ସିଂହ, ବାଘ ଓ ବିଲୁଆ

କଥା କାହାଣୀ - ନଗେନ୍ଦ୍ର ନାଥ ପଟ୍ଟନାୟକ

ଗୋଟିଏ ଘଂଚ ବନରାଜ୍ୟରେ ମହାବଳ ସିଂହ ଆଉ ସ୍ୱରାଷ୍ଟ୍ର ମନ୍ତ୍ରୀ ବାଘ ଥିଲେ। ବିଲୁଆ ଥିଲା ଜଙ୍ଗଲ ମନ୍ତ୍ରୀ। ଦିନେ ବିଲୁଆ କହିଲା- ହଜୁର! ବଣରେ ଯେତେ ସବୁ ସଭାସମିତି ବସୁଛି ସେଥିରେ ବାଘ ଆପଣଙ୍କୁ ବଦନାମ କରୁଛି। ବେଳେବେଳେ ଆପଣଙ୍କୁ ନିନ୍ଦା କରୁଛି ତ ଆଉ କେବେ କେବେ ଆପଣଙ୍କୁ ଥଟ୍ଟା- ପରିହାସ କରୁଛି। ଏତେବଡ଼ ପଦବୀରେ ଆପଣ ୟାକୁ କାଇଁକି ଯେ ବସାଇଛନ୍ତି ଜଣାପଡ଼ୁନି। ଆପଣ କ’ଣ ଜାଣୁ ନାହାନ୍ତି ଯେ ଏହାଦ୍ୱାରା ଆପଣଙ୍କ ସମ୍ମାନ ଓ ପ୍ରତିଷ୍ଠାରେ ଆଂଚ ଆସୁଛି ବୋଲି। ଆପଣ ଆଜ୍ଞା ଦେଲେ ମୁଁ ଜଙ୍ଗଲର ପ୍ରଜାମାନଙ୍କୁ ଧରି ଏକଥାର ପ୍ରମାଣ କରି ଦିଅନ୍ତି। ମହାରାଜ ସିଂହ କହିଲେ- ତୁମେ ଯାହା ଚାହୁଁଚ ତାହା କରିପାର। ବିଲୁଆ ଜଙ୍ଗଲର ପଶୁମାନଙ୍କୁ ମହାରାଜ ସିଂହଙ୍କ ଦରବାରକୁ ଡକାଇଲା। ଜଙ୍ଗଲଯାକର ଜୀବଜନ୍ତୁ ଆସି ରାଜଦରବାରରେ ଠୁଳ ହେଲେ। ମହାରାଜାଙ୍କ ସାମନାରେ ଜଙ୍ଗଲ ମନ୍ତ୍ରୀ ବିଲୁଆ କହିଲା- ‘ଭାଇମାନେ, ଏ ସ୍ୱରାଷ୍ଟ୍ର ମନ୍ତ୍ରୀ ବାଘ କ’ଣ ମହାରାଜାଙ୍କୁ ନିନ୍ଦା କରୁନି?’ ଉପସ୍ଥିତ ସଭିଏଁ ମୁଣ୍ଡ ଟୁଙ୍ଗାରି ହଁ ଭରିଲେ। ସେଠୁ ବିଲୁଆ କହିଲା- ମଣିମା! ଏ କଥା ସତ କି ମିଛ ଜାଣିଲେ ତ?

କେଶର ଫୁଲାଇ, ଲାଞ୍ଜକୁ ବାଡେଇ ମହାବଳ ସିଂହ କହିଲା- ଦେଖ, ଦୁଇଟିଯାକ ହେଉଚ ମୋ ରାଇଜର ମନ୍ତ୍ରୀ। ତୁମ ଦୁଇଜଣଙ୍କର ଦକ୍ଷତା ଓ ସାମର୍ଥ୍ୟକୁ ପରଖି ବିଭାଗର ଏଇ ଗୁରୁ ଦାୟିତ୍ୱକୁ ସଅଁପି ଦେଇଛି। ବାଘ ତା ଦାୟିତ୍ୱକୁ ଅତି ନିଷ୍ଠାର ସହିତ ସୁରୁଖୁରୁରେ ତୁଲାଉଛି, ଆଉ ତୁମେ ମଧ୍ୟ ତୁମର ଦାୟିତ୍ୱ ଠିକ୍‌ଭାବେ ପାଳନ କରୁଛ। ଦାୟିତ୍ୱରେ ଖିଲାପ କଲେ ସିନା କାହାକୁ ପଦବୀରୁ ହଟାଇ ଦିଅନ୍ତି। ମୁଁ ବେଶ୍‌ ଭଲ ଭାବରେ ଜାଣେ ଯେ ବାଘ ମୋ ନାଆଁରେ ନାନା ଆପତ୍ତିଜନକ କଥା ଜଙ୍ଗଲର ପ୍ରଜାମାନଙ୍କ ଆଗରେ ଖୋଲାଖୋଲି କହି ଚାଲିଛି। ତଥାପି ସେସବୁକୁ ମୁଁ ଏ କାନରେ ପୂରାଇ ସେ କାନରେ ବାହାର କରିଦିଏ। ପ୍ରଜାମାନଙ୍କ ସମ୍ମୁଖରେ ମୋର ସମ୍ମାନ ଓ ପ୍ରତିଷ୍ଠାରେ ଆଂଚ ଆସିଲେ ବି ମୁଁ ତାକୁ କେବେ ଖାତିର କରେନି। କାରଣ ମୁଁ ସର୍ବଦା କାମରେ ହିଁ ବିଶ୍ୱାସ କରେ। ସ୍ୱରାଷ୍ଟ୍ର ମନ୍ତ୍ରୀ ବାଘ ଯେତେବେଳେ ତା’ର ଦାୟିତ୍ୱ ସୁରୁଖୁରୁରେ ତୁଲାଉଛି ଆଉ କର୍ତ୍ତବ୍ୟକୁ ଠିକ ଭାବରେ ସମ୍ପାଦନ କରୁଛି ମୁଁ ତାକୁ ସ୍ୱରାଷ୍ଟ୍ର ମନ୍ତ୍ରୀ ପଦରୁ ହଟାଇବି କାହିଁକି? ଏଥିରୁ ଜଣାପଡ଼ୁଛି ତୁମେ ବୋଧେ ଏ ପଦବୀ ପାଇଁ ଖୁବ୍‌ ଲାଲାୟିତ। ଜଙ୍ଗଲ ମନ୍ତ୍ରୀ ବିଲୁଆ ତ ଭାରି ଚାଲାକ। ନିଜର ଭିତରି କଥାକୁ ଚାପିଦେଇ କହିଲା- ‘ନାଇଁ ମହାରାଜ, ମୁଁ ଏଥିପାଇଁ ଜମା ଆଗ୍ରହୀ ନୁହେଁ, ମତେ ଯେଉଁ ବିଭାଗ ମିଳିଛି ସେତିକିରେ ମୁଁ ଭାରି ଖୁସି।

୯୯୯-୩, ଜଗମୋହନ ନଗର
ଜାଗମରା, ଖଣ୍ଡଗିରି

ସମ୍ବନ୍ଧିତ ଖବର