ଭାଲୁ ସଙ୍ଗେ ଭେଟା ଭେଟି

କଥା କାହାଣୀ - ଡକ୍ଟର ତ୍ରିନାଥ ପଟ୍ଟନାୟକ

ଆମେ ଚାରିଜଣ ସାଙ୍ଗ ଦିନେ ଜଙ୍ଗଲ ବୁଲିବାକୁ ବାହାରିଲୁ। ପ୍ରଥମେ ବୁଦୁବୁଦିକିଆ ଜଙ୍ଗଲ, ତା’ପରେ ବଡ଼ ଜଙ୍ଗଲ। ଛୋଟ ଜଙ୍ଗଲରେ ବହୁତ ବରକୋଳି, କଣ୍ଟେଇକୋଳି ଓ ଗୁଆକୋଳି ଗଛ! କଣ୍ଟେଇକୋଳି ଗଛରେ ପାଚିଲାକୋଳି ଭରପୂର ହୋଇ ଫଳିଥାଏ। ସାଙ୍ଗରେ କଞ୍ଚାଲଙ୍କା ଲୁଣ ନେଇଥାଉ। କଣ୍ଟେଇ କୋଳି ସେଥିରେ ମିଶାଇ ଛେଚିଲୁ। ସତରେ ସେ କୋଳି ଛେଚା ଖାଇଲେ କି ମଜା! ପାଟି ରାଗରେ ଜଳିଲା। ପାଖରେ ପାହାଡ଼ି ଝରଣା ବହି ଯାଉଥାଏ। କାଚ କେନ୍ଦୁ ଭଳି ପାଣି। ଆଞ୍ଜୁଳା ଆଞ୍ଜୁଳା ପାଣି ପିଇଗଲୁ।

କେତେ ଜାତିର ରଙ୍ଗ ବେରଙ୍ଗ ଚଢ଼େଇ ଉଡ଼ି ବୁଲୁଥାଆନ୍ତି କୋଳି ଖାଇବା ନିମନ୍ତେ। ସେମାନଙ୍କର କିଚିରି ମିଚିରି ଗୀତ ବହୁତ ଭଲ ଲାଗୁଥାଏ। ଏମିତି ସୁନ୍ଦର ପରିବେଶ ଆଗରୁ କେବେ ଦେଖି ନଥିଲୁ କି ଅନୁଭବ ସୁଦ୍ଧା କରି ନଥିଲୁ। ଆମ ଭିତରେ ଦୁଇଜଣ ସାଙ୍ଗଙ୍କର ବୟସ ଅଧିକ ଥିଲା। ଜଙ୍ଗଲକୁ ବହୁଥର ଆସିଛନ୍ତି। ବଡ଼ ସାହାସୀ। ଦୁହିଁଙ୍କ ନାମ ହେଲା, ଋଷିଆ ଓ ଶ୍ୟାମ।

ଋଷିଆ କହିଲା ଚାଲ ଜଙ୍ଗଲର ଆଉ ଟିକିଏ ଭିତରକୁ ଯିବା। ସେଇଠି ବହୁତ କୋଳିଗଛ ଅଛି। ସୁନ୍ଦର ଝରଣା ମଧ୍ୟ କୁଳୁ କୁଳୁ ହୋଇ ବହି ଚାଲୁଛି। ମୟୂର, ବଣ କୁକୁଡ଼ା, ଠେକୁଆ, ହରିଣ ପାଣି ପିଉଥିବେ। ସେଇଠୁ ବରକୋଳି ଓ କଣ୍ଟେଇକୋଳି ତୋଳି ଫେରିବା। ଆମେ ଜଙ୍ଗଲ ଭିତରକୁ ଗଲୁ।

