ଆଦର୍ଶର ଅପମୃତ୍ୟୁ

ଗୌତମବୁଦ୍ଧ ଦାସ

ନିକଟରେ ମହାରାଷ୍ଟ୍ରରେ ପ୍ରାୟ ଏକ ମାସରୁ ଅଧିକ ସମୟ ଧରି ଅଭିନୀତ ହୋଇଥିବା ରାଜନୈତିକ ମହାନାଟକ ସାରା ଦେଶର ଦର୍ଶକଙ୍କୁ ଏକାଧାରରେ ଖୁବ୍ ଆମୋଦିତ ଓ ବ୍ୟଥିତ କରିଥିଲା। ସେ ବିଷୟରେ କିଛି ଅଧିକ କହିବା କେବଳ ପୁନରାବୃତ୍ତି ଭଳି ଲାଗିପାରେ। ତେବେ ଏହା ସତ ଯେ ସେହି କେତେଦିନ ଭିତରେ ଯାହା ସବୁ ଘଟିଗଲା, ତାହା ରାଜନୀତିରେ ରୁଚି ରଖୁଥିବା ଲୋକଙ୍କ ଲାଗି ସ୍ବାଦିଷ୍ଟ ହୋଇନାହିଁ। ନିର୍ବାଚନ ସରିବା ପରେ ବିଜେପି-ଶିବସେନା ମେଣ୍ଟ ବହୁମତ ହାସଲ କରିଥିବା ସତ୍ତ୍ବେ ସରକାର ଗଢ଼ିଲେ ଶିବସେନା-ଏନ୍‌ସିପି ଓ କଂଗ୍ରେସ ମେଣ୍ଟ। ଏବଂ ସେହି ପ୍ରକ୍ରିୟାରେ ଦଳଗତ ଆଦର୍ଶକୁ ସଂପୂର୍ଣ୍ଣ ଭାବେ ଜଳାଞ୍ଜଳି ଦିଆଯାଇ କ୍ଷମତା ଅଧିକାର ଲାଗି ସ୍ବର୍ଥ ପ୍ରଣୋଦିତ ଉଦ୍ଦେଶ୍ୟ ଚରିତାର୍ଥ ଲାଗି ଉଦ୍ୟମ ହେଲା।

ତେବେ, ଭାରତ ଲାଗି ଏହା କିଛି ନୂଆ ନୁହେଁ। କହିବା ବାହୁଲ୍ୟ ଯେ ଗ‌ାନ୍ଧୀବାଦ, ହିନ୍ଦୁତ୍ବ, ଧର୍ମନିରପେକ୍ଷତା, ସମାଜବାଦ, ସାମ୍ୟବାଦ ଭଳି ବଡ଼ ବଡ଼ ନୀତି ଓ ଆଦର୍ଶବାଦର ଦ୍ବାହି ଦେଇ ରାଜନୀତି କରୁଥିବା ରାଜନୈତିକ ଦଳଗୁଡ଼ିକ ବାରମ୍ବାର ଏଭଳି ଅଧୋଗତିର ଉଦାହରଣ ଦେଇ ଆସୁଛନ୍ତି। ବିଶ୍ବର ବୃହତ୍ତମ ଗଣତନ୍ତ୍ର ଭାରତରେ କ୍ଷମତା ଦଖଲ ଲାଗି ବିପୁଳ ଅର୍ଥ ବିନିମୟରେ ଦଳମତ ନିର୍ବିଶେଷରେ ବିଧାୟକ ଓ ସାଂସଦମାନେ ଘୋଡ଼ା ଭଳି ବିକ୍ରି ହେଉଥିବା କଥା ଆଦୌ ନୂଆ ହୋଇ ରହିନାହିଁ। ତେବେ, ଇତିମଧ୍ୟରେ ଘୋଡ଼ାର ଭାଉ ପୂର୍ବାପେକ୍ଷା ବହୁତ ଅଧିକ ବଢ଼ିଛି ଏବଂ କିଣା-ବିକାର ଶୈଳୀ ମଧ୍ୟ ବଦଳି ଯାଇଛି। କୌତୂହଳର ବିଷୟ ହେଲା ମୂଲଚାଲର ଏହି ଖେଳରେ ସବୁ ଦଳ ଜିତିବାକୁ ଚାହୁଥିଲେ ମଧ୍ୟ ପରସ୍ପର ବିରୋଧରେ ଆରୋପ-ପ୍ରତ୍ୟାରୋପ କରି ‘ଆଦର୍ଶ’ ନାଁରେ ଭୋଟରଙ୍କୁ ଭକୁଆ ବନାଇ ଚାଲିଛନ୍ତି।

