ଅନୁଭବ ଓ ବୈଜୟନ୍ତଙ୍କୁ କଡ଼ା ମୁକାବିଲା କରିବାକୁ ଧରଣୀଧରଙ୍କୁ ମଇଦାନକୁ ଓହ୍ଲାଇଲା କଂଗ୍ରେସ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ପୂର୍ବରୁ ଶାସକ ଦଳ ବିଜେଡ଼ି ଓ ବିଜେପି ନିଜ ନିଜ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇ ସାରିଛନ୍ତି । ରାଜ୍ୟ ରାଜନୀତିର ଅଭିଜ୍ଞ ନେତା ବୈଜୟନ୍ତ ପଣ୍ଡାଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଅଭିନତାରୁ ନେତା ବନିଥିବା ଅନୁଭବ ମହାନ୍ତିଙ୍କୁ ବାଛିଛନ୍ତି ବିଜେଡ଼ି ସୁପ୍ରିମୋ । ଏପଟେ ଆଜି କେନ୍ଦ୍ରାପଡ଼ା ରଣଭୂମି ପାଇଁ ଯୋଦ୍ଧା ବାଛିଛନ୍ତି କଂଗ୍ରେସ ହାଇକମାଣ୍ଡ । ପୁଣି ଥରେ ଧରଣୀଧର ନାୟକଙ୍କୁ କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଛି ଦଳ ।

କେନ୍ଦ୍ରାପଡ଼ାରେ ଏଥର ମୁହାଁମୁହିଁ ହେବେ ବୈଜୟନ୍ତ ପଣ୍ଡା, ଅନୁଭବ ମହାନ୍ତି ଓ ଧରଣୀଧର ନାୟକ । ୧୯୯୮ରୁ କେନ୍ଦ୍ରାପଡ଼ାରେ ବିଜେଡ଼ି ନିଜର ଅସ୍ତିତ୍ୱ ଜାହିର କରିଆସିଛି । ୨୦୦୯ରୁ ବୈଜୟନ୍ତ ପଣ୍ଡା ଏହି ଆସନରୁ ନିର୍ବାଚିତ ହୋଇ ଆସୁଛନ୍ତି । ହେଲେ ଗତ କିଛି ମାସ ତଳେ ମନୋମାଳିନ୍ୟ ଯୋଗୁଁ ବୈଜୟନ୍ତ ପଣ୍ଡା ଦଳ ସହ ସମସ୍ତ ସମ୍ପର୍କ ତୁଟାଇ ବିଜେପିରେ ସାମିଲ ହୋଇଥିଲେ  ଆଉ ଚଳିତ ଥର ପାଇଁ ବୈଜୟନ୍ତ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି ବିଜେପି । ଅନ୍ୟପଟେ ଅନୁଭବଙ୍କ ଲୋକପ୍ରିୟତା ବଳରେ ପୁଣି ଗଡ଼ ଅକ୍ତିଆର ଆଶାରେ ରହିଛି ଶାସକ ଦଳ । ଅନୁଭବଙ୍କ ଲୋକପ୍ରିୟତା ବଳରେ ପୁଣି ଥରେ କେନ୍ଦ୍ରାପଡ଼ା ଆସନ ହାତେଇବାକୁ ଯୋଜନା ପ୍ରସ୍ତୁତ କରିଛି ।

ବୈଜୟନ୍ତ ଓ ଅନୁଭବଙ୍କୁ କଡ଼ା ଟକ୍କର ଦେବା ପାଇଁ କଂଗ୍ରେସ ଧରଣୀଧର ନାୟକଙ୍କୁ ପ୍ରାର୍ଥୀ କରିଛି । ୨୦୧୪ରେ ନିର୍ବାଚନ ହାରିଥିଲେ ମଧ୍ୟ ଧରଣୀଧରଙ୍କ ଉପରେ ପୁଣି ଥରେ ଆସ୍ଥା କରିଛି ଦଳ ।  ୨୦୧୪ ନିର୍ବାଚନରେ ବୈଜୟନ୍ତ ପଣ୍ଡାଙ୍କ ଠାରୁ ପରାଜିତ ହୋଇଥିଲେ ଧରଣୀଧର । ବୈଜୟନ୍ତ ପଣ୍ଡାଙ୍କୁ ୬,୦୧,୫୭୪ ଭୋଟ ମିଳିଥିବା ବେଳେ ଧରଣୀଧରଙ୍କୁ ମିଳିଥିଲା ୩,୯୨,୪୬୬ ଭୋଟ । ତେବେ ଚଳିତ ନିର୍ବାଚନ ପାଇଁ ପୁଣି ଥରେ ଧରଣୀଧରଙ୍କୁ ସୁଯୋଗ ଦେଇଛି ଦଳ ।

ସମ୍ବନ୍ଧିତ ଖବର