ଗହଳିଆ କଣ୍ଟେଇକୋଳି ବୁଦା। ବୁଦା ତଳେ ଶ୍ୟାମ ତା ଅଣ୍ଟାରେ ବାନ୍ଧିଥିବା ଗାମୁଛାଟାକୁ ଖୋଲି ପାରିଦେଲା। ଋଷିଆ ଖଣ୍ଡେ ବାଡ଼ିଧରି ବୁଦା ଉପରକୁ ଆସ୍ତେ ଆସ୍ତେ ବାଡ଼େଇଲା। ଗୁଳୁ ଗୁଳୁ ଶବ୍ଦ କରି କୋଳି ଗାମୁଛା ଉପରେ ଗଦା ହୋଇଗଲା। ଠିକ୍‌ ଏତିକିବେଳେ ବୁଦା ଗହଳରୁ ଉହୁ ଉହୁ ଶବ୍ଦ ଶୁଣାଗଲା। ଯେମିତି ଜରୁଆ ଲୋକଟାଏ ଥରି ଥରି କମ୍ପୁଛି। ଋଷିଆ ମୁଣ୍ଡ ଗଳେଇ ବୁଦା ତଳକୁ ଅତି ସତର୍କରେ ଚାହିଁଲା। ଆମକୁ ପାଟିରେ ଆଙ୍ଗୁଠି ଦେଇ ଚୁପ୍‌ ରହିବାକୁ ସୂଚନା ଦେଲା। ଦେଖିଲୁ କଳାରଙ୍ଗର ଏକ ବିରାଟ ଜନ୍ତୁ ଜରରେ କମ୍ପୁଛି। ମନରେ ଭୟ ହୋଇ ଗଲା। ସେ ହାତଠାରି ଆମ ସମସ୍ତଙ୍କୁ କହିଲା ଶୀଘ୍ର ଗଛ ଉପରେ ଚଢ଼ି ଯାଅ। ସେ ମଧ୍ୟ ଗଛ ଉପରକୁ ଉଠିଗଲା। ଆମେ ବି ତା’ ସାଥିରେ ଗଛ ଚଢ଼ିଲୁ।

ଗଛ ଉପରେ ଥାଇ ମୁଁ ଋଷିଆକୁ ପଚାରିଲି; ସେଇଟା କି ଜନ୍ତୁ କିରେ ଋଷିଆ?

‘‘ବିରାଟ ଶଙ୍କରପାଟିଆ ଭାଲୁ।’’ ଋଷିଆ ଆଖି ବଡ଼ ବଡ଼ କରି କହିଲା। ‘‘ମୁଁ ସିନା ଦେଖି ନେଲି, ନ ହେଲେ ସମସ୍ତଙ୍କୁ ତା ଧାରୁଆ ଜିଭରେ ଚାଟି ଦେଇଥା’ନ୍ତା ଆଉ ନଖରେ ବିଦାରିଥା’ନ୍ତା।’’

ଶ୍ୟାମ ପଚାରିଲା, ଆମେ ଏବେ କ’ଣ କରିବା? କେମିତି ଏଇଠୁ ଘରକୁ ଯିବା। ଗାମୁଛାଟା ନ ନେଲେ, ମୋ ମାଆ ପାଟି କରିବ।

ଋଷିଆ କହିଲା- ବ୍ୟସ୍ତ ହୁଅନା, ମୁଁ ଜଙ୍ଗଲରେ କାଠ କାଟୁଥିବା ଲୋକଙ୍କୁ ଡାକୁଛି। ସେମାନେ ପହଞ୍ଚିଗଲେ ଭାଲୁ ଚାଲିଯିବ।

ଋଷିଆ ମୁହଁରେ ଦୁଇହାତ ଦେଇ ଏକ ବିଚିତ୍ର ଶବ୍ଦ କଲା- ଓ…ହୋ….।

ସେପଟରୁ ଉତ୍ତର ଆସିଲା… ହୋ… ହୋ…। ସତକୁ ସତ ଆଠ ଦଶଜଣ ଲୋକ ପାଟିତୁଣ୍ଡ କରି ଆମେ ଚଢ଼ିଥିବା ଗଛ ତଳେ ପହଞ୍ଚିଗଲେ। ଭାଲୁକୁ ଦିନରେ ଭଲ ଦେଖା ଯାଏନି। ତାକୁ ମଧ୍ୟ ଜର ହୋଇଥାଏ। ଏଣୁ ସେ ବିଶ୍ରାମ ନେଇଛି। ସେଇଟା ତା’ ଘର। ପାଟିଶୁଣି ଭାଲୁ ଗାରୁ ଗାରୁ ହୋଇ କୁଆଡ଼େ ଚାଲିଗଲା।

ଆମେ ଜଙ୍ଗଲରୁ ଫେରି ଆସିଲୁ। ଶ୍ୟାମ କହିଲା, ସବୁ ଜୀବଜନ୍ତୁଙ୍କର ସ୍ୱାଧୀନତା ଅଛି। କାହାରି ଶାନ୍ତିରେ ବ୍ୟାଘାତ ଦେବା ଉଚିତ୍‌ ନୁହେଁ।

ନିଆଳୀ, କଟକ

ସମ୍ବନ୍ଧିତ ଖବର