ଏ ସଂଦର୍ଭରେ ଦୃଷ୍ଟାନ୍ତ ଲାଗି ଅଧିକ ପଛକୁ ଯିବାକୁ ପଡ଼ିବ ନାହିଁ। ୧୯୭୭ରେ ଜରୁରୀକାଳୀନ ପରିସ୍ଥିତି ଉପରାନ୍ତ ମୋରାରଜୀ ଦେଶାଇଙ୍କ ଜନତା ପାର୍ଟି ସରକାର ଯେତେବେଳେ କ୍ଷମତାକୁ ଆସିଲା, କଂଗ୍ରେସ ଶାସନାଧୀନ ୯ଟି ନିର୍ବାଚିତ ସରକାରକୁ ଏହି କଥା କହି ବରଖାସ୍ତ କରିଦିଆଗଲା ଯେ ସଂସଦୀୟ ନିର୍ବାଚନରେ କଂଗ୍ରେସର ବିପୁଳ ପରାଜୟ ଘଟିଥିବାରୁ ରାଜ୍ୟଗୁଡ଼ିକରେ ବି କଂଗ୍ରେସ ସରକ‌ାର କ୍ଷମତାରେ ରହିବାର ଅଧିକାର ନାହିଁ। ଜୟପ୍ରକାଶ ନାରାୟଣଙ୍କ ସମାଜବାଦୀ ଆଦର୍ଶ ଦ୍ବାରା ପରିପୁଷ୍ଟ ଜନତା ପାର୍ଟିର ସରକାର ସେତେବେଳେ ଆଦର୍ଶ ଅପେକ୍ଷା କ୍ଷମତା ଦଖଲକୁ ଅଧିକ ଗୁରୁତ୍ବ ଦେଇଥିଲା। ଏହାର ଠିକ୍ ତିନି ବର୍ଷ ପରେ ଯେତେବେଳେ ଇନ୍ଦିରା ଗାନ୍ଧୀଙ୍କ କଂଗ୍ରେସ ବିପୁଳ ବିଜୟ ହାସଲ କରି କେନ୍ଦ୍ରରେ କ୍ଷମତା ଦଖଲ କଲା, ସମାନ ଭାବେ ସବୁ ଆଦର୍ଶର ହତ୍ୟା ପୂର୍ବକ ରାତାରାତି ୯ଟି ରାଜ୍ୟର ନିର୍ବାଚିତ ଅଣକଂଗ୍ରେସୀ ସରକାରଙ୍କୁ ବରଖାସ୍ତ କରି ଦିଆଗଲା। ଜରୁରୀ ପରିସ୍ଥିତି ବେଳେ ଓ ପରେ କଂଗ୍ରେସର ଶକ୍ତିଶାଳୀ କ୍ଷମତାକେନ୍ଦ୍ର ଭାବେ ଆବିର୍ଭୂତ ସଞ୍ଜୟ ଗାନ୍ଧୀ ଦଳ ଭିତରେ ସେ ପର୍ଯ୍ୟନ୍ତ ତଥାପି ବଞ୍ଚି ରହିଥିବା ଗାନ୍ଧୀବାଦୀ ଆଦର୍ଶକୁ କେମିତି ଦଳିମକଚି ଦେଇଥିଲେ, ତାହା ସମସ୍ତଙ୍କ ସ୍ମରଣରେ ଥିବ। ସେମିତି ଓଡ଼ିଶାରେ ଆଜୀବନ କଂଗ୍ରେସକୁ ବିରୋଧ କରିଥିବା ଅନେକ ସମାଜବାଦୀ ଶେଷ ବେଳକୁ କ୍ଷମତା ମହୁର ମୋହରେ ରାଜନୈତିକ ଆଦର୍ଶ ଛାଡ଼ି କଂଗ୍ରେସକୁ ଆପଣାଇ ନେଇଥିଲେ। ପୁଣି ନିଜକୁ ମୂଳରୁ କଂଗ୍ରେସ, ବାମପନ୍ଥୀ ବା ଦକ୍ଷିଣପନ୍ଥୀ ଆଦର୍ଶରେ ଗଢ଼ିଥିବା ବହୁ ନେତା ସମ୍ପୂର୍ଣ୍ଣ ବିପରୀତ ଆଦର୍ଶକୁ ଭିତ୍ତି କରିଥିବା ଦଳକୁ ଡିଆଁ ମାରିଥିବାର ଅନେକ ନଜିର ରହିଛି। ତେବେ ଫରକ ଏତିକି ଯେ ପୂର୍ବରୁ ଯାହା କେବେ କେମିତି ହେଉଥିଲା, ଏବେ ତାହା ଦେହସୁହା କଥାରେ ପରିଣତ ହୋଇଗଲାଣି।

