ଏକ ଉଦ୍ବେଗଜନକ ପରିସ˚ଖ୍ୟାନ କହେ ଯେ ସମଗ୍ର ବିଶ୍ବରେ ଆତ୍ମହତ୍ୟା କରୁଥିବା ମହିଳାଙ୍କ ଭିତରୁ ୩୭% ମହିଳା କେବଳ ଭାରତର। ୧୯୯୦ ମସିହାରୁ ଆତ୍ମହତ୍ୟା କରୁଥିବା ଭାରତୀୟ ମହିଳାଙ୍କ ସ˚ଖ୍ୟା ଯଦିଓ କମିଛି; ବିଶ୍ବର ଅନ୍ୟ ଦେଶ ତୁଳନାରେ ଏହାକୁ ଅଧିକ ବୋଲି କୁହାଯାଇପାରେ। ୨୦୧୬ ମସିହାରେ ଏକ ଅନୁଧୢାନରେ ଦେଖାଯାଇଥିଲା ଯେ ଭାରତରେ ଘଟିଥିବା ମୃତ୍ୟୁର କାରଣଗୁଡ଼ିକ ଭିତରେ ଅନ୍ୟତମ ପ୍ରମୁଖ କାରଣଟି ଥିଲା ଆତ୍ମହତ୍ୟା। ୨୦୧୮ ଅକ୍ଟୋବରରେ ବିଶ୍ବ ବିଖ୍ୟାତ ଚିକିତ୍ସା ପତ୍ରିକା ‘ଲାନ୍ସେଟ୍’ରେ ପ୍ରକାଶିତ ଏକ ରିପୋର୍ଟରୁ ଏହା ମଧୢ ଜଣାପଡ଼ିଛି ଯେ ଭାରତୀୟ ମହିଳାମାନେ ଯେଉଁ ଦୁଇଟି ବଡ଼ କାରଣରୁ ଆତ୍ମହତ୍ୟା କରନ୍ତି, ସେ ଯୋଡ଼ିକ ହେଲେ ବିଷାଦ ଏବ˚ ଆର୍ଥିକ ଦୁରବସ୍ଥା।
Sambad is now on WhatsApp
Join and get latest news updates delivered to you via WhatsApp
ଭାରତୀୟ ମହିଳାମାନଙ୍କ ଲାଗି ବିଷାଦର ଅନେକ କାରଣ ରହିଛି। ତା ଭିତରୁ ଆର୍ଥିକ ଦୁରବସ୍ଥା ମଧ୍ୟ ବିଷାଦର ଏକ ବଡ଼ କାରଣ ହୋଇଥାଏ। ଏଥିରୁ ପାରିବାରିକ ଅଶାନ୍ତି ଦେଖାଦିଏ। ତେଣୁ ବିଷାଦ ଓ ଆର୍ଥିକ ଅନଟନ ମଧୢ ପରସ୍ପର ସହିତ ସ˚ପର୍କିତ।
ତେବେ ଅନ୍ୟାନ୍ୟ ଯେଉଁ କାରଣ ମହିଳାମାନଙ୍କୁ ବିଷାଦଗ୍ରସ୍ତ କରୁଥିବାର ଦେଖାଯାଉଛି ତା ଭିତରେ ରହିଛି ବିବାହ ପୂର୍ବରୁ କୈଶୋର ଓ ଆଦ୍ୟ ଯୌବନରେ ପରୀକ୍ଷାରେ ବିଫଳତା ଏବ˚ ପ୍ରେମରେ ପ୍ରତାରଣା; ବିବାହ ପରେ ରହିଛି ଯୌତୁକ ପାଇଁ ନିର୍ଯାତନା ବା ଅପମାନ, ସ୍ବାମୀର ପରକୀୟା ପ୍ରୀତି, ସ୍ବାମୀର ମାତ୍ରାଧିକ ମଦ୍ୟପାନ, ନିଃସନ୍ତାନ ହୋଇଥିଲେ ବନ୍ଧ୍ୟା ବୋଲି ଅସହନୀୟ ଟାହିଟାପରା ଓ ଅପବାଦ ଏବ˚ ଏକବି˚ଶ ଶତାବ୍ଦୀରେ ଶିକ୍ଷିତା ତଥା ମନରେ କିଛି ଉଚ୍ଚ ସ୍ବପ୍ନ ପୋଷଣ କରୁଥିବା ମହିଳାମାନଙ୍କ ଲାଗି ପାରିବାରିକ ବା ସାମାଜିକ କାରଣରୁ ତାହା ହାସଲ କରିବାରେ ବିଫଳତା। ଏ ସବୁ କିଛି ମହିଳାମାନଙ୍କୁ ମାନସିକ ଭାବେ ଚାପଗ୍ରସ୍ତ ଓ ଗଭୀର ଭାବେ ବିଷାଦଗ୍ରସ୍ତ କରିଥାଏ ଓ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାକୁ ସେମାନଙ୍କୁ ବାଧୢ କରିଥାଏ।
