ଦଳୀୟ ନେତା ଓ ମନ୍ତ୍ରୀଙ୍କୁ ସରଳ ଜୀବନଯାପନର ପାଠ ପଢ଼ାଇଲେ ନବୀନ

ବିଜେଡି ପ୍ରତିଷ୍ଠା ଦିବସରେ ମାନବିକତାର ମହତ୍ୱ କହିଲେ ମୁଖ୍ୟମନ୍ତ୍ରୀ

ପୁରୀ/ଭୁବନେଶ୍ୱର: ସାଧାରଣ ଜୀବନରେ ସରଳତା ସବୁଠାରୁ ବଡ କଥା। ଏଥିରୁ ପ୍ରେରଣା ମିଳିଥାଏ। ତେଣୁ ମୁଁ ଚାହେଁ, ଆମ ସମସ୍ତଙ୍କୁ ଉଚ୍ଚାଭିଳାଷ ଲକ୍ଷ୍ୟ ନେଇ ସରଳ ଜୀବନଯାପନ କରିବା ଦରକାର ଅଛି ବୋଲି ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ବିଜୁ ଜନତା ଦଳର ୨୦ତମ ପ୍ରତିଷ୍ଠା ଦିବସରେ ନବୀନ ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଡ. ଅବଦୁଲ କଲାମଙ୍କୁ ମନେପକାଇ କହିଛନ୍ତି, ସତ୍ୟ ଓ ସରଳ ଜୀବନଯାପନ ପାଇଁ ଟଙ୍କା ଖର୍ଚ୍ଚ ହେଉ ନାହିଁ। ତେଣୁ ମୁଁ ଚାହେଁ ଆପଣମାନେ ସମସ୍ତେ ସରଳ ଜୀବନଯାପନ କରନ୍ତୁ। ଲୋକଙ୍କ ସୁଖଦୁଃଖରେ ସହାନୁଭୂତି ମନୋଭାବ ନେଇ ସାହାଯ୍ୟ କରନ୍ତୁ। ଲୋକଙ୍କ ଭରସାକୁ ସମ୍ମାନ ଦିଅନ୍ତୁ। ଲୋକମାନେ ହେଉଛନ୍ତି ଆମର ବଳ। ତେଣୁ ମାନବିକତାର ସହିତ ତାଙ୍କ ପାଇଁ କାମ କରନ୍ତୁ। ଲୋକଙ୍କୁ ଦେଇଥିବା ପ୍ରତିଶୃତିକୁ ପାଳନ କରନ୍ତୁ। ସତ୍ୟବାଦୀର ଇତିହାସ କହେ, ଭୌତିକ ସୁଖ ତ୍ୟାଗ କର। ସମୃଦ୍ଧି ପଥରେ ଜାତିକୁ ଆଗେଇ ନିଅ।

ସେବା ଓ କ୍ଷମତା ଏହି ଦୁଇଟି ମଧ୍ୟରୁ ସେବା ହିଁ ସବୁଠାରୁ ଗୁରୁବପୂର୍ଣ୍ଣ। ସେବା ଜରିଆରେ ହିଁ ଲୋକଙ୍କ ହୃଦୟ ଜିତି ହୁଏ। ତେଣୁ ଲୋକଙ୍କ ସେବା କରନ୍ତୁ ଓ ହୃଦୟ ଜିତନ୍ତୁ।

ନବୀନ ମନେ ପକେଇଲେ ସାଂସଦ ଜୀବନ

୧୯୯୭ରେ ଗଞ୍ଜାମ ଜିଲ୍ଲା ଆସ୍କା ସାଂସଦ ଭାବରେ ମୋର ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା। ସେବେଠାରୁ ମୋର ପ୍ରତିଟି ମୁହୂର୍ତ୍ତ ଓଡିଶାର ବିକାଶ ଓ କଲ୍ୟାଣ ପାଇଁ ଦେଇଛି। ଓଡିଶାର ଭାଇଭଉଣୀ ମାନଙ୍କର ଭଲପାଇବା ମୋତେ ଶକ୍ତି ଦେଇଛି। ଆତ୍ମ ବିଶ୍ୱାସ ବଢାଇଛି। ଜଣେ ଓଡିଆ ଭାବରେ ମୁଁ ଗର୍ବିତ। ଓଡିଶାବାସୀ ମୋର ପରିବାର ଏବଂ ଓଡିଶାବାସୀଙ୍କ ସେବାରେ ମୁଁ ସବୁବେଳେ ସମର୍ପିତ।

 

ଆମେ ଶ୍ରେଷ୍ଠ ହେବା

ମୋର ଅନୁରୋଧ, ଆପଣମାନେ ମା, ମାଟି ଓ ମଣିଷର ସ୍ୱାଭିମାନ ପାଇଁ କାମ କରନ୍ତୁ। ଓଡିଶାର ଛବିକୁ ଆହୁରି ଉଜ୍ଜଳ କରିବା ପାଇଁ ଉଦ୍ୟମ ଜାରି ରଖନ୍ତୁ। ଆସନ୍ତୁ ସଂକଳ୍ପ କରିବା, ଆମର ପ୍ରିୟ ଓଡିଶାକୁ ଦେଶର ଏକ ନମ୍ବର ରାଜ୍ୟରେ ପରିଣତ କରିବା। ବିଶ୍ୱ ଇତିହାସରେ ଓଡିଶା ପାଇଁ ସ୍ଥାନ ଗଢିବା। ଆମେ ଶ୍ରେଷ୍ଠ ହେବା।