ନିକଟ ଅତୀତରେ ସୁବିଧାବାଦୀ ରାଜନେତାମାନେ କିପରି କ୍ଷମତାରେ ରହିବା ପାଇଁ ସେମାନଙ୍କ ରାଜନୈତିକ ଆଦର୍ଶକୁ ଭୂଲୁଣ୍ଠିତ କରିଛନ୍ତି, ତାହାର ସବୁଠାରୁ ବଡ଼ ଉଦାହରଣ ହେଉଛି ଜାମ୍ମୁକାଶ୍ମୀର ଓ ବିହାର। ମହାରାଷ୍ଟ୍ରରେ ଶିବସେନା ଭଳି ହିନ୍ଦୁତ୍ବବାଦୀ ଦଳ ସହ ଏନ୍‌ସିପି-କଂଗ୍ରେସର ମେଣ୍ଟକୁ ଦେଖି ଯେଉଁମାନେ ଚକିତ ହେଉଛନ୍ତି, ସେମାନଙ୍କ ସ୍ମରଣ ଶକ୍ତିକୁ ତେଜେଇବା ପାଇଁ ଏଠାରେ ୨୦୧୪ର ଜାମ୍ମୁ-କାଶ୍ମୀର ନିର୍ବାଚନ କଥା ପଡୁ। ସେଠାରେ ଦୁଇ ସମ୍ପୂର୍ଣ୍ଣ ବିପରୀତ ରାଜନୈତିକ ମତାଦର୍ଶର ଦଳ ବିଜେପି ଓ ପିଡିପି ପରସ୍ପର ବିରୋଧରେ ନିର୍ବାଚନ ଲଢ଼ିଥିଲେ ମଧ୍ୟ ନିର୍ବାଚନ ପରେ ମେଣ୍ଟ କରି ତିନି ବର୍ଷ କାଳ ଏକାଠି ସରକାର ଚଳାଇଥିଲେ। ଠିକ୍ ସେମିତି ୨୦୧୫ ବିଧାନସଭା ନିର୍ବାଚନରେ ନୀତୀଶ କୁମାରଙ୍କ ଜେଡିୟୁ, ଆର୍‌ଜେଡି ଓ କଂଗ୍ରେସ ସହ ମେଣ୍ଟ କରି ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟୀ ହୋଇ ସରକାର ଗଢ଼ିଥିଲା। କିନ୍ତୁ କ୍ଷମତା ଦଖଲର ନିଶା ଏମିତି ଘାରିଲା ଯେ ବିଜେପି ଜନାଦେଶ ବିରୋଧରେ ଯାଇ ଅଚାନକ ନୀତୀଶଙ୍କୁ ଏନ୍‌ଡିଏକୁ ଫେରାଇ ନେଇ ସରକାର ଗଠନ କରି ପକାଇଲା। ଏହା ପୂର୍ବରୁ ୯୦ ଦଶକର ଶେଷ ବେଳକୁ ହରିୟାଣା ବିଜେପିର ପ୍ରଭାରୀ ଥିଲେ ଏବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେତେବେଳେ ବିଜେପି ବଂଶୀଲାଲଙ୍କ ହରିୟାଣା ବିକାଶ ପାର୍ଟି ସହ ଭାଗିଦାରୀରେ ସରକାର ଗଢ଼ିଥିଲା। କିନ୍ତୁ ୧୯୯୮ ଲୋକସଭା ନିର୍ବାଚନରେ ବିଜେପି-ବଂଶୀଲାଲ ମେଣ୍ଟ ଭଲ ଫଳ ନ କରିବାରୁ ଦୁଇ ବର୍ଷ ପରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି ବଂଶୀଲାଲଙ୍କୁ ଛାଡ଼ି ବିରୋଧୀ ଦେବୀଲାଲ-ଚୌତାଲାଙ୍କ ଅଲ୍‌ ଇଣ୍ଡିଆ ଲୋକଦଳ ସହ ମେଣ୍ଟ କଲା ଏବଂ ସରକାର ମଧ୍ୟ ଗଢ଼ିଲା। ନିକଟ ଅତୀତରେ ଏହାର ପୁନରାବୃତ୍ତି ଦେଖିବାକୁ ମିଳିଲା, ଯେତେବେଳେ ବିଜେପି ହରିୟାଣାରେ ସରକାର ଗଢ଼ିବା ପାଇଁ ଚୌତାଲାଙ୍କ ନାତି ଦୁଷ୍ୟନ୍ତ ଚୌତାଲାଙ୍କ ଜେଜେପି ସହ ମେଣ୍ଟ କରିବାକୁ ବାଧ୍ୟ ହେଲା। କ୍ଷମତା ଦଖଲ ପାଇଁ କଂଗ୍ରେସ, ବିଜେପି, ଟିଡିପି, ବିଜେଡି, ଏନ୍‌ସିପି, ଡିଏମ୍‌କେ, ଏଆଇଡିଏମ୍‌କେ ଭଳି ସବୁ ଗୁରୁତ୍ବପୂର୍ଣ୍ଣ ଦଳ ନିଜ ନିଜ ରାଜନୈତିକ ବିଚାରଧାରାକୁ ବଳି ଦେଇଛନ୍ତି; ଆଦର୍ଶ ସହିତ ବାରମ୍ବାର ସାଲିସ କରି ଆସୁଛନ୍ତି।