ଏବେ ଅଧିକରୁ ଅଧିକ ମହିଳା ଶିକ୍ଷିତ ଓ ସଚେତନ ହେଲେଣି। ଏବେ ସେମାନେ ପରିବାରରେ ଗୋଟିଏ ଅପା˚କ୍ତେୟର ଭୂମିକା ନିର୍ବାହ କରିବାକୁ ନାରାଜ। କିନ୍ତୁ ପୁରୁଷ ପ୍ରଧାନ ଭାରତୀୟ ସମାଜ ଅନେକ ସ୍ଥାନରେ ସେମାନଙ୍କୁ ‘ଡୋର୍ ମ୍ୟାଟ୍’ ବା ପାପୋଛ ଭଳି ବ୍ୟବହାର କରୁଛି। ଏହା ଦ୍ବାରା ସେମାନେ ଆତ୍ମସମ୍ମାନହାନି ଜନିତ ଭୟଙ୍କର ମାନସିକ ବିଷାଦର ଶିକାର ହେଉଛନ୍ତି। ଏକ ସର୍ବେକ୍ଷଣ ରିପୋର୍ଟ ଦର୍ଶାଇଛି ଯେ ଜଣେ ଭାରତୀୟ ପୁରୁଷ ଦିନ ମଧୢରେ ହାରାହାରି ମାତ୍ର ୧୯ ମିନିଟ୍ ଘର କାର୍ଯ୍ୟ ସମ୍ପର୍କରେ ସହଧର୍ମିଣୀଙ୍କୁ ପଚାରି ବୁଝିଥାନ୍ତିି। ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ହେଉଛି ୮୨ ମିନିଟ୍। ଘରେ ଅପଚରା ଭାବେ ରହି ଜୀବନ କାଟିବାକୁ ଯଦିଓ ପଚାଶ ବର୍ଷ ତଳ ପର୍ଯ୍ୟନ୍ତ ମହିଳାମାନେ ସ୍ବାଭାବିକ ଭାବେ ଗ୍ରହଣ ଏବେ କରିନେଉଥିଲେ, ଏବେ ସେଭଳି କରିବାକୁ ମହିଳାମାନେ ପ୍ରସ୍ତୁତ ନୁହନ୍ତି। ତେଣୁ ଅନେକ କ୍ଷେତ୍ରରେ ପରିବାର ପ୍ରତିବାଦ ଓ ପ୍ରତିକ୍ରିୟାର ନିଆଁରେ ପୋଡ଼ି ଯାଉଛି।
ପ୍ରସିଦ୍ଧ ଆଲଜେରୀୟ ଲେଖକ ଆଲବର୍ଟ କାମ୍ୟୁ ଆତ୍ମହତ୍ୟା ସ˚ପର୍କରେ ଏକ ଆଲୋଚନାରେ ଥରେ କହିଥିଲେ- କୌଣସି ବ୍ୟକ୍ତି କାହା ଦ୍ବାରା ପରିତ୍ୟଜ୍ୟ ହେଲେ ଦୁଃଖ ପାଇଥାଏ। କିନ୍ତୁ ସେହି ବ୍ୟକ୍ତି ତାର ଅତି ପ୍ରିୟ ନିଜ ଲୋକଙ୍କ ଦ୍ବାରା ପ୍ରତ୍ୟାଖ୍ୟାତ ହେଲେ ଗଭୀର ମାନସିକ ବିଷାଦର ଶିକାର ହୁଏ, ଯାହା ହୁଏ ତ ଆତ୍ମହତ୍ୟା ଲାଗି ବାଟ ଦେଖାଇପାରେ। ଆମ ପରିବାର ଭିତରେ ଅନେକ ମହିଳା ଏଭଳି ନିଜ ଲୋକମାନଙ୍କ ଦ୍ବାରା ‘ପ୍ରତ୍ୟାଖ୍ୟାତ’ ହେବାର ଅସହ୍ୟ ମାନସିକ ଯନ୍ତ୍ରଣା ଦେଇ ଯାଆନ୍ତି। ସେମାନଙ୍କ ଭିତରୁ ଅନେକ ଆତ୍ମହତ୍ୟା ମଧୢ କରନ୍ତି।
କିନ୍ତୁ ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ। ସମସ୍ୟାର ସମାଧାନ ଥାଏ ବଞ୍ଚିବାରେ ଓ ଜୀବନର ଅନାଲୋକିତ ପ୍ରସ୍ଥକୁ ଆଲୋକିତ କରିବାରେ।
ମିଶନ ଆଶ୍ରା ଓ ମିଶନ ଆଶାଲୋକ
ଭୁବନେଶ୍ବର
ମୋ:୯୪୩୭୨୮୨୦୩୪