରା ଜୀବନ ଆଶଙ୍କାରେ କାଟନ୍ତି ଓ ଧରାପଡ଼ିଲେ ସମ୍ମାନ ଓ ପ୍ରତିଷ୍ଠା ସବୁ ଯାଏ। ସାଧୁ ଲୋକର ଚିନ୍ତା ନ ଥାଏ। ସେ ଅସାଧୁ ଲୋକର ଏ ପ୍ରକାର ଅଯଥା ସମସ୍ୟାରୁ ମୁକ୍ତ।

ଆମ ଭିତରେ ଧର୍ମଭାବ, ଆଧୢାତ୍ମିକତା ପୂରି ରହିଛି ବୋଲି ଭାବି ଆମେ ଘରେ ସକାଳ ସନ୍ଧ୍ୟାରେ ଠାକୁର ପୂଜା, ଆରତୀ, ଭୋଗ ଇତ୍ୟାଦି କରିବା ସହ ମନ୍ଦିର ବି ଯାଉଛୁ। କିନ୍ତୁ ଏସବୁ ଆଧୢାତ୍ମିକତା ନୁହେଁ। ଜଣେ ନେତା ଦେଶର କଲ୍ୟାଣ କଥା ଭାବିବା ବା ଜଣେ ଡାକ୍ତର କେମିତି ଅଧିକ ଟଙ୍କା ରୋଜଗାର କରିବ ତାହା ନ ଭାବି ରୋଗୀଙ୍କ ସ୍ବାସ୍ଥ୍ୟ କଥା ଭାବିବା ହେଉଛି ଆଧୢାତ୍ମିକତା। ସେମିତି ଛାତ୍ରଛାତ୍ରୀଙ୍କ ଶିକ୍ଷାର ମୂଳଦୁଆ ଓ ଚରିତ୍ର ଗଠନ ପ୍ରତି ଧୢାନ ଦେବା ହିଁ ଜଣେ ଶିକ୍ଷକଙ୍କ ପକ୍ଷେ ଆଧୢାତ୍ମିକତା। କୁହାଯାଏ ଯେଉଁ ବ୍ୟକ୍ତିର ଆଧୢାତ୍ମିକ ଭିତ୍ତିଭୂମି ଯେତେ ଶକ୍ତ, କୌଣସି ବିପଦର ମୁକାବିଲା କରିବା, କୌଣସି ଯାତନାକୁ ସହିବା ବା କୌଣସି ସମସ୍ୟାର ସମାଧାନ କରିବାର ଦକ୍ଷତା ତାର ସେତେ ଅଧିକ। ତେଣୁ କେବଳ ପୂଜା ପ୍ରାର୍ଥନା କରି ନିଜକୁ ଧାର୍ମିକ ବୋଲି ଦେଖାଇ ହୋଇ ନିଜକୁ ଭଣ୍ତାଇବା ଦ୍ବାରା ସମସ୍ୟାର ସମାଧାନ ହୁଏନାହିଁ। ନିଜକୁ ଆଧୢାତ୍ମିକ ଭାବେ ସଶକ୍ତ କରିବା ଅଧିକ ଜରୁରୀ।

ସବୁ ସମସ୍ୟାର ଉତ୍ସ ଆମେ ନିଜେ। ଆମେ କିଭଳି ବହି ପଢ଼ୁଛୁ, କିଭଳି ଚିତ୍ର ଦେଖିବାରେ ଆମକୁ ଆନନ୍ଦ ମିଳୁଛି ଏବ˚ ଆମର ସ˚ସର୍ଗ କିଭଳି- ଏଇ ତିନିଟିରୁ ଜଣାପଡ଼ିଯିବ ଆମେ ନିଜେ କିଭଳି ଲୋକ ଆଉ ଆମର ସମସ୍ୟାର ପ୍ରକାର କେତେ?

ଆମ ସମସ୍ୟାର ସମାଧାନ ଆଉ କାହା ହାତରେ ନାହିଁ, ଅଛି କେବଳ ଆମ ହାତରେ। ହେନ୍‌ରି ଫୋର୍ଡ ଶିକ୍ଷା ପାଇଁ ପାରିବାରିକ ସମର୍ଥନ ପାଇ ନ ଥିଲେ, ଭାରତର କୋକିଳ ଲତା ମଙ୍ଗେସ୍‌କରଙ୍କୁ ପିଲାଟି ଦିନୁ ପାରିବାରିକ ବୋଝ ଉଠାଇବାକୁ ପଡ଼ିଥିଲା, ସୁଧା ଚନ୍ଦ୍ରନ ଦୁଇଟି ଯାକ ଗୋଡ଼ ଦୁର୍ଘଟଣାରେ ହରାଇବା ସତ୍ତ୍ବେ ନର୍ତ୍ତକୀ ହୋଇପାରିଲେ। ଏମିତି ଅନେକ ଉଦାହରଣ ରହିଛି। ନିଜ ନିଜ ସମସ୍ୟା ସବୁକୁ ଅତିକ୍ରମ କରିବା ଲାଗି ସେମାନେ କାହାର ସାହାଯ୍ୟକୁ ଅପେକ୍ଷା କରି ବସି ନ ଥିଲେ। ନିଜ ସମସ୍ୟାର ସମାଧାନ ନିଜେ କରିିଥିଲେ।

ତେଣୁ ଅଯଥା ଆଳ ନ ଦେଖାଇ କର୍ମପ୍ରତି ନିଷ୍ଠା, ମୂଲ୍ୟବୋଧ ପ୍ରତି ବିଶ୍ବାସ ଓ ଅନୁଷ୍ଠାନ ପ୍ରତି ଆନୁଗତ୍ୟ ରଖି ପାରିଲେ ଆମମାନଙ୍କ ଅନେକ ସମସ୍ୟାର ସମାଧାନ ହୋଇପାରିବ। ଏହା ସହିତ ଆମେମାନେ ସବୁ ଜିନିଷକୁ ସକରାତ୍ମକ ଦୃଷ୍ଟିରେ ଦେଖିଲେ ଅନେକ ସମସ୍ୟା ରହିବ ଇ ନାହିଁ।

ଗୁରୁକୃପା, ୪୯/୬୦୦,
ଲକ୍ଷ୍ମୀବିହାର, ଭୁବନେଶ୍ବର
[email protected]

ସମ୍ବନ୍ଧିତ ଖବର