ବିଡ଼ମ୍ବନା ହେଲା, ଗାନ୍ଧୀଙ୍କ ଆଦର୍ଶକୁ ପା‌େଥୟ କରି ଗଠିତ ହୋଇଥିବା ଗୋଟିଏ ଦଳ ଇତିମଧ୍ୟରେ ଗାନ୍ଧୀଙ୍କୁ ବିକି-ଭାଙ୍ଗି ତାଙ୍କ ବିଚାରକୁ ଚଳୁ କରି ସାରିଛି। ଏବେ ସେହି ଦଳ ବୈଚାରିକ ଏବଂ ସୈଦ୍ଧାନ୍ତିକ ଦେବାଳିଆ ସ୍ଥିତିକୁ ଆସିଯିବା ପରେ ‘ଗାନ୍ଧୀ…ଗାନ୍ଧୀ’ ବୋଲି ବାଉଳି ହେଉଛି ଯାହା। ଅପରପକ୍ଷରେ ଗାନ୍ଧୀଙ୍କୁ ଗାଳି ଦେଇ ଦେଇ ତିଆରି ହୋଇଥିବା ଅନ୍ୟ ଦଳଟି ଆଜି ଅତି ଚତୁରତାର ସହିତ ଗାନ୍ଧୀଙ୍କ ଆଦର୍ଶ ଆମ ସମସ୍ତଙ୍କ ଅନୁକରଣୀୟ ବୋଲି ଜୋର୍‌ରେ ପ୍ରଚାର କରୁଥିବା ବେଳେ ପ୍ରତି ମୁହୂର୍ତ୍ତରେ ତାଙ୍କ ଆଦର୍ଶ ଓ ବିଚାରକୁ ପଦାନତ କରିବାରେ ଲାଗିଛି। ଗୋଟିଏ ପଟେ ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ମହାସମାରୋହରେ ପାଳିତ ହେଉଛି, ତ ଅପର‌ ପଟେ ଗଡ଼ସେଙ୍କୁ ‘ଦେଶଭକ୍ତ’ ଦର୍ଶାଇ ଗୋଟିଏ ଥାକରେ ଗାନ୍ଧୀଙ୍କ ସହ ତାଙ୍କ ଫଟୋ ପୂଜା କରିବାର ପ୍ରୟାସ ହେଉଛି। ନିଜକୁ ସର୍ବହରାର ସାଥୀ ଦାବି କରୁଥିବା ବାମପନ୍ଥୀମାନେ ମାର୍କସ-ଲେନିନଙ୍କ ଆଦର୍ଶକୁ ଷ୍ଟାଲିନ୍‌-‌ମାଓ ସେତୁଂଙ୍କ ସହ ଏମିତି ଏକାକାର କରି ଦେଇଛନ୍ତି ଯେ ସାମ୍ୟବାଦ ଓ ଏକଚ୍ଛତ୍ରବାଦ ଭିତରେ ଫରକ ଦେଖିପାରୁ ନାହାନ୍ତି। ଦିନେ ଲୋହିଆ-ଜୟପ୍ରକାଶଙ୍କ ଆଦର୍ଶକୁ ନେଇ କିଛି ସମାଜବାଦୀ ଆଦର୍ଶ ସମାଜବାଦର ସ୍ବପ୍ନ ଦେଖାଇଥିଲେ। ହେଲେ, ଆଜି ସେହି ସମାଜବାଦ ତତ୍କାଳୀନ ସମାଜବାଦୀଙ୍କ ଭ୍ରଷ୍ଟ ପରିବାରର କବଳରେ ପଡ଼ି ଛଟପଟ ‌େହଉଛି।

