(ଅ)ସାମାଜିକ ଗଣମାଧ୍ୟମ!

ସିନ୍ଧୁଜ୍ୟୋତି ତ୍ରିପାଠୀ

ଏଇ କିଛି ବର୍ଷ ତଳ ପର୍ଯ୍ୟନ୍ତ ‘ଫେସ୍‌ବୁକ୍‌’ ଶ୍ରେଣୀୟ ସାମାଜିକ ଗଣମାଧ୍ୟମଗୁଡ଼ିକ ନିରୀହ ଥିଲେ। ବ୍ୟକ୍ତିଗତ ପ୍ରଚାର ଯେମିତିକି ‘ଆଜି ମୋ’ର ଜନ୍ମ ଦିନ’ ବା ‘ଆମ ଘରେ ଗଣେଶ ପୂଜା’ ଅଥବା ‘ମୋ’ର ଜଳଖିଆ’ଭଳି ବାର୍ତ୍ତା ଆଦି ମଧ୍ୟରେ ସୀମିତ ଥିଲା। ଥଟ୍ଟା-ପରିହାସ ବା ଜୋକ୍‌ ପ୍ରସାରଣର ମାଧ୍ୟମ ମଧ୍ୟ ଥିଲା। ପରସ୍ପରର ଫଟୋ ଦେଖି ଆମେ ଖୁସି ହେଉଥିଲେ। ଆତ୍ମ ପ୍ରଚାର ବି ଟିକିଏ ଟିକିଏ ହେଉଥିଲା। କିନ୍ତୁ ମୋଟାମୋଟି ଏହା ଦ୍ବାରା ଅନ୍ତତଃ ଅନ୍ୟମାନଙ୍କର କୌଣସି କ୍ଷତି ହେଉ ନ ଥିଲା। ଯେଉଁମାନେ କିଛି ବାର୍ତ୍ତା ବା ଫଟୋ ପୋଷ୍ଟ କରୁଥିଲେ, କିଛି ‘ଲାଇକ୍‌’ ପାଇଗଲେ ଆନନ୍ଦିତ ହୋଇ ଯାଉଥିଲେ। ସମସ୍ତଙ୍କୁ ଭଲ ନ ଲାଗିଲେ ବି କ୍ବଚିତ୍‌ କେହି ପ୍ରତିକୂଳ ମନ୍ତବ୍ୟ ଦେଉଥିଲେ ବା ଉପସ୍ଥାପକଙ୍କୁ ଅପମାନିତ କରିବାକୁ ଚେଷ୍ଟା କରୁଥିଲେ। ଏହା ପ୍ରକୃତ ଅର୍ଥରେ ଥିଲା ‘ସାମାଜିକ ଗଣମାଧ୍ୟମ’।