ଭାଷଣ ଆରମ୍ଭରୁ ନବୀନ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଧାମକୁ ଦଳୀୟ କର୍ମୀଙ୍କ ସ୍ୱାଗତ ଜଣାଇଥିଲେ। ସେ କହିଥିଲେ, ବିଜୁ ପରିବାର ଆଜି ଏଠାରେ ଏକାଠି ହୋଇଛି। ଆଜି ରାଜନୀତି ନୁହେଁ, ମୋର ପରିବାରକୁ ମୋ ହୃଦୟର କଥା କହିବି ବୋଲି କହିଥିଲେ। ନବୀନ କହିଥିଲେ, ବିଜୁ ଜନତା ଦଳ ଗତ ୨୦ ବର୍ଷ ଭିତରେ ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି। ମହାପ୍ରଭୁଙ୍କ ଆଶୀର୍ବାଦ, ଓଡିଶାବାସୀଙ୍କ ସହଯୋଗ ଓ ଆଦର ଏବଂ ଦଳର ଲକ୍ଷ ଲକ୍ଷ କର୍ମୀ ମାନଙ୍କର ପରିଶ୍ରମ ଯୋଗୁ ବିଜୁ ଜନତା ଦଳ ଓଡିଶା ମା’ର ସେବା କରିଚାଲିଛି। ଏହି ସୁଯୋଗ ଦେଇଥିବାରୁ ଓଡିଶାବାସୀଙ୍କ ନିକଟରେ ମୁଁ ରୁଣୀ।

ନବୀନ କହିଥିଲେ, ଓଡିଶା ତ୍ୟାଗର ଭୂମି। ସେବାର ଭୂମି। କର୍ମ ଭୂମି। ଉତ୍କଳମଣି ଗୋପବନ୍ଧୁ ଓ ଉତ୍କଳ ଗୌରବ ମଧୁସୂଦନଙ୍କର ଆଦର୍ଶ ଥିଲା ତ୍ୟାଗ, ସେବା ଓ ସ୍ୱାଭିମାନ। ସେମାନେ ଆମ ପାଇଁ ସବୁବେଳେ ପ୍ରେରଣା ହୋଇ ରହିଛନ୍ତି ଓ ରହିଥିବେ। ଆମର ପ୍ରିୟ ନେତା ବିଜୁ ବାବୁଙ୍କ ସଂପର୍କରେ ଆପଣମାନେ ଭଲ ଭାବରେ ଜାଣନ୍ତି। ତାଙ୍କର ଦରଦୀ ମନୋଭାବ ମୋତେ ସବୁଠାରୁ ବେଶୀ ଭଲ ଲାଗେ। ବିଜୁ ବାବୁ ଥିଲେ ଗରିବ ଲୋକଙ୍କର ବନ୍ଧୁ। ତାଙ୍କ ପାଖରୁ କେହି କେବେ ଖାଲି ହାତରେ ଫେରୁ ନଥିଲେ। ବିଜୁ ପରିବାରର ସଭ୍ୟ ଭାବରେ ଏହା ଆମ ସମସ୍ତଙ୍କ ପାଇଁ ପ୍ରେରଣା।

ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କହିଥିଲେ, ଓଡିଶାବାସୀ ଆମକୁ ବହୁତ କିଛି ଦେଇଛନ୍ତି। ଆଜି ଆମେ ଯେଉଁଠାରେ ପହଁଚିଛେ, ତାହା କେବଳ ଓଡିଶାବାସୀଙ୍କ ଆଦର ଓ ଭଲ ପାଇବା ଯୋଗୁ ହୋଇପାରିଛି। ଏ ଭଲ ପାଇବା ଅମୂଲ୍ୟ। ତାର ପ୍ରତିଦାନ ଦେବା ପାଇଁ ଆମେ ସମସ୍ତେ ଆଗେଇ ଆସିବା ଉଚିତ। ଆମେ ଏଭଳି କାମ କରିବା, ଯାହା ଦ୍ଵାରା ଆମର ପିଲାମାନେ ଆମକୁ ନେଇ ଗର୍ବ କରିବେ।

ଆମର ସାଂସଦ, ବିଧାୟକ, ସରପଞ୍ଚମାନେ ଭଲ କାମ କରିଥିବା ଖବର ମୋତେ ସବୁଠାରୁ ଅଧିକ ଖୁସି ଦେଇଥାଏ। ଲୋକଙ୍କ ଭଲ ପାଇବା ହିଁ ମୋ ପାଇଁ ସବୁଠାରୁ ବଡ ପୁରସ୍କାର। ଲୋକଙ୍କ ଭଲ ପାଇବା ହିଁ ଗାନ୍ଧିଜୀଙ୍କୁ ଅମର କରିଛି। କୋଟି କୋଟି ଓଡିଆଙ୍କ ଭଲ ପାଇବା ବିଜୁ ବାବୁଙ୍କୁ ମହାନ କରିଛ। ତେଣୁ ଆସନ୍ତୁ, ମହାପ୍ରଭୁଙ୍କ ପବିତ୍ର ଧାମରେ ସଂକଳ୍ପ ନେବା। ସରଳ ଜୀବନ ପାଇଁ ବାଟ ଖୋଜିବା। ଲୋକଙ୍କ ସେବା କରିବା ଓ ଲୋକଙ୍କ ଭଲ ପାଇବା ହାସଲ କରିବା।

ସମ୍ବନ୍ଧିତ ଖବର