ଆମ ସମୟରେ ଉତ୍କଳ ବିଶ୍ୱବିଦ୍ୟାଳୟ

ନରେନ୍ଦ୍ର କୁମାର ମିଶ୍ର

୧୯୬୪-୬୬ ମସିହାରେ ମୁଁ ଉତ୍କଳ ବିଶ୍ବବିଦ୍ୟାଳୟ, ରାଜନୀତି ବିଜ୍ଞାନର ସ୍ନାତକୋତ୍ତର ଶ୍ରେଣୀର ଛାତ୍ର ଥିଲି। ସମ୍ବଲପୁର ଗଙ୍ଗାଧର ମେହେର ମହାବିଦ୍ୟାଳୟରୁ ସ୍ନାତକ ପରେ ବାଣୀବିହାର ଆସିଲି। ସେତେବେଳେ ସ୍ବନାମଧନ୍ୟ ବିଶିଷ୍ଟ ବୈଜ୍ଞାନିକ ଡ. ପ୍ରାଣକୃଷ୍ଣ ପରିଜା ଏହି ବିଶ୍ବବିଦ୍ୟାଳୟର କୁଳପତି ଥିଲେ। ୧୯୬୬ ମସିହାରେ ପ୍ରମୁଖ ଅର୍ଥନୀତି ପ୍ରଫେସର ଡ. ସଦାଶିବ ମିଶ୍ର କୁଳପତି ହୋଇ ଆସିଲେ। କଟକ ରେଭେନ୍ସା ମହାବିଦ୍ୟାଳୟରୁ ପାଖାପାଖି ଦଶଟି ବିଭାଗ ବାଣୀବିହାରକୁ ସ୍ଥାନାନ୍ତରିତ ହୋଇଥିଲା। ଛାତ୍ରଛାତ୍ରୀ ସଂଖ୍ୟା ଥିଲା ଏକ ହଜାର ଭିତରେ। ଦେଶର ଖ୍ୟାତନାମା ପ୍ରଫେସରମାନେ ବିଭିନ୍ନ ବିଭାଗର ମୁଖ୍ୟଭାବେ ଅବସ୍ଥାପିତ ଥିଲେ। ସେମାନଙ୍କ ମଧ୍ୟରେ ରାଜନୀତି ବିଜ୍ଞାନର ଡ. ଶ୍ରୀରାମଚନ୍ଦ୍ର ଦାଶ, ଇତିହାସରେ ଡ. ମନ୍ମଥ ନାଥ ଦାସ, ପ୍ରୟୋଗାତ୍ମକ ଅର୍ଥନୀତିରେ ଡ. ବିଦ୍ୟାଧର ମିଶ୍ର, ବାଣିଜ୍ୟରେ ଡ. ସୂର୍ଯ୍ୟକାନ୍ତ ଦାସ, ଦର୍ଶନରେ ଡ. ଗଣେଶ୍ବର ମିଶ୍ର, ମନସ୍ତତ୍ତ୍ବରେ ଡ. ରାଧାନାଥ ରଥ, ସଂସ୍କୃତରେ ଡ. ପ୍ରହଲ୍ଲାଦ ପ୍ରଧାନ, ପରିସଂଖ୍ୟାନରେ ଡ. ସାଧୁଚରଣ ଦାଶ, ନୃତତ୍ତ୍ବରେ ଡ. ଲକ୍ଷ୍ମଣ ମହାପାତ୍ର ପ୍ରମୁଖ ଅନ୍ୟତମ। ଯେହେତୁ ଏହା ଓଡ଼ିଶାର ଏକମାତ୍ର ବିଶ୍ବବିଦ୍ୟାଳୟ ଥିଲା, ପ୍ରାୟ ତେରଟି ଜିଲ୍ଲା ଏବଂ ରାଜ୍ୟ ବାହାରର ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀ ଏଠାରେ ଅଧ୍ୟୟନ କରୁଥିଲେ। ସମଗ୍ର ଦେଶରେ ଏହି ପ୍ରମୁଖ ଅନୁଷ୍ଠାନର ସୁନାମ ଥିଲା। କାରଣ, ପ୍ରାୟ ସମସ୍ତ ବିଭାଗର ଛାତ୍ରଛାତ୍ରୀମାନେ ଦେଶ ତଥା ରାଜ୍ୟର ବିଭିନ୍ନ ଉଚ୍ଚ ପଦପଦବୀରେ ନିଯୁକ୍ତି ପାଇ ପାରୁଥିଲେ। ବିଶେଷକରି, ଆଇଏଏସ୍. ଆଇପିଏସ୍‌. ଏବଂ ଏଲାଏଡ୍‌ ପରୀକ୍ଷାରେ ଅନେକ କୃତକାର୍ଯ୍ୟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ବିଶିଷ୍ଟ ଶିକ୍ଷାବିତ୍ ଭାବରେ ବିଭିନ୍ନ ବିଶ୍ବବିଦ୍ୟାଳୟର କୁଳପତି ଭାବେ ସୁନାମର ସହ ଅବସର ଗ୍ରହଣ କଲେଣି।

