ଆମେ କେତେ ସ୍ୱଚ୍ଛ?

ବିଦ୍ୟାଧର ପଣ୍ତା

ସ୍ୱଚ୍ଛତା ଆମର କେତେ ଆବଶ୍ୟକ? ପୋଖରୀତୁଠରୁ ଆରମ୍ଭ କରି ଶାସନ ଓ ପ୍ରଶାସନ ପର୍ଯ୍ୟନ୍ତ ସ୍ୱଚ୍ଛତା ଜରୁରୀ ବୋଲି ଶୁଣିବାକୁ ମିଳୁଛି। ଆମ ଦେଶରେ କିଛି ବର୍ଷ ହେଲା ସରକାରୀ ସ୍ତରରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ ହୋଇଛି। କିନ୍ତୁ ସତ କହିଲେ, ଆମେ କ’ଣ ପ୍ରକୃତରେ ସ୍ୱଚ୍ଛତା ଭଳି ଏକ ବିଶାଳ ପ୍ରସଙ୍ଗକୁ ଭଲରେ ବୁଝିଛେ?

ଆମେ ସମସ୍ତେ ଭାବିଥାଏଁ ଯେ ଆମେମାନେ ସ୍ୱଚ୍ଛତାକୁ ଭଲ ପାଉଛେ। ତେଣୁ ସ୍ୱଚ୍ଛତା ଚାହୁଁ। ହେଲେ ଟିକିଏ ଭାବିଲେ! ରାସ୍ତାକଡ଼ରେ ପଡ଼ିଥିବା ପ୍ଲାଷ୍ଟିକ୍‌ ବୋତଲ, ଜରି ଓ ମଇଳା କାଗଜ ଦେଖି ଆପଣମାନେ ଯାହା ଦେଖି ପାରୁ ନ ଥିବେ, ମୁଁ ତାହା ଦେଖିପାରୁଛି। ମୁଁ ଦେଖି ପାରୁଛି ଯେ ଆପଣ ନିଜ ଘରକୁ ସ୍ୱଚ୍ଛ ବା ପରିଚ୍ଛନ୍ନ ରଖିବାକୁ ଚେଷ୍ଟିତ, କିନ୍ତୁ ଆପଣଙ୍କ ଘର ଅଳିଆ ଦ୍ୱାରା ରାସ୍ତାଘାଟ ଅପରିଷ୍କାର ହେଉ ପଛକେ ଆପଣଙ୍କର ଚିନ୍ତା ନାହିଁ। ଠିକ ତ?

ପ୍ରକୃତ କଥା ହେଲା ସ୍ୱଚ୍ଛତାକୁ ଆମେ ଆମ ଜୀବନର ଅଙ୍ଗ ବୋଲି କେବେ ବି ଭାବିନାହେଁ। ଏବେ ଦେଖନ୍ତୁ ଆମ ଆଚରଣ ଗତ ସ୍ୱଚ୍ଛତା କଥା। ଉଦାହରଣ ସ୍ୱରୂପ ଆମେମାନେ ବାର˚ବାର କହିଥାଉଁ ଯେ ପୁଲିସ ଲାଞ୍ଚୁଆ, ଅଫିସର ଦୁର୍ନୀତିଗ୍ରସ୍ତ ଏବଂ ଶାସନ ଓ ପ୍ରଶାସନ ଅସ୍ୱଚ୍ଛ। କିନ୍ତୁ ଥରେ ଭାବନ୍ତୁ ତ ଲାଞ୍ଚ ଦେଉଛି କିଏ? ଆମ ଭଳି ଅଭିଯୋଗ କରୁଥିବା ଲୋକେ ତ? ଆମେମାନେ ନିଜ ସୁବିଧା ଲାଗି ଗଳା ବାଟ ଖୋଜି ଲାଞ୍ଚ ଦେବା, ଏଣେ ଅଭିଯୋଗ କରିବା ଯେ ସରକାରୀ ବାବୁମାନେ ଟଙ୍କାଖୋର‌୍‌ ବା ଲାଞ୍ଚୁଆ। ଯଦି ଶାସନ ଓ ପ୍ରଶାସନକୁ ଆମେ ଦୁର୍ନୀତି ମୁକ୍ତ ବା ସ୍ୱଚ୍ଛ ରଖିବାକୁ ଚାହାନ୍ତେ ତେବେ ନିଜେ ସବୁ କାମ ନିୟମ ଅନୁସାରେ କରନ୍ତେ ଓ କାହାକୁ ଲାଞ୍ଚ ଦେବାକୁ ବାହାରନ୍ତେ ନାହିଁ। କିନ୍ତୁ ସେମିତି ହେଉଛି କି?

ଆମ ଲାଗି ସ୍ୱଚ୍ଛତା ନିତାନ୍ତ ଜରୁରୀ। କିନ୍ତୁ କେଉଁ ଭଳି ସ୍ୱଚ୍ଛତା? ଏହା ହେଉଛି ଆମ ଆଚରଣଗତ ସ୍ୱଚ୍ଛତା ଓ ବିଚାରରେ ସ୍ୱଚ୍ଛତା। ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରୁ ଗୌତମ ବୁଦ୍ଧ ଓ ମହାବୀର ଜୈନଙ୍କ ଭଳି ବିଶ୍ବ ଗୁରୁମାନେ ଆଚରଣ ଓ ବିଚାରଗତ ଶୁଦ୍ଧତା ଓ ସ୍ୱଚ୍ଛତା ଉପରେ ଗୁରୁତ୍ବ ଦେଇଛନ୍ତି। ଆମ ସମୟର ସର୍ବଶ୍ରେଷ୍ଠ ମହାମାନବ ମହାତ୍ମା ଗାନ୍ଧୀ ମଧୢ ଆଚରଣ ଓ ବିଚାରଗତ ଶୁଦ୍ଧତା ଉପରେ ଗୁରୁତ୍ବ ଦେଉଥିଲେ। ଏହାର କାରଣ ବିଚାର ଶୁଦ୍ଧ ହେଲେ ତାର ପ୍ରତିଫଳନ ଆମ କାମରେ ଦେଖିବାକୁ ମିଳିବ। ଏବ˚ ନିଜ କାର୍ଯ୍ୟ ଦ୍ବାରା ଆମେ ନିଜ ପରିବେଶକୁ ମଧୢ ପରିଚ୍ଛନ୍ନ ରଖିବା। ଯେଉଁ ବ୍ୟକ୍ତି ନିଜ ଘର ଅଳିଆକୁ ବାହାରେ ପକାଏ, ତାର ବିଚାର ଶୁଦ୍ଧି ନାହିଁ ବୋଲି ବୁଝିବାକୁ ହେବ। ସେଇ ଦୃଷ୍ଟିରୁ ଆମେମାନେ ଆତ୍ମ ସମୀକ୍ଷା କରିବା କଥା, ଆମେ ସମସ୍ତେ ସତରେ କେତେ ସ୍ୱଚ୍ଛ, କେତେ ପରିଚ୍ଛନ୍ନ? ଏ କଥା ନ ବୁଝି କେବଳ ସ୍ୱଚ୍ଛତାର ରାହା ଧରିଲେ କିଛି ଲାଭ ନାହିଁ।

ଅଢେଇଗୁଣ୍ତି, କାନପୁର
ମୋ-୯୩୪୮୦୪୨୦୬୬

ସମ୍ବନ୍ଧିତ ଖବର

Comments are closed.