ତେବେ, ଯେଉଁ ଦିନ ଠାରୁ ଏହାକୁ ଏକ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରାଗଲା, ସେ ଦିନ ଠାରୁ ଏହାର ଚରିତ୍ରରେ ଏକ ବଡ଼ ପରିବର୍ତ୍ତନ ଆସିଗଲା। ଏହା ଭିତରକୁ ମିଛ କଥା, ଗାଳି ଫଜିତ୍‌, ଅଶ୍ଳୀଳତା, ବାଚନିକ ଆକ୍ରମଣ ସବୁ କିଛି ପଶିଗଲା। ଆମ ଦେଶରେ ‘ସାମାଜିକ ଗଣମାଧ୍ୟମ’ର ରାଜନୈତିକ ବ୍ୟବହାର ପ୍ରଥମେ କେଉଁ ଦଳ ଆରମ୍ଭ କରିଥିଲା, ଯଦିଓ ତାହା ଗବେଷଣାସାପେକ୍ଷ, ତେବେ, ବିଜେପି ପକ୍ଷରୁ ଯେ ଏହାର ଦୁରୁପଯୋଗ ସବୁଠାରୁ ଅଧିକ ଏହା ସମସ୍ତେ ଅନୁଭବ କରୁଛନ୍ତି। ଉଦାହରଣ ସ୍ବରୂପ- ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜଵାହରଲାଲ ନେହରୁ ଥିଲେ ସେ ସମୟର ସବୁଠାରୁ ପ୍ରମୁଖ ଓ ପ୍ରଭାବୀ ରାଜନୈତିକ ବ୍ୟକ୍ତିତ୍ବ। ତାଙ୍କ ପରେ ଦେଶରେ କ˚ଗ୍ରେସ ଶାସନ ଛଅ ଦଶନ୍ଧିରୁ ଅଧିକ କାଳ ଧରି ଚାଲିଲା। ଏହି ଧାରାରେ ଅନ୍ତ ଘଟାଇବା ପାଇଁ ବିଧିବଦ୍ଧ ଭାବେ ବିଜେପି ପକ୍ଷରୁ ଉଦ୍ୟମ ଆରମ୍ଭ ହେଲା। ଏଥିରେ ‘ସାମାଜିକ ଗଣମାଧ୍ୟମ’କୁ ହିଁ ମୁଖ୍ୟ ଶସ୍ତ୍ର ରୂପେ ବ୍ୟବହାର କରାଗଲା। ନେହରୁଙ୍କ ପରଲୋକର ପ୍ରାୟ ଚାଳିଶ ବର୍ଷ ପରେ ଆମେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରଥମ ଥର ପାଇଁ ଶୁଣିଲେ ଯେ ସେ କଶ୍ମୀରୀ ପଣ୍ତିତ ନୁହନ୍ତି। ତାଙ୍କ ପୂର୍ବ-ପୁରୁଷମାନେ ଥିଲେ ମୁସଲମାନ ସଂପ୍ରଦାୟର ତଥା ହିନ୍ଦୁ ପ୍ରପୀଡ଼କ। ତେଣୁ ‘ସାମାଜିକ ଗଣମାଧ୍ୟମ’ର ସୂତ୍ରରୁ ନିଜ ଜ୍ଞାନ-ଭଣ୍ଡାରକୁ ସମୃଦ୍ଧ କରୁଥିବା ଅଗଣିତ ଭାରତୀୟଙ୍କ ପାଇଁ ପଣ୍ଡିତ ନେହରୁଙ୍କ ବ˚ଶମୂଳ ଏବେ ମୁସଲମାନ ହୋଇଯାଇଛି। ଏହି ଅପପ୍ରଚାରର ନା ପ୍ରତିବାଦ କରାଯାଉଛି ନା ଅପପ୍ରଚାରକମାନଙ୍କୁ ଧରି ଦଣ୍ତ ଦିଆଯାଉଛି। ଓଲଟା ଅପପ୍ରଚାରର ନିଆଁ ମାଡ଼ିଚାଲିଛି ଏବଂ ଗାନ୍ଧୀ, ନେହରୁ ତଥା ସେମାନଙ୍କ ପରିବାର ଅଯଥା ଓ ଅସତ୍ୟମୂଳକ ଅପନିନ୍ଦାରେ କର୍ଦ୍ଦମାକ୍ତ ହୋଇ ପଡୁଛନ୍ତି। ମହାପୁରୁଷ ଓ ବିଶିଷ୍ଟ ବ୍ୟକ୍ତିତ୍ବମାନଙ୍କ ଅଯଥା ନିନ୍ଦାଗାନକୁ ଯଦି ଆମେ ବିଭିନ୍ନ ‘ସାମାଜିକ ଗଣମାଧ୍ୟମ’ରେ ପ୍ରଶ୍ରୟ ଦେଇଚାଲିବା, ଏହା କ୍ରମେ ଏକ ବିକୃତ ଇତିହାସକୁ ଜନ୍ମ ଦେବ ଯାହାର ମୂଳାଧାର ହେବ ମିଥ୍ୟା।