ଛାତ୍ରଛାତ୍ରୀମାନେ ବିଭିନ୍ନ ହଷ୍ଟେଲ୍‌ରେ ରହୁଥିଲେ ଏବଂ ଅଧିକାଂଶ ଭୁବନେଶ୍ବର ଓ କଟକରୁ ବସ୍ ଯୋଗେ ଯିବା ଆସିବା କରୁଥିଲେ। ସମଗ୍ର ବାଣୀବିହାର ଏକ ଖୋଲ ଟାଙ୍ଗରା ଭୂମି ଥିଲା ଏବଂ ଖୁବ୍ ଜୋର୍‌ରେ ପବନ ବହୁଥିଲା। ଦୁଇ ବର୍ଷ ଭିତରେ ନିୟମିତ ପରୀକ୍ଷା ହୋଇ ଫଳ ବାହାରୁଥିଲା। ବିଶ୍ବବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନମାନଙ୍କରେ ରାଜନୈତିକ ହସ୍ତକ୍ଷେପ ହେଉ ନଥିଲା ଏବଂ କୌଣସି ରାଜନୈତିକ ବ୍ୟକ୍ତିବିଶେଷ ବିଶ୍ବବିଦ୍ୟାଳୟ ସମସ୍ୟାରେ ଜଡ଼ିତ ହେଉ ନଥିଲେ। ଛାତ୍ର ଇୟୁନିୟନ, ଛାତ୍ର ଫେଡେରେସନ୍ ଏବଂ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଭଳି ସର୍ବଭାରତୀୟ ଛାତ୍ର ସଂଗଠନର କର୍ମକର୍ତ୍ତାମାନେ ରାଜ୍ୟର କେବଳ ଉପକୂଳ ଅଞ୍ଚଳରେ ଥିବା ମହାବିଦ୍ୟାଳୟମାନଙ୍କରେ ସଂକ୍ରୀୟ ଥିଲେ। ଛାତ୍ର ସଂସଦ ନିର୍ବାଚନ ବ୍ୟୟବହୁଳ ନଥିଲା। ୧୯୬୪-୬୫ ମସିହାରେ ମୁଁ ଉପସଭାପତି ଭାବେ ନିର୍ବାଚିତ ହୋଇଥିଲି ଏବଂ ସେତେବେଳେ ନିର୍ବାଚନ ପାଇଁ ମୋର ମୋଟ ଖର୍ଚ୍ଚ ଥିଲା ଏକ ଶହ ଟଙ୍କା ଭିତରେ। ପରବର୍ଷ, ସଭାପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲା। ୧୯୬୪-୬୫ ମସିହାରେ ହୋଇଥିବା ଛାତ୍ର ଆନ୍ଦୋଳନରେ ବାଣୀବିହାର ବନ୍ଦ ହୋଇ ଯାଇଥିଲା ଏବଂ ଛାତ୍ରମାନେ ଲୁଚିଛପି ଏହି ଆନ୍ଦୋଳନକୁ ସକ୍ରୀୟ ରଖିଥିଲେ। ଛାତ୍ର ସଂସଦର ବିଭିନ୍ନ ସଭାସମିତିମାନଙ୍କରେ ବହୁ ଛାତ୍ରଛାତ୍ରୀଙ୍କର ଯୋଗଦାନ ହେଉଥିଲା ଏବଂ ଦେଶ ବିଦେଶର ବହୁ ନେତୃସ୍ଥାନୀୟ ବ୍ୟକ୍ତିବିଶେଷ ଉଦ୍‌ବୋଧ ଦେବାପାଇଁ ନିମନ୍ତ୍ରିତ ହେଉଥିଲେ। ୧୯୬୬ ମସିହାରେ ବିଶିଷ୍ଟ ଜନନାୟକ ଜୟପ୍ରକାଶ ନାରାୟଣ, ପ୍ରଭାବତୀ ଦେବୀଙ୍କ ସହିତ ସସ୍ତ୍ରୀକ ଆସି ଛାତ୍ରଛାତ୍ରୀମାନଙ୍କୁ ଅଭିଭାଷଣ ପ୍ରଦାନ କରିଥିଲେ। ସେହିବର୍ଷ ଅକ୍ଟୋବର ମାସରେ ହୋଇଥିବା କନ୍‌ଭୋକେସନ୍‌କୁ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ଡ. କରଣ ସିଂହ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଥିଲେ। ଭାରତର ସ୍ବନାମଧନ୍ୟ ଇଂଜିନିୟର ବିଶ୍ବବିଦ୍ୟାଳୟର କୁଳପତି, ଡ. ଅଯୋଧ୍ୟାନାଥ ଖୋସଲାଙ୍କଠାରୁ ସ୍ବର୍ଣ୍ଣପଦକ ପ୍ରାପ୍ତ ହୋଇ ମୁଁ ନିଜକୁ ଗୌରବାନ୍ବିତ ମନେକରୁଛି।

ଉତ୍କଳ ବିଶ୍ବବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ ପାଇଁ ଭାରତର ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଆସନ୍ତା ୮ ତାରିଖରେ ଆସୁଥିବା ଏକ ସୌଭାଗ୍ୟର କଥା। ରାଜ୍ୟ ସରକାର ବିଶ୍ବବିଦ୍ୟାଳୟ ଉନ୍ନତିକଳ୍ପେ ଶହେ କୋଟି ଟଙ୍କା ପ୍ରଦାନ କରୁଥିବାରୁ, ସେମାନଙ୍କୁ ଅଶେଷ ଧନ୍ୟବାଦ। ଆଶାକରାଯାଏ, କେନ୍ଦ୍ର ସରକାର ମଧ୍ୟ ଅନୁରୂପ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିବେ। ଏହି ବିଶ୍ବବିଦ୍ୟାଳୟର ଉତ୍ତରୋତ୍ତର ଉନ୍ନତି ପାଇଁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି।

ପୂର୍ବତନ କୂଳପତି
ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ

ସମ୍ବନ୍ଧିତ ଖବର