ଏମିତି ଗୋଟିଏ ସଂକଟ ବେଳାରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଥିବା ଦେଶର ଯୁବପିଢ଼ିଙ୍କୁ ଦିଶା ଦେଖାଇବା ପାଇଁ ନା ଗାନ୍ଧୀଙ୍କ ଭଳି ଜନନାୟକ ଅଛନ୍ତି ନା ଜେପିଙ୍କ ଭଳି ଚିନ୍ତାନାୟକ! ତେବେ ଏ ପରିପ୍ରେକ୍ଷୀରେ ସବୁଠାରୁ ବଡ଼ ବିଡ଼ମ୍ବନା ହେଲା, ଚାକିରି ଚିନ୍ତାରେ ବିବ୍ରତ ଅବା ଟିକ୍‌ଟକ୍‌ ଭିଡିଓ ବନାଇବାରେ ମସ୍‌ଗୁଲ୍ ଦେଶର ଯୁବପିଢ଼ି ମଧ୍ୟ ଏସବୁ ‘ଆଦର୍ଶ-ଫାଦର୍ଶ’ରେ ମୁଣ୍ଡ ‌େଖଳାଇବାକୁ ନାରାଜ। ଇତିହାସ ପଢ଼ିବାକୁ ସେମାନଙ୍କର ସମୟ ନାହିଁ; ମହାପୁରୁଷମାନଙ୍କ ଅବଦାନ ବା ବଳିଦାନ ଜାଣିବାରେ ଆଗ୍ରହ ନାହିଁ। ପ୍ରଚଳିତ ବ୍ୟବସ୍ଥାରେ ସୁଧାର ଆଣିବାର ସଂକଳ୍ପ ନାହିଁ। ବିକ୍ରି ହୋଇ ସାରିଥିବା ଟିଭି ବିତର୍କର କୋଳାହଳ ଭିତରୁ ସେମାନେ ହଳାହଳ ଆହରଣ କରୁଛନ୍ତି। ସୋସାଲ ମିଡିଆରେ ବହୁଳ ପ୍ରସାରିତ ମିଥ୍ୟା ଓ ଘୃଣାର ଦଲିଲ ପଢ଼ି ଗାନ୍ଧୀଙ୍କୁ ଦେଶଦ୍ରୋହୀ ଓ ନେହରୁଙ୍କୁ ଦଲାଲ କହିବାର ପ୍ରଶିକ୍ଷଣ ନେଉଛନ୍ତି। ଏଭଳି ସ୍ଥଳେ ଭାରତବର୍ଷର ମହତ ଆଦର୍ଶ, ତର୍କସମ୍ମତ ବିଚାର, ବିବିଧତା ଓ ବୈଚିତ୍ର୍ୟପୂର୍ଣ୍ଣ ସଂସ୍କୃତି ଏବଂ ମାନବିକ ମୂଲ୍ୟବୋଧ ଉପରେ ଥିବା ଗଭୀର ଆସ୍ଥା ଓ ବିଶ୍ବାସକୁ ବଞ୍ଚାଇ ରଖିବ କିଏ?

ମୋ: ୯୪୩୭୦୮୨୫୨୬
[email protected]

ସମ୍ବନ୍ଧିତ ଖବର