ସ୍କାଏ ଲାଇଟ୍‌ : ଜୈବ ପଦାର୍ଥରେ ରୂପାନ୍ତରିତ ହେବ ଅଙ୍ଗାରକାମ୍ଲ

ବୈଜ୍ଞାନିକମାନେ ଏକ ଉପକରଣ ଉଦ୍ଭାବନ କରିଛନ୍ତି, ଯାହା ଅଙ୍ଗାରକାମ୍ଲକୁ ଉପଯୋଗୀ ଜୈବ ପଦାର୍ଥରେ ରୂପାନ୍ତରିତ କରିପାରିବ। ଜୀବାଶ୍ମ ଇନ୍ଧନର ମାତ୍ରାଧିକ ବ୍ୟବହାର ଯୋଗୁଁ ବିଶ୍ୱସ୍ତରରେ ଅଙ୍ଗାରକାମ୍ଲର ପରିମାଣ ବଢ଼ିବାରେ ଲାଗିଛି। ଫଳରେ ବିଶ୍ୱ ତାପନ ଓ ଜଳବାୟୁ ପରିବର୍ତ୍ତନ ଭଳି କେତେକ ସମସ୍ୟା ମୁଣ୍ଡ ଟେକିଲାଣି। ଜଳବାୟୁରୁ ଅଙ୍ଗାରକାମ୍ଲ ହ୍ରାସ ଏହି ସମସ୍ୟାର ଏକମାତ୍ର ଉପାୟ। କିନ୍ତୁ ଏ ନେଇ ବୈଜ୍ଞାନିକମାନେ ବର୍ତ୍ତମାନ ଯେଉଁସବୁ ପଦ୍ଧତି ଉଦ୍ଭାବନ କରୁଛନ୍ତି, ସେଗୁଡ଼ିକ ମାତ୍ରାଧିକ ଶକ୍ତି ଅପଚୟ କରୁଛି। ଏବେ ପୋରୋସ୍‌ ଉପକରଣ ଅଙ୍ଗାରକାମ୍ଲ ପ୍ରତି ଉଚ୍ଚ ପ୍ରତିକ୍ରିୟାଶୀଳ ଓ ଏହାକୁ ଉପଯୋଗୀ ଜୈବ ପଦାର୍ଥରେ ରୂପାନ୍ତରିତ କରି ହେବ ବୋଲି କ୍ୟୋଟୋ ୟୁନିଭର୍ସିଟି ମ୍ୟାଟେରିଆଲ କେମିଷ୍ଟ୍‌ କେନ-ଇଚି ଓଟେକ୍‌ କହିଛନ୍ତି। ଏହା ମେଟାଲ ଅର୍ଗାନିକ୍‌ ଫ୍ରେମ୍‌ଓ୍ଵାର୍କ୍‌ ନାମରେ ପରିଚିତ। ‘‘ନେଚର କମ୍ୟୁନିକେସନ୍‌’’ ପତ୍ରିକାରେ ପ୍ରକାଶ ପାଇଛି ଯେ ଜିଙ୍କ୍‌ ଧାତୁ ଆୟନ ଦ୍ୱାରା ଫ୍ରେମ୍‌ଓ୍ଵାର୍କଟି ପ୍ରସ୍ତୁତ। ଗବେଷକମାନେ ନୂଆ ଏକ୍ସ-ରେ ସଂରଚନାତ୍ମକ ବିଶ୍ଲେଷଣ ପ୍ରୟୋଗ କରି ଉପକରଣଟିକୁ ପରୀକ୍ଷା କରିଛନ୍ତି। ଅନ୍ୟ ଉପକରଣ ତୁଳନାରେ ୧୦ ଗୁଣା ଅଧିକ ଦକ୍ଷତାର ସହ ଏହା ନିର୍ଦ୍ଦିଷ୍ଟ ଭାବେ ଅଙ୍ଗାରକାମ୍ଲ ଅଣୁଗୁଡ଼ିକୁ ଏକାଠି କରିପାରିବ ବୋଲି ଗବେଷକମାନେ ଜାଣିବାକୁ ପାଇଛନ୍ତି।

ସମ୍ବନ୍ଧିତ ଖବର