ଏବେ ଦେଖା ଯାଉଥିବା ଆଉ ଗୋଟିଏ ଅପଲକ୍ଷଣ ହେଲା ଯଦି କେହି ଏବର ‘ସରକାର’ଙ୍କ କୌଣସି ନୀତି ବିରୋଧରେ ପଦଟିଏ ବି ମନ୍ତବ୍ୟ ଦେଉଛି, ସଙ୍ଗେ ସଙ୍ଗେ ପ୍ରତିକ୍ରିୟାମୂଳକ ଅଶାଳୀନ ମନ୍ତବ୍ୟର ଲହରି ମାଡ଼ିଆସୁଛି। ତହିଁରେ ଅସଭ୍ୟ ଓ ଅଶାଳୀନ ଭାଷାର ବେଲଗାମ ପ୍ରୟୋଗ କରାଯାଉଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ସ୍ଥିତି ଏତେ ବଢ଼ିଯାଇଛି ଯେ ଏହାକୁ ‘ଅସାମାଜିକ ଗଣମାଧ୍ୟମ’ ବୋଲି କହିଲେ ଭୁଲ ହେବ ନାହିଁ। ପୁଣି ‘ସାମାଜିକ ଗଣମାଧ୍ୟମ’ର ବ୍ୟବସ୍ଥାଟି ଏମିତି ଯେ ଏଥିରେ କୌଣସି ସନ୍ଦେଶର ଉତ୍ପତ୍ତି କେଉଁଠି ତାହା ଧରିବା ଏକ ଅସମ୍ଭବ ବ୍ୟାପାର। ତେଣୁ କେଉଁମାନେ ମିଥ୍ୟା, ଗୁଜବ, ଅଶ୍ଳୀଳତା ଆଦିର ଆରମ୍ଭ କରୁଛନ୍ତି ସେମାନଙ୍କୁ ଜାଣିବାର ‌କୌଣସି ଉପାୟ ନାହିଁ। ଏବଂ ଥରେ ତାହା ‘ସାମାଜିକ ଗଣମାଧ୍ୟମ’ର ପ୍ରାଙ୍ଗଣରେ ଚଳଚଞ୍ଚଳ ହୋଇ ଉଠିଲେ, ତାର ପ୍ରସାରଣକୁ ରୋକିବାର ସେମିତି ସମର୍ଥ ଉପାୟଟିଏ ବି ନାହିଁ।

ତେଣୁ ଆଜି ‘ସାମାଜିକ ଗଣମାଧ୍ୟମ’ ମିଥ୍ୟା ଅପପ୍ରଚାର ଓ ଅବାଞ୍ଛିତ ମନ୍ତବ୍ୟର ଏକ ଅଭୟାରଣ୍ୟ ପାଲଟିଛି। ୨୦୧୯ରେ କରାଯାଇଥିବା ଏକ ସର୍ବେକ୍ଷଣ ଅନୁଯାୟୀ ଆମ ଦେଶରେ ଇଣ୍ଟର‌୍‌ନେଟ୍‌ ବ୍ୟବହାରକାରୀଙ୍କ ସ˚ଖ୍ୟା ପ୍ରାୟ ୫୦ କୋଟି ଏବ˚ ସ୍ମାର୍ଟ‌୍‌ଫୋନ୍‌ ବ୍ୟବହାରକାରୀଙ୍କ ସ˚ଖ୍ୟା ପ୍ରାୟ ୪୫ କୋଟି। ସେହିପରି ‘ହ୍ବାଟ୍‌ସ ଆପ୍‌’ ଓ ‘ଫେସ୍‌ବୁକ୍‌’ ବ୍ୟବହାରକାରୀଙ୍କ ସ˚ଖ୍ୟା ଯଥାକ୍ରମେ ୪୦ କୋଟି ଏବ˚ ୨୭ କୋଟି। ଅର୍ଥାତ୍‌, ଦେଶର ମୋଟ ଜନସ˚ଖ୍ୟାର ଏକ ବିଶାଳ ଭାଗ ଅନ୍ତତଃ ଏହି ଦୁଇଟି ‘ସାମାଜିକ ଗଣମାଧ୍ୟମ’ ବ୍ୟବହାର କରୁଛନ୍ତି। ତେଣୁ, ଏହାର ଦୁରୁପଯୋଗର ଅର୍ଥ ସମାଜ, ରାଷ୍ଟ୍ର ଏବଂ ସର୍ବୋପରି ଭାରତୀୟ ନାଗରିକମାନଙ୍କ ଅଶେଷ କ୍ଷତି। ଏ ବାବଦରେ ଏବେଠାରୁ ସଚେତନ ନ ହେଲେ, ଆଗକୁ ଯାହା ହେବ, ତାହା କଳ୍ପନାତୀତ।

[email protected]

ସମ୍ବନ୍ଧିତ ଖବର